ଭୁବନେଶ୍ବର ୩।୫: ଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଏବଂ ଦାରୁ କାଠ ଦୀଘା ମନ୍ଦିର ମୂର୍ତ୍ତିରେ ବ୍ୟବହାର କରାଯିବ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ଯେଉଁ ଘଟଣାକୁ ନେଇ ଆଲୋଚନା ହେଉଛି, ସେସବୁ ସତ କି ମିଛ, ତାହା ତଦନ୍ତ ସରିବା ପରେ ଜଣାପଡ଼ିବ । ଜଗନ୍ନାଥଙ୍କ ଦାରୁର ବଳକା କାଠରେ ମୂର୍ତ୍ତୀ ତିଆରି କରି ବାହାରକୁ ନେବା ଏସବୁ ବାବଦରେ ଚର୍ଚ୍ଚା ଆଲୋଚନା ହେଉଛି । ତେବେ କିଏ କେଉଁ ମନ୍ଦିରକୁ ଗଲେ ତାହା ଧର୍ତବ୍ୟ ନୁହେଁ । କିନ୍ତୁ ଠାକୁରଙ୍କ ବଳକା କାଠକୁ କେଉଁଠି ନେଇ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ ।
ମହାପ୍ରଭୁ ଜଗନ୍ନାଥଙ୍କ ଧାମ ସହ ବିଶ୍ଵର କୌଣସି ଜଗନ୍ନାଥ ମନ୍ଦିରକୁ ତୁଳନା କରିବା ଅପ୍ରାସଙ୍ଗିକ ଏବଂ ଅଗ୍ରହଣୀୟ । ତେଣୁ ଏହିସବୁ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଛି । ଯଦି ଏଥିରେ କାହାର ମନ୍ଦ ଉଦ୍ଦେଶ୍ୟ ଅଛି, ସେହି ମନ୍ଦ ଉଦ୍ଦେଶ୍ୟ ଥିବା ଲୋକଙ୍କ ଉପରେ ଦଣ୍ଡ ବିଧାନ କରାଯିବ । ଏ ବାବଦରେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ । ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଦୀଘା ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖା ଯିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଆଇନ ମନ୍ତ୍ରୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବାବଦରେ ଜଣାନ୍ତୁ । କାରଣ ଚାରିଧାମ ମଧ୍ୟରୁ ଜଗନ୍ନାଥଙ୍କ ପୁରୀ ଧାମ ଗୋଟିଏ । ତେଣୁ ଅନ୍ୟ କେଉଁଠି ମନ୍ଦିର ତିଆରି କରାଯାଇପାରେ, କିନ୍ତୁ ଧାମର ଆଖ୍ୟା ଦିଆଯାଇପାରିବ ନାହିଁ । ସବୁ ଧର୍ମର ଲୋକ ଦୀଘା ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିବା ନେଇ ମଧ୍ୟ ବ୍ୟକ୍ତିଗତ ଭାବେ ଆପତ୍ତି ଅଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
You Can Read: