ନୂଆଦିଲ୍ଲୀ ୨୪।୦୩: ୧୨୦ ବଲ୍ରେ ୨୮୬ ରନ । ୩୪ ଚୌକା ଓ ୧୨ଟି ବିଶାଳ ଛକା । ଉପଲ ଷ୍ଟାଡିୟମ୍ରେ ହାଇଦ୍ରାବାଦର ଦଳଗତ ପ୍ରଦର୍ଶନ । ଯେଉଁଠି ଶେଷ କରିଥିଲା,ସେଠାରୁ ହିଁ ଆରମ୍ଭ କଲା ବିଜୟ ଅଭିଯାନ । ପ୍ରତିପକ୍ଷ ବୋଲରଙ୍କୁ ନିର୍ମମ ପ୍ରହାର କରିବାକୁ ବ୍ରତ କରିଛି ସନରାଇଜର୍ସ । ଉପଲ ଷ୍ଟାଡ଼ିୟମ୍ରେ ଏକ ରେକର୍ଡ ଭଙ୍ଗା ମ୍ୟାଚ୍ ଦେଖିବାକୁ ମିଳିଥିଲା ।
ଟ୍ରାଭିସେକ ଯୋଡ଼ିଙ୍କ ସହ ନୂଆ ବିସ୍ଫୋରକ ବ୍ୟାଟର ଭାବେ ଯୋଡ଼ି ହୋଇଥିଲେ ପକେଟ ଡାଇନାମୋ ଇଶାନ କିଷନ । ମୁମ୍ବାଇ ଇଣ୍ଡିଆନ୍ସରୁ ବିଦା ହୋଇଥିଲେ । ଆଉ ପରେ ସନରାଇଜର୍ସ ତାଙ୍କୁ କିଣିଥିଲା । ପ୍ରଥମ ମ୍ୟାଚ୍ରେ ହିଁ କିଷନ ନିଜର ଦମ୍ ଦେଖାଇଛନ୍ତି । ସେ ନିଜର ପ୍ରଦର୍ଶନ ବଳରେ ସନରାଇଜର୍ସର ଭରସା ଜିତିଥିଲେ । ୪୭ଟି ବଲ୍ରୁ ୧୧ଚୌକା ଓ ୬ ଛକା ବଳରେ କିଷନ ଅପରାଜିତ ୧୦୬ ରନ ସଂଗ୍ରହ କରିଥିଲେ ।
ଏହା ତାଙ୍କ ଆଇପିଏଲ୍ କ୍ୟାରିୟର୍ର ପ୍ରଥମ ଶତକ ରହିଥିଲା । ଇଶାନ କିଷନ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ସେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆଇପିଏଲରେ ଶତକ ମାରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ଏହାବ୍ୟତୀତ ଏହା ହେଉଛି IPL 2025 ସିଜିନର ପ୍ରଥମ ଶତକ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ସଞ୍ଜୁ ସାମସନ ଓ ଧ୍ରୁବ ଜୁରେଲ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ ।
ଏହି ଇନିଂସରେ ଇଶାନଙ୍କ ବ୍ୟତୀତ ଟ୍ରାଭିସ୍ ହେଡ୍ ୩୧ ବଲରେ ୬୭ ରନ୍ କରିଥିଲେ । ହେନରିଚ୍ କ୍ଲାସେନ୍ ୩୪ ଏବଂ ନୀତିଶ କୁମାର ରେଡ୍ଡୀ ୩୦ ରନ କରିଥିଲେ । ରାଜସ୍ଥାନ ଟିମ୍ ପକ୍ଷରୁ ତୁଷାର ଦେଶପାଣ୍ଡେ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ମହେଶ ତିକ୍ଷଣ ୨ଟି ଏବଂ ସନ୍ଦୀପ ଶର୍ମା ଗୋଟିଏ ୱିକେଟ ନେଇଥିଲେ। ଉପଲରେ ୨୪୦ଟି ବଲ୍ରୁ ସଂଗୃହୀତ ହୋଇଥିଲା ମୋଟ୍ ୫୨୮ ରନ୍ । ଉଭୟ ଦଳର ବ୍ୟାଟର ମାରିଥିଲେ ୩୦ଟି ଛକା ଓ ୫୧ ଚୌକା ।
ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ପାୱାରପ୍ଲେ ଅର୍ଥାତ୍ ପ୍ରଥମ ୬ ଓଭରରେ ୯୪ ରନ୍ କରିଥିଲା । ଏହାପୂର୍ବରୁ ଆଇପିଏଲ୍ର ପାଓ୍ବାର ପ୍ଲେରେ ସବୁଠାରୁ ବଡ ସ୍କୋର୍ ୨୦୨୪ରେ ହୋଇଥିଲା । ହାଇଦ୍ରାବାଦ-ଦିଲ୍ଲୀ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କୌଣସି ଓ୍ବିକେଟ୍ ନ ହରାଇ ସର୍ବାଧିକ ରନ୍ ହୋଇଥିଲା ୧୨୫ । ସେହିବର୍ଷ ହାଇଦ୍ରାବାଦ-ଲକ୍ଷ୍ନୌ ମ୍ୟାଚରେ ହୋଇଥିଲା ୧୦୭ ।
ଏହାପୂର୍ବରୁ ୨୦୧୭ରେ କୋଲକତା-ବେଙ୍ଗାଲୁର ମ୍ୟାଚରେ ୧୦୫ ରନ୍ ହୋଇଥିଲା । ୨୦୧୪ରେ ଚେନ୍ନାଇ-ପଞ୍ଜାବ ବିପକ୍ଷ ମ୍ୟାଚରେ ୧୦୦ ରନ୍ ହୋଇଥିଲା । ସେହିପରି ୨୦୨୫ ଆଇପିଏଲ୍ରେ ହାଇଦ୍ରାବାଦ-ରାଜସ୍ଥାନ ମ୍ୟାଚ୍ରେ ଗୋଟିଏ ଓ୍ବିକେଟ ଯାଇ ୯୪ ରନ୍ ଏବଂ ୨୦୨୪ରେ ପଞ୍ଜାବ ବନାମ କୋଲକାତା ମ୍ୟାଚରେ ପାଓ୍ବାର ପ୍ଲେରେ ହୋଇଥିଲା ୯୩ ରନ୍ ।