ପ୍ରେମର କରୁଣ ପରିଣତି; ଗଳା କାଟି ମାରିଲା, ପ୍ରମାଣ ନଷ୍ଟ କରିବାକୁ ଏସିଡ୍ ପକାଇ ଜାଳିଲା

NEWS7
isro-will-build-the-worlds-third-space-station-in-the-sky

ଲକ୍ଷ୍ନୌ: ପ୍ରେମର କରୁଣ ପରିଣତି । ପୂର୍ବତନ ପ୍ରେମିକାକୁ ଭୁଲି ପାରିଲେ ନାହିଁ ଯୁବକ । ଶେଷରେ ଏହି ପ୍ରେମ ପାଇଁ ତାଙ୍କର ଜୀବନ ଯାଇଛି । ପୂର୍ବତନ ପ୍ରେମିକା ହିଁ ଯୁବକଙ୍କର ଜୀବନ ନେଇଛି । ଗଳା କାଟି ହତ୍ୟା କରିବା ପରେ, ମୁହଁରେ ଏସିଡ୍ ଢ଼ାଳି ଜାଳି ଦେଇଛି । ଉତ୍ତର ପ୍ରଦେଶର ବଲିଆରେ ଜଣେ ବିବାହିତ ମହିଳାଙ୍କ ସହିତ ସମ୍ପର୍କରେ ଥିବା ଜଣେ ପୁରୁଷଙ୍କ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ମହିଳା ପ୍ରେମ ସଂପର୍କରେ ଫୁଲଷ୍ଟପ ପକାଇବାକୁ ଚେଷ୍ଟା କରିଥିଲେ । ହେଲେ ମାନିନଥିଲା ପ୍ରେମିକ । ପୋଲିସ କହିଛି ଯେ, ମହିଳା ଜଣକ ତାଙ୍କ ଭାଇ ଏବଂ ଭାଉଜଙ୍କ ସହିତ ମିଶି ଯୁବକଙ୍କୁ ସେମାନଙ୍କ ଗାଁକୁ ଡାକିଥିଲେ ।

ସେଠାରେ ତାଙ୍କୁ ଗଳାକାଟି ହତ୍ୟା କରିଥିଲେ ଏବଂ ତା'ପରେ ପରିଚୟ ଲୁଚାଇବା ପାଇଁ ତାଙ୍କ ମୁହଁକୁ ଏସିଡ୍ ପକାଇ ବିକୃତ କରିଥିଲେ। ଫେବୃଆରୀ ୧୦ ତାରିଖରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । କିନ୍ତୁ ତାଙ୍କ ମୁହଁ ଏତେ ବିକୃତ ହୋଇଥିଲା ଯେ, ତାଙ୍କର ପରିଚୟ ମିଳିବା କଷ୍ଟକର ହୋଇଥିଲା । ପରେ ପୋଲିସ ତଦନ୍ତରୁ ହତ୍ୟାର ସମସ୍ତ କାହାଣୀ ସାମ୍ନାକୁ ଆସିଥିଲା । ଏଥିରେ କଥିତ ସମ୍ପର୍କ ଏବଂ ବ୍ଲାକମେଲ୍ ମଧ୍ୟ ସାମିଲ ।

ପୋଲିସର ସୂଚନା ଅନୁଯାୟୀ, ଆଜମଗଡ଼ର ବାସିନ୍ଦା ପଙ୍କଜ ଗୁପ୍ତା ପଡ଼ୋଶୀ ଗାଁର ଜଣେ ବିବାହିତାଙ୍କ ପ୍ରେମରେ ପଡ଼ିଥିଲେ । ମହିଳା ଜଣକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ମହିଳାଙ୍କ ସହ ଶାରୀରିକ ସଂପର୍କର ଭିଡିଓ ପଠାଇ ବ୍ଲାକମେଲ୍ କରୁଥିଲେ ପଙ୍କଜ ଗୁପ୍ତା । ସେପଟେ ମହିଳା ଏଥିରେ ବିରକ୍ତ ହୋଇ, ସବୁ କଥା ନିଜ ଭାଇ ଏବଂ ଭାଉଜଙ୍କୁ ଜଣାଇଥିଲେ ।

ଫେବୃଆରୀ ୫ରେ ଏକ ବିବାହ କାର୍ଯ୍ୟକ୍ରମରେ ପଙ୍କଜଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ଅଭିଯୁକ୍ତ । ହେଲେ ଫେବୃଆରୀ ୭ ତାରିଖରେ ଗୁପ୍ତାଙ୍କୁ ପ୍ରଲୋଭିତ କରି ଗାଁକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା ବୋଲି ପୋଲିସ କହିଛି । ମୃତଦେହକୁ ଠିକଣାରେ ଲଗାଇବା ପୂର୍ବରୁ ତାଙ୍କର ମୁହଁକୁ ଏସିଡ୍ ପକାଇ ଜାଳି ଦେଇଥିଲେ ଅଭିଯୁକ୍ତମାନେ । ବଲିଆ ଏସପି ଓମ୍ ବୀର ସିଂହ କହିଛନ୍ତି, ‘ପଙ୍କଜ ଗୁପ୍ତା ମହିଳାଙ୍କୁ ହଇରାଣ କରୁଥିଲେ। ପରିବାର ସଦସ୍ୟମାନେ ତାଙ୍କୁ ଘରକୁ ଡାକି ମିଳିତ ଭାବରେ ହତ୍ୟା କରିଥିଲେ। ଆମେ ପାଞ୍ଚ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣଙ୍କୁ ଗିରଫ କରିଛୁ । ଅନ୍ୟ ଦୁଇଜଣ ଫେରାର ଅଛନ୍ତି।’