ୱେଷ୍ଟବ୍ୟାଙ୍କରେ ଇହୁଦୀ ବସ୍ତି ସ୍ଥାପନା କରିବ ଇସ୍ରାଏଲ, ପାଲେଷ୍ଟାଇନରେ ଚାଞ୍ଚଲ୍ୟ

Published By : Prameya-News7 Bureau | May 29, 2025 IST

ଜେରୁଜେଲମ ୨୯।୫: ଇସ୍ରାଏଲ ୱେଷ୍ଟବ୍ୟାଙ୍କକୁ ନେଇ ବଡ଼ ଘୋଷଣା କରିଛି। ଇସ୍ରାଏଲ ସରକାର  ଅଧିକୃତ ୱେଷ୍ଟବ୍ୟାଙ୍କରେ ୨୨ଟି ନୂଆ ଇହୁଦୀ ବସ୍ତି ସ୍ଥାପନା ଲାଗି ଘୋଷଣା କରିଛନ୍ତି। ଇସ୍ରାଏଲ ସରକାରଙ୍କ ଏହି ନିଷ୍ପତ୍ତି ଏପରି ଏକ ସମୟରେ ନେଇଛନ୍ତି ଯେତେବେଳେ ଏହି କ୍ଷେତ୍ରକୁ ନେଇ ଇସ୍ରାଏଲ ଓ ପାଲେଷ୍ଟାଇନ ମୁହାଁ ମୁହିଁ ପରିସ୍ଥିତିରେ ଅଛନ୍ତି। ଏଣୁ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ୱେଷ୍ଟବ୍ୟାଙ୍କ ସେହି ଅଞ୍ଚଳ ଯାହାକୁ ଇସ୍ରାଏଲ ୧୯୬୭ ମଧ୍ୟପ୍ରାଚ୍ୟା ଯୁଦ୍ଧରେ ନିଜ ଅକ୍ତିଆରକୁ ନେଇଥିଲା। 

ସେବେଠାରୁ ଏହି କ୍ଷେତ୍ର ଇସ୍ରାଏଲ ଓ ପାଲେଷ୍ଟେନୀୟ ମଧ୍ୟରେ ସଂଘର୍ଷର କାରଣ ହୋଇ ରହିଛି। ପାଲେଷ୍ଟାଇନ ଏହି ଅଞ୍ଚଳକୁ ନିଜ ସ୍ୱତନ୍ତ୍ର ରାଷ୍ଟ୍ର୍ର ର ମୁଖ୍ୟ ଅଂଶ ମନେ କରୁଛି। ଇସ୍ରାଏଲ ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଇହୁଦୀ ବସ୍ତୀ ବିନା କୌଣସି ଅନୁମତିରେ ସ୍ଥାପିତ ହୋଇଥିଲା ଏବେ ସେ ଗୁଡିକୁ ଆଇନତଃ ମାନ୍ୟତା ପ୍ରଦାନ କରାଯିବ। ଇସ୍ରାଏଲ ସରକାର କହିଛନ୍ତି ଯେ ଏହି ନିଷ୍ପତ୍ତି ସୁରକ୍ଷା କାରଣ ଓ ଇହୁଦୀ ନାଗରିକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଆଯାଇଛି। 

ତେବେ ଇସ୍ରାଏଲର ଏହି ଘୋଷଣା ପରେ କ୍ଷେତ୍ରରେ ଉତ୍ତେଜନା ବଢିବାର ଆଶଙ୍କା କରାଯାଉଛି। ପାଲେଷ୍ଟାଇନ ନେତାମାନେ ଇସ୍ରାଏଲର ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି ଇସ୍ରାଏଲର ଏହି ନିଷ୍ପତ୍ତି ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ଓ ଏହା ଦୁଇ ରାଷ୍ଟ୍ର ସିଦ୍ଧାନ୍ତର ବିରୋଧୀ। ପାଲେଷ୍ଟାଇନ ଅଧିକାରୀଙ୍କ କହିବା କଥା ହେଉଛି ଏହି ପଦକ୍ଷେପ ମାଧ୍ୟମରେ ଇସ୍ରାଏଲ ୱେଷ୍ଟବ୍ୟାଙ୍କରେ ନିଜ ସ୍ଥିତିକୁ ଆହୁରି ମଜଭୁତ କରୁଛି। ତେବେ ଅନ୍ତର୍ଜାତୀୟ ସମୂଦାୟ ପ୍ରଥମରୁ ଏପରି ନିଷ୍ପତିକୁ ନେଇ ଆପତ୍ତି କରୁଛନ୍ତି।  ଇସ୍ରାଏଲ ସବୁଥର ଭଳି ଏଥର ମଧ୍ୟ ବସ୍ତିଗୁଡିକୁ ନିଜର ଅଧିକାର କ୍ଷେତ୍ରର ଅଂଶ ବିଶେଷ କହି ଏହାର ସୁରକ୍ଷା ସୁନିଶ୍ଚିତ କରିବାକୁ କହୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.