ସରିଆସୁଛି ଖାମେନିଙ୍କ ଯୁଗ: ଇରାନ ପାଇଁ ଆସୁଛି ଭଲ ଦିନ, ଖୁବ୍ ଶୀଘ୍ର ହେବ ଶକ୍ତି ପରିବର୍ତ୍ତନ

Published By : Prameya-News7 Bureau | June 19, 2025 IST

ନୂଆଦିଲ୍ଲୀ: ଏ ଯୁଦ୍ଧ କେବଳ ଅଲୀ ଖାମେନିଙ୍କ ଯୁଦ୍ଧ। ଇରାନ ଲୋକଙ୍କ ନୁହେଁ। ଦୁର୍ବଳ ଶାସନରୁ ମୁକ୍ତି ପାଇବାକୁ ଅପେକ୍ଷା କରିଛନ୍ତି ଇରାନବାସୀ। ଏବେ ସେମାନଙ୍କ ବନ୍ଦୀ ଜୀବନରୁ ମୁକ୍ତି ଦେବ ଇସ୍ରାଏଲ। ଏହି ଯୁଦ୍ଧ ସେମାନଙ୍କୁ ନକରାତ୍ମକ ନୁହେଁ ବରଂ ସକରାତ୍ମକ ପରିଣାମ ଦେବ। ଏହା କହିଛନ୍ତି ଇରାନ ରାଜାଙ୍କ ପୁଅ ରେଜା ଶାହ ପହଲଭି।

ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ରେଜା ଶାହ ପହଲଭି କହିଛନ୍ତି ଯେ ଇସ୍ରାଏଲୀ ଆକ୍ରମଣ ଇରାନ ଲୋକଙ୍କୁ ଆଘାତ ଦେବା ପାଇଁ ନଥିଲା। ଏହି ଆକ୍ରମଣର ଲକ୍ଷ୍ୟ ମୂଳତଃ ଶାସନର ବିପଦକୁ ଟାର୍ଗେଟ୍ କରିବା ଥିଲା। ଇରାନ ନାଗରିକମାନଙ୍କୁ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନଥିଲା।

ରେଜା ଶାହ ପହଲଭିଙ୍କ ଅନୁସାରେ, ଯଦି ଇସ୍ରାଏଲୀ ଆକ୍ରମଣ ଯୋଗୁଁ ଇରାନର ବର୍ତ୍ତମାନର ପ୍ରଶାସନ ଦୁର୍ବଳ ହୁଏ, ତେବେ ଇରାନରେ ପରିବର୍ତ୍ତନର ରାସ୍ତା ଖୋଲିଯିବ। ଇରାନ ଶାସନ ପୂର୍ବ ଅପେକ୍ଷା ଆହୁରି ଦୁର୍ବଳ ହେବା ଯୋଗୁଁ ଏହା ଇରାନବାସୀଙ୍କ ପାଇଁ ମୁକ୍ତ କରିବାର ଏକ ସୁଯୋଗ। ଯଦି ଏହି ଥର ବିଶ୍ୱ ଚୁପ୍ ନରହେ ତେବେ ଇରାନ ଗଣତନ୍ତ୍ର ଏବଂ ସ୍ୱାଧୀନତାର ସ୍ୱାଦ ଚାଖିବ। ଏହି ପଦକ୍ଷେପ ଇରାନରେ କ୍ଷମତା ପରିବର୍ତ୍ତନ ଆଣିବା ପାଇଁ ଆମେରିକା ଏବଂ ଇସ୍ରାଏଲକୁ ଏକ ଆହ୍ୱାନ ବୋଲି କହିଛନ୍ତି ରେଜା। 

ରେଜା ଶାହ ପହଲଭି। ଏହି ନାମଟି କୌଣସି ସାଧାରଣ ନାମ ନୁହେଁ। ଇରାନରେ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ୪ ଦଶନ୍ଧି ଧରି ବିଶ୍ୱ ନେତାଙ୍କୁ ଦାବି କରୁଛନ୍ତି ରେଜା। ରେଜା ଶାହ ପହଲଭିଙ୍କ ପରିବାର ଏକଦା ଇରାନକୁ ଶାସନ କରୁଥିଲେ। ୧୯୭୯ ପର୍ଯ୍ୟନ୍ତ ରେଜା ଶାହ ପହଲଭିଙ୍କ ପିତା ଶାହ ମହମ୍ମଦ ରେଜା ପହଲଭି ଇରାନର ରାଜା ଥିଲେ। 

୩୭ ବର୍ଷ ପୂର୍ବେ ଇରାନରେ ଏକ ମହାନ ବିପ୍ଳବ ଆସିଥିଲା। ଏହି ବିପ୍ଳବ ଇରାନର ଧାର୍ମିକ-ରାଜନୈତିକ ଏବଂ ସାମାଜିକ ଗଠନକୁ ବଦଳାଇ ଦେଇଥିଲା। ଉଦାରବାଦୀ ଇରାନ ଏବେ ଧର୍ମାନ୍ଧତା ଆଡ଼କୁ ଗତି କରିଥିଲା। ଏହି ବିପ୍ଳବର ଫଳସ୍ୱରୂପ ଦୁଇଜଣଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଏହି ଦୁଇ ବ୍ୟକ୍ତି ଥିଲେ ଶାହ ମହମ୍ମଦ ରେଜା ପହଲଭି ଏବଂ ଆୟାତୋଲ୍ଲା ଖୋମେନି।

ଏହି ବିପ୍ଳବ ପରେ ୨୬ ବର୍ଷ ଧରି ଇରାନକୁ ଶାସନ କରୁଥିବା ଶାହ ମହମ୍ମଦ ରେଜା ପହଲଭିଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଥିଲା। ଶାହ ମହମ୍ମଦ ତାଙ୍କର ଜୀବନ ବଞ୍ଚାଇବା ପାଇଁ ମିଶର ଚାଲିଯାଇଥିଲେ। ଏହି ସମୟରେ ୧୪ ବର୍ଷ ଧରି ଇରାକ ଏବଂ ଫ୍ରାନ୍ସରେ ନିର୍ବାସିତ ଜୀବନ ବିତାଉଥିବା ଆୟାତୋଲ୍ଲା ଖୋମେନି ଇରାନକୁ ଫେରି ଆସିଥିଲେ। ଆଉ ଇରାନର ହେଲେ ସର୍ବୋଚ୍ଚ ନେତା। ଇରାନର ବର୍ତ୍ତମାନର ସର୍ବୋଚ୍ଚ ଧାର୍ମିକ ନେତା ଅଲି ଖାମେନି ଆୟାତୋଲ୍ଲା ଖୋମେନିଙ୍କ ଜଣେ ଶିଷ୍ୟ ଥିଲେ।  ୧୯୮୯ ମସିହା ଜୁନ୍ ୩ରେ ଆୟାତୋଲ୍ଲା ଖୋମେନିଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ଉତ୍ତରାଧିକାରୀ ଭାବେ ଅଲୀ ଖାମେନି ହୋଇଥିଲେ ଇରାନର ସୁପ୍ରିମ ଲିଡର୍।

ଶାହ ମହମ୍ମଦ ରେଜା ପହଲଭିଙ୍କ ବଡ଼ ପୁଅ ହେଉଛନ୍ତି ରେଜା ଶାହ ପହଲଭି। ସେ ବର୍ତ୍ତମାନ ଆମେରିକାରେ ରୁହନ୍ତି ଏବଂ ଇରାନ ବିରୋଧୀ ଆନ୍ଦୋଳନର ଏକ ପ୍ରମୁଖ ଚେହେରା। ତାଙ୍କ ନେତୃତ୍ୱରେ ଏହି ଗୋଷ୍ଠୀ ଇରାନରେ ଗଣତାନ୍ତ୍ରିକ ସଂସ୍କାର ଏବଂ ଇସଲାମିକ୍ ଗଣରାଜ୍ୟର ବିଲୋପକୁ ସମର୍ଥନ କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.