ଆସନ୍ତା ଦୁଇ ସପ୍ତାହ ଯାଏ ସ୍ୱାଭାବିକ ଠାରୁ ଅଧିକ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଖସିବ

NEWS7
jagabandhu-giraf-news

ଭୁବନେଶ୍ୱର, ୩୦/୦୧: ଆସନ୍ତା ଦୁଇ ସପ୍ତାହ ଯାଏ ସ୍ୱଭାବିକଠାରୁ ଅଧିକ ଶୀତ ରହିବ । ଶୀତ ଲହରି ଜାରି ରହିବ । ଶୁକ୍ରବାରଠୁ ଫେବ୍ରୁଆରୀ ୫ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦ରୁ ୧୪ ଡିଗ୍ରୀ ରହିବ । ଉପକୂଳ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ୧୪ରୁ ୧୮ ଡିଗ୍ରୀ ରହିବ । ସେହିପରି ଆସନ୍ତା ଫେବ୍ରୁଆରୀ ୬ରୁ ୧୨ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ୬ରୁ ୧୦ ଡିଗ୍ରୀ ରହିବ ।

ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ୧୦ରୁ ୧୪ ଡିଗ୍ରୀ ରହିବ । ଉତ୍ତର ଉପକୂଳ ଅଞ୍ଚଳରେ ୧୪ରୁ ୧୬ ଡିଗ୍ରୀ ତାପମାତ୍ରା ରହିବ । ସାଧାରଣଠୁ କମ୍ ତାପମାତ୍ରା ରହିବ । ଏପରି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ସପ୍ତାହ ଯାଏ ପୂର୍ବ ଭାରତ ଅଞ୍ଚଳରେ ସ୍ୱାଭାବିକଠୁ ୨ରୁ ୪ ଡିଗ୍ରୀ କମ୍ ତାପମାତ୍ରା ରହିବ ।

ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସର୍ବନିମ୍ନ ତାପମାତ୍ରା କମ ରହିବ । ଶୁକ୍ରବାର ଜଗତ୍ସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ ।