ନୂଆଦିଲ୍ଲୀ ୨୨।୦୭: ମାନବ ଇତିହାସର ସବୁଠୁ ଶକ୍ତିଶାଳୀ ସାଟେଲାଇଟ୍ ନିସାର । ଜୁଲାଇ ୩୦ ତାରିଖରେ ହେବ ଲଞ୍ଚ୍ । ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟର୍ରୁ ସନ୍ଧ୍ୟା ୫.୪୦ରେ ହେବ ଉତ୍କ୍ଷେପଣ । ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ଓ ଆମେରିକୀୟ ମହାକାଶ ଏଜେନ୍ସି ନାସା ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିଛନ୍ତି ।
ଏହା ଏକମାତ୍ର ସାଟେଲାଇଟ୍ ଯାହା ବିଶ୍ୱର ଯେକୌଣସି ପ୍ରକାର ବିପର୍ଯ୍ୟୟ ପୂର୍ବରୁ ସୂଚନା ଦେବ । ମହାକାଶରେ ମୁତୟନ ହେବାକୁ ଯାଉଥିବା ଏହି ଗୁଇନ୍ଦା ସାଟେଲାଇଟ୍ ଭୂକମ୍ପ, ଭୂସ୍ଖଳନ, ଜଙ୍ଗଲ ନିଆଁ, ବର୍ଷା, ବାତ୍ୟା, ଝଡ଼, ବଜ୍ରପାତ, ଆଗ୍ନେୟଗିରି ବିସ୍ଫୋରଣ, ଟେକ୍ଟୋନିକ୍ ପ୍ଲେଟ୍ଗୁଡ଼ିକର ଗତିବିଧି ଉପରେ ନଜର ରଖିବ । ପ୍ରାକୃତିକ ଘଟଣା ପୂର୍ବରୁ ଏହା ସତର୍କ କରାଇଦେବ ।
ନାସା-ଇସ୍ରୋ ସିନ୍ଥେଟିକ୍ ଅପର୍ଚର ରାଡାର ଲଞ୍ଚ୍ ହେବା ପରେ ବିଶ୍ୱର ପ୍ରତ୍ୟେକ ସ୍ଥାନରେ ହେବାକୁ ଯାଉଥିବା ଭୂକମ୍ପର ସୂଚନା ଦେବ । ଟେକ୍ଟୋନିକ୍ ପ୍ଲେଟ୍ଗୁଡ଼ିକର ଗତିବିଧିକୁ ଏହା ସେଣ୍ଟିମିଟର ସ୍ତରରେ ରେକର୍ଡ କରିପାରିବ । ଅଧିକ ବା କମ୍ ଗତିବିଧିରୁ କେଉଁ ସ୍ଥାନରେ ଓ କେତେବେଳେ ଭୂକମ୍ପ ହୋଇପାରେ, ତାହା ଜଣାପଡ଼ିବ । ଏହା ୧୨ ଦିନରେ ପୃଥିବୀର ଗୋଟିଏ ପରିକ୍ରମା ଶେଷ କରିବ ।
ନିସାର ସାଟେଲାଇଟ୍ରେ ଏକ ବଡ଼ ମୁଖ୍ୟ ବସ୍ ରହିବ, ଯେଉଁଥିରେ ଅନେକ ଉପକରଣ ଯଥା ଟ୍ରାନ୍ସପୋଣ୍ଡର୍, ଟେଲିସ୍କୋପ୍ ଓ ରାଡାର ସିଷ୍ଟମ୍ ରହିବ । ଏଥିରୁ ଏକ ବାହୁ ବାହାରିବ, ଯାହା ଉପରେ ଏକ ସିଲିଣ୍ଡର୍ ଥିବ । ଲଞ୍ଚ୍ ହେବାର କିଛି ଘଣ୍ଟା ପରେ ସିଲିଣ୍ଡର୍ ଖୋଲିବ । ଏଥିରୁ ଡିଶ୍ ଆଣ୍ଟିନା ଭଳି ଏକ ବଡ଼ ଛତା ବାହାରିବ । ଏହି ଛତା ହିଁ ସିନ୍ଥେଟିକ୍ ଅପର୍ଚର ରାଡାର ।
ନିସାର ପରିଚାଳନା ମୁଖ୍ୟ କ୍ୟାଥଲିନ୍ ଜୋନ୍ସ କହିଛନ୍ତି, ୧୨ ଦିନରେ ନିସାର ପୃଥିବୀର ୨ୟ ପରିକ୍ରମା କରିବ । ଏହି ବ୍ୟବଧାନରେ ପୃଥିବୀ ପୃଷ୍ଠରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଜଣାପଡ଼ିଯିବ । ଫଳରେ କେଉଁ ଦେଶରେ କେଉଁ ପ୍ରକାର ପାଣିପାଗ ବା କେଉଁ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଅଛି, ସେ ବିଷୟରେ ଆମେ ସଠିକ୍ ଜାଣିପାରିବା ।
ଜିଏସ୍ଏଲ୍ଭି-ଏମ୍କେ୨ ରକେଟ୍ରୁ ନିସାର ଲଞ୍ଚ୍ କରାଯିବ । ସାଟେଲାଇଟ୍ ଓ ପେଲୋଡ୍ଗୁଡ଼ିକର ଅନେକ ଥର ପରୀକ୍ଷଣ ସରିଛି । ଏହା ବିଶ୍ୱର ସବୁଠୁ ମହଙ୍ଗା ପୃଥିବୀ ଅବଲୋନକାରୀ ସାଟେଲାଇଟ୍ । ଏହାର ନିର୍ମାଣରେ ୧୦ ହଜାର କୋଟି ଟଙ୍କା ନିବେଶ ହୋଇଛି । ପୃଥିବୀ ଚତୁଃପାଶ୍ୱର୍ରେ ଜମା ହେଉଥିବା ବର୍ଜ୍ୟ ଏବଂ ମହାକାଶରୁ ପୃଥିବୀ ଅଭିମୁଖେ ଆସୁଥିବା ବିପଦର ସୂଚନା ଏହା ନିରନ୍ତର ପ୍ରଦାନ କରିବ ।
ନିସାରରେ ଦୁଇ ପ୍ରକାର ବ୍ୟାଣ୍ଡ୍- ଏଲ୍ ଓ ଏସ୍ ରହିବ । ଉଭୟ ପୃଥିବୀରେ ବୃକ୍ଷଲତାର ବୃଦ୍ଧି-ହ୍ରାସ ସଂଖ୍ୟା ଉପରେ ନଜର ରଖିବେ ଏବଂ ଆଲୋକ କମ୍-ବେଶି ହେବାର ପ୍ରଭାବକୁ ମଧ୍ୟ ଅଧ୍ୟୟନ କରିବେ । ଏସ୍ ବ୍ୟାଣ୍ଡ୍ ଟ୍ରାନ୍ସମିଟରକୁ ଭାରତ ଏବଂ ଏଲ୍ ବ୍ୟାଣ୍ଡ୍ ଟ୍ରାନ୍ସପୋଣ୍ଡର୍କୁ ନାସା ପ୍ରସ୍ତୁତ କରିଛି ।
ନିସାର୍ର ରାଡାର ୨୪୦ କିମି ପର୍ଯ୍ୟନ୍ତ କ୍ଷେତ୍ରଫଳର ସମ୍ପୂର୍ଣ୍ଣ ସ୍ୱଚ୍ଛ ଚିତ୍ର ଉତ୍ତୋଳନ କରିବ । ପୃଥିବୀର ଗୋଟିଏ ସ୍ଥାନର ଫଟୋକୁ ଏହା ୧୨ ଦିନ ପରେ ପୁଣି ଦେବ । କାରଣ ପୃଥିବୀର ଗୋଟିଏ ପରିକ୍ରମା ପୂରଣ କରିବାକୁ ଏହାକୁ ୧୨ ଦିନ ଲାଗିବ । ମିଶନ୍ର ଜୀବନକାଳ ୫ ବର୍ଷ,ତେବେ ଏହା ଆଗକୁ ବଢ଼ିପାରେ ବୋଲି କୁହାଯାଉଛି ।