ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା: ମାଗଣା ଚାଉଳ, ଭଡ଼ା କିନ୍ତୁ ୧୦୦ ଟଙ୍କା

Published By : Prameya-News7 Bureau | August 09, 2025 IST

ନୂଆପଡା ୦୯/୦୮: ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା । ମାଗଣା ଚାଉଳ, ଭଡ଼ା କିନ୍ତୁ ୧୦୦ ଟଙ୍କା । ଚାଉଳ ଦାମ୍‌କୁ ବଳି ପଡୁଛି ଗାଡି ଭଡା । ସରକାରଙ୍କ ଯୋଜନା ମହରଗରୁ ପାଲଟିଛି କାନ୍ତାରାରେ । ଯୁବକ ହେଲେ ଚଳିଲା କିନ୍ତୁ ବୟସ୍କଙ୍କୁ ଦାଉ ସାଧୁଛି ଖର୍ଚ୍ଚ । ସେତକି ନୁହେଁ ଲୋକଙ୍କ ପାଇଁ କାଳ ସାଜିଛି ଗାଡି ବ୍ୟବସ୍ଥା । ପୂର୍ବରୁ ଚାଲୁଥିବା ବସ ଖରାପ ରାସ୍ତା ପାଇଁ ବନ୍ଦ୍ । 

ଏବେ କେବଳ ଯାଉଛି ଛୋଟ ଗାଡି । ହେଲେ ଯାହା ପାଖେ ଗାଡି ନାହିଁ ସେମାନଙ୍କ କଥା ନ କହିବା ଭଲ । ସାହା କେବଳ ପିକଅପ ଭ୍ୟାନ୍ । ଭଡା କରି ମାଗଣା ଚାଉଳକୁ ନେବାକୁ ପଡୁଛି ଘରକୁ । କିଏ କାର୍ଡ ପିଛା ଶହେ ଦେଉଛି ତ କିଏ କିଲୋ ପିଛା ଦେଉଛନ୍ତି ଟଙ୍କା । ଇଚ୍ଛା ନଥିଲେ ବି ବାଧ୍ୟ କରିବାକୁ ଲୋକେ । ନୂଆପଡା କୋମନା ବ୍ଲକର ଦୁର୍ଗମ ଅଞ୍ଚଳର ଦୁର୍ଦ୍ଦଶା ଆଖିରେ ନଦେଖିଲେ ବିଶ୍ୱାସ କରିବେନି । 


ଚାଉଳ ନେବାକୁ ଲମ୍ୱା ଲାଇନ୍ । ଚାଉଳ ନେଇ ଘରକୁ ଯିବାକୁ ବି ଲାଇନ୍ । ତା ସାଙ୍ଗକୁ ଚାଲିଛି ଝିପିଝିପି ବର୍ଷା । ଅତିକମ୍‌ରେ ମାସକୁ ଥରେ ନଜର ଆସେ ଏମିତି ଦୃଶ୍ୟ । ନୂଆପଡା ଜିଲ୍ଲାର କନ୍ଦାଧୂଆ, ଆମ୍ବପଡା, ଜାମପଡା ଓ ଢେକୁନପାନି ଗାଁଲୋକଙ୍କ କଷ୍ଟ ଏମିତି । ବିଶେଷ କରି ଢେକୁନପାନି ଗାଁ ଲୋକଙ୍କ ଦୁଃକ କହିଲେ ନସରେ । 

କାରଣ ସୁନାବେଡା ଅଭୟାରଣ୍ୟ ଛତିଶଗଡ ସୀମାନ୍ତବର୍ତ୍ତୀ ଅଞ୍ଚଳ ଓ ମାଓ ଅଧ୍ୟୁଷିତ ଅଞ୍ଚଳ ଭିତରେ ରହିଛି ଏହି ଗାଁ । ଏଠାକାର ୮୦ ରୁ ଅଧିକ ପରିବାର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ରେ ପାଉଛନ୍ତି ମାଗଣା ଚାଉଳ । PHH କାର୍ଡ ଧାରି ପ୍ରତି ସଦସ୍ୟଙ୍କୁ ଦେଉଛି ପାଞ୍ଚ କେଜି ଚାଉଳ । ଚାଉଳ ସିନା ପାଇଗଲେ ସହଜରେ ନେବାକୁ ସାଙ୍ଗରେ କିନ୍ତୁ ଭାରି କଷ୍ଟ ।

ଗାଁ ପାଖ ଦେଇ ପୂର୍ବରୁ ଚାଲୁଥିଲା ବସ୍ । ସେହି ବସ୍‌ରେ ପଞ୍ଚାୟତରୁ ଚାଉଳ ସଂଗ୍ରହ କରିବା ସହ ପୂଣି ବସ ଫେରୁଥିଲେ ଲୋକେ । ସେଥିରେ କମ୍ ଭଡ଼ା ଲାଗୁଥିଲା । ଏବେ କିନ୍ତୁ ଲଗାଣ ବର୍ଷା ଯୋଗୁଁ ଧୋଇ ଯାଇଛି ନାଳରେ ତିଆରି ହୋଇଥିବା ଏକ ବ୍ରିଜ । ଯାହାପାଇଁ ବସ ବି ଯାଉନି । 

ବନଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷୁଥିବା ଜଙ୍ଗଲ ଅଧିବାସୀ ଚାଉଳ ନ ନେଲେ ଖାଇବେ ବା କ’ଣ । ବାଧ୍ୟ ହୋଇ ଭଡା ବାବଦକୁ ଗୋଟିଏ ଗାଡି ଆଣି ଥରକରେ ପାଖାପାଖି ୩୦ ପରିବାରଙ୍କ ଚାଉଳ ନେଇଥାଆନ୍ତି । ନୂଆପଡା ଜିଲ୍ଲାପାଳ ଘଟଣା ବିଷୟରେ ଜାଣିବା ପରେ କୋମନା ବିଡ଼ିଓଙ୍କୁ ଡାକି ଢେକୁନପାନୀ ଯାଇ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦୁର୍ଗମ ଅଞ୍ଚଳରେ ରହୁଥିବା ଏହି ନିରୀହ ଅଧିବାସୀଙ୍କକୁ ମାଗଣାରେ ମିଳୁଛି ଦୁଇ ମୁଠା ଦାନା । ଦାନା ସିନା ମାଗଣାରେ ମିଳୁଛି କିନ୍ତୁ ଖାଲି ହେଇଯାଉଛି ଅଣ୍ଟି । ଏ ସଂପର୍କରେ ଜିଲ୍ଲା ପ୍ରଶାସନ ବି ଅବଗତ । ସମାଧାନ ପାଇଁ ଆଲୋଚନା ହୋଇଛି ହେଲେ ଜିଲ୍ଲା ପ୍ରଶାସନ ଏହାକୁ କେତେ ଗୁରୁତ୍ୱ ଦେଉଛି ତାକୁ ହିଁ ଅପେକ୍ଷା ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.