'ଗାଜାରେ ନରସଂହାର...',ପ୍ରିୟଙ୍କା ଗାନ୍ଧୀଙ୍କ ବୟାନକୁ ଲଜ୍ଜାଜନକ ଧୋକା କହିଲେ ଇସ୍ରାଏଲ୍ ରାଷ୍ଟ୍ରଦୂତ

Published By : Prameya-News7 Bureau | August 12, 2025 IST

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ଓ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ନରସଂହାର ଟିପ୍ପଣୀ ଉପରେ ଇସ୍ରାଏଲ୍‌ର କଡ଼ା ପ୍ରତିକ୍ରିୟା ସାମନାକୁ ଆସିଛି । ଇସ୍ରାଏଲ୍ ରାଷ୍ଟ୍ରଦୂତ ରୁବେନ ଅଜାର କଂଗ୍ରେସ ସାଂସଦଙ୍କ ବୟାନକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଆପଣଙ୍କ ଧୋକା ଲଜ୍ଜାଜନକ ଅଟେ ଓ କଂଗ୍ରେସ ନେତା ହମାସର ଡାଟା ଉପରେ ବିଶ୍ୱାସ ନକରିବା ଦରକାର । ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ୱାୟନାଡରୁ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଗାଜାରେ ଇସ୍ରାଏଲ୍ ନରସଂହାର କରୁଥିବା ଅଭିଯୋଗ କରିଥିଲେ ।

ପ୍ରିୟଙ୍କା ଲେଖିଥିଲେ, 'ଇସ୍ରାଏଲ୍ ନରସଂହାର କରୁଛି । ସେ ୬୦ ହଜାରରୁ ଅଧିକ ଲୋକଙ୍କୁ ହତ୍ୟା କରିଛି, ଯେଉଁଥିରେ ୧୮,୪୩୦ ପିଲା ଥିଲେ । ଶତାଧିକ ଲୋକଙ୍କୁ ଭୋକରେ ମରିବା ପାଇଁ ବାଧ୍ୟ କରିଛି । ଲକ୍ଷାଧିକ ଲୋକଙ୍କୁ ଭୋକରେ ମରିବା ପାଇଁ ଧମକ ଦେଉଛି ।' ପ୍ରିୟଙ୍କାର ଆହୁରି ଲେଖିଥିଲେ, 'ପାଲେଷ୍ଟାଇନରେ ଅଲ୍ ଜଜିରାର ୫ ସାମ୍ୱାଦିକଙ୍କୁ କରାଯାଇଥିଲା ନିର୍ମମ ହତ୍ୟା ଆଉ ଏକ ଜଘନ୍ୟ ଅପରାଧ ଅଟେ । ଯେଉଁମାନେ ସତ୍ୟ ପାଇଁ ଛିଡ଼ା ହେବାକୁ ସାହସ କରନ୍ତି, ସେମାନଙ୍କ ଅସୀମ ସାହସ ଇସ୍ରାଏଲର ହିଂସା ଓ ଘୃଣା ଆଗରେ କେବେ ଭାଙ୍ଗିବ ନାହିଁ ।'

କଂଗ୍ରେସ ସାଂସଦଙ୍କ ଏହି ବୟାନ ଉପରେ ଇସ୍ରାଏଲ୍ ରାଷ୍ଟ୍ରଦୂତ ରୁବେନ ଅଜାର ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି, 'ଲଜ୍ଜାଜନକ କଥା ହେଉଛି ଆପଣଙ୍କ ଧୋକା । ଇସ୍ରାଏଲ ୨୫,୦୦୦ ହମାସ ଆତଙ୍କବାଦୀଙ୍କୁ ନିପାତ କରିଛି । ମଣିଷ ଜୀବନର ଏହି ଭୟାନକ କ୍ଷତି ହମାସର ଜଘନ୍ୟ ଷଡ଼ଯନ୍ତ୍ର କାରଣରୁ ହୋଇଛି, ଯେଉଁଥିରେ ସେ ନାଗରିକଙ୍କ ପଛରେ ଲୁଚି, ସହାୟତା ପାଇଁ ବାହାରକୁ ଆସିବା ପାଇଁ ଉଦ୍ୟମ କରୁଥିବା ଲୋକଙ୍କୁ ଗୁଳି କରୁଛି । ଇସ୍ରାଏଲ୍ ଗାଜାରେ ୨୦ ଲକ୍ଷ ଟନ୍ ଖାଦ୍ୟ ସାମଗ୍ରୀ ପହଞ୍ଚାଇଛି । ଅନ୍ୟପଟେ ହମାସ୍ ସେହି ସବୁ ସାମଗ୍ରୀକୁ ଜବତ କରିବା ପାଇଁ ଉଦ୍ୟମ କରୁଛି, ଯାହା ପରୋକ୍ଷରେ ଖାଦ୍ୟ ଅଭାବ ସୃଷ୍ଟି କରୁଛି ।' ସେ ଆହୁରି କହିଛନ୍ତି, 'ଗତ ୫୦ ବର୍ଷରେ ଗାଜାର ଜନସଂଖ୍ୟା ୪୫୦ ପ୍ରତିଶତ ବଢିଛି, ସେଠାରେ କୌଣସି ନରସଂହାର ହୋଇନାହିଁ । ହମାସର ତଥ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ ।'

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.