ଭୁବନେଶ୍ବରରେ ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ, ଆଇଏନ୍‌ଏଇ ପକ୍ଷରୁ ଆୟୋଜିତ ବକ୍ତୃତାମାଳା କାର୍ଯ୍ୟକ୍ରମରେ ଦେବେ ଉଦବୋଧନ

Published By : Prameya-News7 Bureau | May 20, 2025 IST

ଭୁବନେଶ୍ବର: ଇଣ୍ଡିଆନ୍ ନ୍ୟାସ୍‌ନାଲ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍‌ଏଇ)ର ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ହୋଇଛି ବକ୍ତୃତାମାଳା କାର୍ଯ୍ୟକ୍ରମ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି କ୍ୟାମ୍ପସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ)ର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ ।

ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ବରରେ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ ସୋଆ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏନ୍‌ଏଇ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ସୋଆ ଆନ୍ତର୍ଜାତିକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଏବଂ ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ। 

ସୂଚନାଥାଉକି, ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି କ୍ୟାମ୍ପସ ୨ ପରିସରରେ ଇଣ୍ଡିଆନ୍ ନ୍ୟାସ୍‌ନାଲ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍‌ଏଇ)ର ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ବକ୍ତୃତାମାଳା  କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସୋଆ ଫ୍ୟାକଲ୍ଟି ଏବଂ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବକ୍ତୃତା ପ୍ରଦାନ କରିବେ ଡକ୍ଟର ଭି. ନାରାୟଣନ୍।

୧୯୯୮ ମସିହା ମେ ୧୧ ଏବଂ ୧୩ ତାରିଖ ମଧ୍ୟରେ ପୋଖରାନ୍ ଠାରେ ଭାରତ କରିଥିବା ପରମାଣୁ ପରୀକ୍ଷାକୁ ସ୍ମରଣ କରି ଜାତୀୟ ଟେକ୍ନୋଲଜି ଦିବସ ପାଳନ ଅବସରରେ ଏହି ବକ୍ତୃତାମାଳାର ଆୟୋଜନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.