ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ମଧ୍ୟରେ ଜାରି ସଂଘର୍ଷ ଭିତରେ ଆମେରିକାକୁ ଚେତାବନୀ ଦେଇଛି ରୁଷ । ଇରାନ ଉପରେ ସୈନ୍ୟ କାର୍ଯ୍ୟାନୁଷ୍ଠାନଠାରୁ ଦୂରେଇ ରହିବା ପାଇଁ ରୁଷ କହିଛି । ସମାଚାର ଏଜେନ୍ସି ଏଏଫପି ଅନୁସାରେ, ରୁଷ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାରିୟା ଜଖାରୋଭା କହିଛନ୍ତି, 'ଆମେ ୱାଶିଂଟନକୁ ଚେତାବନୀ ଦେଉଛୁ ଯେ ଏସ୍ଥିତିରେ କୌଣସି ସୈନ୍ୟ ପଦକ୍ଷେପ ନନିଆଯିବା ଦରକାର । ଏପରି କରିବା ବିନାଶକାରୀ ହୋଇପାରେ । ଯାହାର ପରିମାଣ ଭୟଙ୍କର ହୋଇପାରେ ।'
ଏହା ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିଥିଲେ । ଦୁଇ ନେତା ଉଭୟ ପକ୍ଷଙ୍କୁ ଯୁଦ୍ଧ ନକରି, କୂଟନୈତିକ ମାଧ୍ୟମରେ ବିବାଦର ସମାଧାନ କରିବା ପାଇଁ ଅପିଲ୍ କରିଛନ୍ତି । ସି ଜିନ୍ପିଙ୍ଗ କହିଛନ୍ତି, ସଂଘର୍ଷରେ ସାମିଲ ଉଭୟ ପକ୍ଷ, ଖାସକରି ଇସ୍ରାଏଲ ତୁରନ୍ତ ଆକ୍ରମଣ ବନ୍ଦ କରିବା ଦରକାର । ଫଳରେ ସ୍ଥିତି ଅଧିକ ଖରାପ ହେବନି ଓ ଯୁଦ୍ଧ ଅନ୍ୟ କ୍ଷେତ୍ରକୁ ବ୍ୟାପିବ ନାହିଁ ।
କ୍ରେମଲିନ୍ ପରାମର୍ଶଦାତା ୟୁରି ଉଶାକୋଭ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଉଭୟ ଦେଶ (ରୁଷ ଏବଂ ଚୀନ୍) ସମାନ ଦୃଷ୍ଟିକୋଣ ରଖନ୍ତି ଏବଂ ଉଭୟ ଇସ୍ରାଏଲର କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି । ଉଭୟ ନେତା ଏହା ମଧ୍ୟ ସହମତ ହୋଇଛନ୍ତି ଯେ ପଶ୍ଚିମ ଏସିଆରେ ଯୁଦ୍ଧ ରୋକିବା ବର୍ତ୍ତମାନ ସବୁଠାରୁ ବଡ଼ ପ୍ରାଥମିକତା । ଜିନ୍ହୁଆ ଅନୁଯାୟୀ ଜିନ୍ପିଙ୍ଗ କହିଛନ୍ତି, 'ଯୁଦ୍ଧବିରତି ଏବଂ ଆକ୍ରମଣ ବନ୍ଦ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆନ୍ତର୍ଜାତୀୟ ବିବାଦ ସମାଧାନ କରିବାର ସଠିକ୍ ଉପାୟ ହେଉଛି ଆଲୋଚନା, ଅସ୍ତ୍ରଶସ୍ତ୍ର ନୁହେଁ ।'
ପୁଟିନ ଏବଂ ଜିନ୍ପିଙ୍ଗଙ୍କ ମଧ୍ୟରେ ଏହି ଆଲୋଚନା ଏପରି ଏକ ସମୟରେ ହୋଇଛି, ଯେତେବେଳେ ପଶ୍ଚିମ ଏସିଆର ପରିସ୍ଥିତି ଖରାପ ହେଉଛି । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସାମରିକ ସଂଘର୍ଷ ନିରନ୍ତର ବୃଦ୍ଧି ପାଉଛି । ଏହି ଉତ୍ତେଜନା ମଧ୍ୟରେ, ଗୁରୁବାର ଇରାନ ଦକ୍ଷିଣ ଇସ୍ରାଏଲର 'ସୋରୋକା ହସ୍ପିଟାଲ' ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରି ପ୍ରତିଶୋଧ ନେଇଥିଲା । ଏହି ଆକ୍ରମଣକୁ ଅତ୍ୟନ୍ତ ଗମ୍ଭୀର ବୋଲି ବିବେଚନା କରାଯାଉଛି ।