LIVE TV

ମାନ୍ଥୋ ମୁକାବିଲା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନ ସଜାଗ, ଆସନ୍ତା ୩୦ ପର୍ଯ୍ୟନ୍ତ ଛୁଟି ବାତିଲ

NEWS7
irrfan-khan-childhood-unseen-pictures-from-rajasthan-tonk

ଭୁବନେଶ୍ଵର: ବାତ୍ୟା ମାନ୍ଥୋ ମୁକାବିଲା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନ ସଜାଗ । ଘନ ଘନ ବୈଠକ ସହ ଜିଲ୍ଲାର ସମସ୍ତ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ବିଭିନ୍ନ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି । ସମୁଦ୍ର କୂଳିଆ ଅଞ୍ଚଳରେ ଲୋକଙ୍କୁସମୁଦ୍ର ମଧ୍ୟକୁ ନଯିବାକୁ ଡାକବାଜି ଯନ୍ତ୍ର ସାହାଯୟରେ ସୂଚନା ଦିଆଯାଉଛି । କେଉଁଠି ମତ୍ସ୍ୟଜୀବୀ ନିଜ ଡଙ୍ଗା ଓଜାଲ ସଜାଡି ବନ୍ଧାବନ୍ଦା କରି ରଖୁଛନ୍ତି ତ ଆଉ କେଉଁଠି ଚାଷୀ ତାର ଫସଲକୁ ସୁରକ୍ଷିତ ରଖିବାରେ ଲାଗି ପଡିଛି।

ବାତ୍ୟା ପାଇଁ କରାଯାଉଛି ଆଲର୍ଟ । ଭଦ୍ରକ ଜିଲ୍ଲା ଚାନ୍ଦବାଲି  ଧାମରା ମୁହାଣ ଚାନ୍ଦିନୀପାଳରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଦିଆଯାଇଛି। ବାତ୍ୟା ମୋନ୍ଥା ଆଶଙ୍କାରେ ପ୍ରଶାସନ ଦ୍ବାରା ସାଗର ମିତ୍ରମାନେ ବିଭିନ୍ନ ସ୍ଥାନରେ ମତ୍ସ୍ୟ ଜୀବୀଙ୍କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ ସୂଚନା ଦେଉଛନ୍ତି । ନିଜର ଡଙ୍ଗା ଓ ଜାଲକୁ ସୁରକ୍ଷିତ ସ୍ଥାନକୁ ନେଇ ଯିବା ଏବଂ ଗଭୀର ସମୁଦ୍ରକୁ ମାଛ ମାରିବାକୁ ନଯିବାକୁ କୁହାଯାଉଛି । ଗଭୀର ସମୁଦ୍ରକୁ ମାଛ ମାରିବାକୁ ଗଲେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅବଗତ କରାଯାଉଛି।

ଦିଗପହଣ୍ଡି(ଗଞ୍ଜାମ ଜିଲ୍ଲା)

ସେହିପରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ଥିବା ଘୋଡ଼ାହାଡ଼ ଜଳ ଭଣ୍ଡାର ଏବଂ ପାତ୍ରପୁର ବ୍ଲକର ବାଘଲଟି ଜଳ ଭଣ୍ଡାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ନଦୀ ତଟବର୍ତ୍ତୀ ଗାଁରେ ସତର୍କ ସୂଚନା ଜାରି କରାଯାଉଛି । ପ୍ରବଳ ବର୍ଷା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଯେକୌଣସି ମୁହୂର୍ତ୍ତରେ ଘୋଡାହାଡ ଡ଼୍ୟାମରୁ ମୁଖ୍ୟ ଫାଟକ ଖୋଲାଯାଇପାରେ ବୋଲି ନଦୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ  ସତର୍କସୂଚନା ଜାରି କରାଯାଇଛି ।ଡ଼୍ୟାମ ପାଣି ଛଡାଯିବା ବେଳେ ଏଥିରେ ଥିବା କୁମ୍ଭୀର ପାଣି ସହ ବାହାରକୁ ଚାଲି ଯାଇପାରେ ବୋଲି ଆଶଙ୍କା ରହିଛି।ତେଣୁ ଲୋକେ ସଜାଗ ରହିବା ସହ ନଦୀ ମଧ୍ୟକୁ ନଯିବାକୁ ଏବଂ ଗୃହପାଳିତ ପ୍ରାଣୀ ମାନଙ୍କୁ ନ ଛାଡ଼ିବା ପାଇଁ ଅନୁରୋଧ କରାଯାଇଛି

ପୁରୀ

ସେହିପରି ପୁରୀ ଜିଲ୍ଲା ପ୍ରଶ୍ନସନ ପକ୍ଷରୁ ବାତ୍ୟା ମୋନ୍ଥା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ଅଗ୍ନିଶମ କର୍ମଚାରୀ ଓ ଲାଇଫ୍ ଗାର୍ଡଙ୍କୁ ସଜାଗ ରଖାଯାଇଛି ।  ସମୁଦ୍ର କୂଳରେ ନାଲି ପତାକା ଲଗାଯାଇଛି। କାଲିଠୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ସ୍ନାନ ଉପରେ କଟକଣା ଲାଗିଛି। ହୋଟେଲ ପିଙ୍କ ହାଉସ ଠାରୁ ଷ୍ଟ୍ରଲିଙ୍ଗ ରିସର୍ଟ ବେଳାଭୂମି ପର୍ଯ୍ୟନ୍ତ ଲାଇଫ ଗାର୍ଡ ମାନଙ୍କୁ ମୁତୟନ କରାଯାଇଛି। ଅନ୍ୟପଟେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀ ମାନେ କୂଳକୁ ଫେରି ଆସିଛନ୍ତି। ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ପ୍ରସ୍ତୁତ ରହିଛି। ଆବଶ୍ୟକ ପଡ଼ିଲେ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଏହି ସ୍ଥାନକୁ ସ୍ଥାନାନ୍ତରିତ କରାଯିବ। ସେହିପରି ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି।

ଗଜପତି

ଗଜପତି ଜିଲ୍ଲାରେ ସମସ୍ତ ସରକାରୀ ଅଧିକାରୀ ଙ୍କ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି। ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ ଗୃହ ଗୁଡିକୁ ପ୍ରସ୍ତୁତ କରାଯାଇଛି। ତଳିଆ ଅଞ୍ଚଳ ଓ ଜିଲ୍ଲାରେ ଥିବା ୧୩୯ଟି ଭୁସ୍ଖଳନ ପ୍ରଭାବିତ ଅଞ୍ଚଳ ଗୁଡିକରେ ଲୋକଙ୍କୁ ମାଇକ ଜରିଆରେ ସଚେତନ କରାଯାଉଛି। ପ୍ରାଥମିକ ସ୍ତରରେ ଗର୍ଭବତୀ ମାଆ ମାନଙ୍କୁ ସମସ୍ତ ମାଆ ଗୃହ ଏବଂ ପ୍ରାଥମିକ ଚିକିତ୍ସାଳୟ ମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଳାପାଳ। ପରବର୍ତ୍ତୀ ସମୟରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ପରିସ୍ଥିତିକୁ ଦେଖି ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରତି ବ୍ଲକ ସ୍ତରରେ ଜଣେ ଜଣେ ନୋଡାଲ ଅଫିସରଙ୍କୁ ଦାଇତ୍ବ ଦିଆଯାଇଛି। ବ୍ଲକ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ବ୍ୟବସ୍ଥା କରାଯାଇଛି।  ଦୁଇଟି ଓଡ୍ରାଫ ଟିମ ଆସନ୍ତା କାଲି ସକାଳେ ସୁଦ୍ଧା ପାରଳାଖେମୁଣ୍ଡିରେ ଆସି ପହଞ୍ଚିବେ ଏବଂ ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରାୟଗଡ଼ା

ବାତ୍ୟା ମୁକାବିଲା ପାଇଁ ରାୟଗଡା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ କରାଯାଇଛି ।  ସମସ୍ତ ବ୍ଲକର ବିଡିଓ ଏବଂ ତହସିଲଦାରଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବିଶେଷ କରି ଜିଲ୍ଲାର ନିୟମଗିରି,ଗୁମାଘାଟି ଓ ପୁଟାସିଂ ଅଞ୍ଚଳରେ ଅଧିକ ଭୂସ୍ଖଳନ ହେଉଥିବା ଯୋଗୁଁ ଅଧିକାରୀ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏଥିସହ ସେହି ସ୍ଥାନରେ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମୁତୟନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି। ପାହାଡିଆ ଅଞ୍ଚଳ ହୋଇଥିବା ଯୋଗୁଁ ରାସ୍ତାରେ ଗଛ ପଡି ଯେପରି ରାସ୍ତା ଅବରୋଧ ନହୁଏ ସେ ନେଇ ବ୍ୟବସ୍ଥା କରାଯାଇଥିବା ବେଳେ ଜେସିବି ମେସିନ୍ ଗୁଡିକ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି।

ଗଞ୍ଜାମ

ସେହିପରି ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ  ଆସନ୍ତା ୩୦ ତାରିଖ ପ୍ରର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି।  ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡିବାକୁ କୁହାଯାଇଛି।  ବ୍ଲକ ସ୍ତରରେ  ୨୪ ଘଂଟିଆ କଟ୍ରୋଂଲ ରୁମ ଖୋଲାଯାଇଛି । ୧୧୦ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳି ସଜାଗ ରଖାଯିବା ସହ କିଛି ସ୍କୁଲ ମଧ୍ୟ ଚିହ୍ନଟ କରି ରଖାଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି। ଅଗ୍ନିଶ୍ରମ ଓ ଓଡ୍ରାଫ ଟିମ ସହ ସମସ୍ତ ଲାଇନ ବିଭାଗ ସଜାଗ ଅଛନ୍ତି। ମତ୍ସ୍ୟଜୀବୀମାନେ ସେମାନଙ୍କ ଜାଲ ଓ ଡ଼ଙ୍ଗାକୁ ସୁରକ୍ଷିତ ଭାବେ ରଖୁଥିବା ଦେଖିବାକୁ ମିଳୁଛି | ଗୋପାଳପୁର ବେଳାଭୂମିରେ ଲାଇଫ ଗାର୍ଡକୁ ଆଲର୍ଟ ରଖା ଯାଇଛି ।

ସେହିପରି ଜଗତସିଂହପୁର ଜିଲା ପ୍ରଶାସନ ବାତ୍ୟା ପାଇଁ ସଜାଗ ରହିଥିବା ବେଳେ ଜିଲାରେ ଅଗ୍ନିଶମ ବାହିନୀ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ଯେ କୌଣସି ପରିସ୍ଥିତି ର ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଥିବା ବେଳେ ଆଗ୍ନିକମାନେ ଯନ୍ତ୍ରପାତି ଗୁଡିକୁ ମଧ୍ୟ ପ୍ରସ୍ତୁତ କରିଛନ୍ତି ।