ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ ଥରହର, ବିଭିନ୍ନ ସ୍ଥାନରେ ୮୬ ଆହତ

Published By : Prameya-News7 Bureau | June 22, 2025 IST

ନୂଆଦିଲ୍ଲୀ ୨୨।୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଗତ ୧୦ ଦିନ ହେଲା ଚାଲିଥିବା ଯୁଦ୍ଧ ରବିବାର ଭୀଷଣ ରୂପ ଧାରଣ କରିଛି। ପୂର୍ବାହ୍ନରେ ଇରାନର ୩ଟି ପରମାଣୁ ଆଡ୍ଡା ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଆକ୍ରମଣ କରିଥିଲା। ତା ପରଠାରୁ ଇସ୍ରାଏଲ ବିରୋଧରେ ଇରାନର ଆକ୍ରମଣ ତୀବ୍ର  ହୋଇଛି। ଏଥିରେ ଇରାନ ଏକକାଳୀନ ୩୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ଇସ୍ରାଏଲର ବିଭିନ୍ନ ସହରରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିବା ବେଳେ ୮୬ରୁ ଅଧିକ ଲୋକେ ଆହତ ହୋଇଥିବାର ସୂଚନା ଆସୁଛି। 

ଇରାନ ଏହି ଆକ୍ରମଣରେ ଇସ୍ରାଏଲ ରାଜଧାନୀ ଜେରୁଜେଲମ ସହିତ ବେନଗୁରିୟନ ଓ ହାଇଫା ଆଦି ସହରାଞ୍ଚଳକୁ ଟାର୍ଗେଟ୍ କରିଛି। ଏଥିରେ ଏୟାରପୋର୍ଟ, ଜୈବିକ ଅନୁସନ୍ଧାନ କେନ୍ଦ୍ର, ଅସ୍ତ୍ରଶସ୍ତ୍ର ଗୋଦାମ ଓ କଣ୍ଟ୍ରୋଲ ଆଣ୍ଡ କମାଣ୍ଡ ସେଣ୍ଟର ପ୍ରଭାବିତ ହୋଇଛି। ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲର ବହୁତଳ ପ୍ରସାଦ ସବୁ ଧ୍ୱଂସସ୍ତୁପରେ ପରିଣତ ହୋଇଥିବା ବେଳେ ଲୋକେ ଏଣେତେଣେ ପଳାୟନ କରୁଥିବା ଦେଖାଯାଉଛି। ଇସ୍ରାଏଲ ସେନା ଲୋକଙ୍କୁ ଧ୍ୱଂସସ୍ତୁପ ତଳୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇବାରେ ଲାଗିଛି। 

ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ କେବଳ ରବିବାର ଆକ୍ରମଣରେ ବିଭିନ୍ନ ସ୍ଥାନରେ ୮୬ ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କ ପରିସ୍ଥିତି ଗୁରୁତର ରହିଛି। ୨ ଜଣଙ୍କ ଅବସ୍ଥା ମଧ୍ୟମ ଓ ୭୭ ଜଣ ପ୍ରାଥମିକ ଉପଚାର ପରେ ହସ୍ପିଟାଲରୁ ଛାଡ ପାଇଛନ୍ତି। ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ ଅନୁସାରେ ଇରାନର ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ହାଇଫା ସହର ଉପରେ ଆକ୍ରମଣ କରିଛି। ଏହି କ୍ଷେପଣାସ୍ତ୍ର ଆକ୍ରମଣ ପୂର୍ବରୁ ଏଠାରେ କୌଣସି ସାଇରନ ବାଜି ନଥିଲା। ଏଣୁ ଅଚାନ ବିସ୍ଫୋରଣ ଶବ୍ଦ ଲୋକଙ୍କୁ ଛାନିଆ କରିଛି। 

ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ଇରାନର ସବୁ କ୍ଷେପଣାସ୍ତ୍ରକୁ ଅଟକାଇବାରେ ସଫଳ ହେଉନି। ଏଣୁ ଏପରି କ୍ଷେପଣାସ୍ତ୍ର ଜନବହୁଳ ଅଞ୍ଚଳରେ ପଡି ବ୍ୟାପକ କ୍ଷୟକ୍ଷତି କରୁଛି। ମଧ୍ୟ ଓ ଉତ୍ତର ଇସ୍ରାଏଲରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ପରେ ସୁରକ୍ଷା ବଳ ନାଗରିକଙ୍କୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବୋମା ସେଲ୍ଟରରେ ରହିବା ପାଇଁ ପରାମର୍ଶ ଦେଇଛି। ଜୁନ ୧୩ ତାରିଖ ଦିନ ଇସ୍ରାଏଲ ପ୍ରଥମେ ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା। ଏହା ପରଠାରୁ ଦୁଇ ଦେଶଙ୍କ ମଧ୍ୟରେ ଯୁଦ୍ଧ ଜାରିଥିବା ବେଳେ ଆମେରିକା ଯୁଦ୍ଧକୁ ଡେଇଁ ପରିସ୍ଥିତିକୁ ଅଧିକ ଜଟିଳ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.