ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ମଧ୍ୟରେ ତିକ୍ତତା ଜାରି ରହିଛି । କେତେବେଳେ ବି ଯୁଦ୍ଧ ରଣଭୂମିକୁ ଡେଇଁ ପାରନ୍ତି ଦୁଇ ଦେଶ । ଇରାନ୍ ସେନା ଇସ୍ରାଏଲ ଉପରେ ୩୦୦ରୁ ଅଧିକ ମିସାଇଲ୍ ଏବଂ ଡ୍ରୋନ ମାଡ କରିବା ପରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଆମେରିକା, ଫ୍ରାନ୍ସ, ଭାରତ ସମେତ କିଛି ଦେଶ ଏହାକୁ ଦୃଢ ନିନ୍ଦା କରିଛନ୍ତି । ସେପଟେ ଏହାର ପାଲଟା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ୍ । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପାଲଟା ଆକ୍ରମଣ ନେଇ ଚରମବାଣୀ ଶୁଣାଇଛନ୍ତି । ଆଇଡିଏଫ୍ ଇରାନର ପରମାଣୁ ଠିକଣାକୁ ଟାର୍ଗେଟ୍ କରିପାରେ ବୋଲି କୁହାଯାଉଛି । ଇସ୍ରାଏଲ୍ କ୍ୟାବିନେଟ୍ ଆକ୍ରମଣ ପାଇଁ ସମର୍ଥନ କରିଛି । ମାତ୍ର ହମଲା କେଉଁଠି ହେବ ଏବଂ କେମିତି ହେବ ଏହା ଉପରେ କୌଣସି ସୂଚନା ନାହିଁ ।
ବିଦେଶୀ ଗଣମାଧ୍ୟମ ସୂଚନା ମୁତାବକ, ଇସ୍ରାଏଲ ଡିଫେନ୍ସ ଫୋର୍ସ କୌଣସି ମୂହୁର୍ତ୍ତରେ ଇରାନ ଉପରେ ଆକ୍ରମଣ କରିପାରେ । ବିଶେଷ କରି ଆଇଡିଏଫ ଇରାନର ପରମାଣୁ କେନ୍ଦ୍ର ଠିକଣାକୁ ଟାର୍ଗେଟ୍ କରିପାରେ । ରିପୋର୍ଟ ଅନୁଯାୟୀ, ଇରାନ ଅନେକ ପରମାଣୁ ଠିକଣା ଇସ୍ରାଏଲ ଟାର୍ଗେଟ୍ କରିଛି । ଏଥିରେ ନତାଞ୍ଜ, ଇସ୍ପହାନ, ଅରାକ୍, ଫୋରହଦୋ ଏବଂ ବୁସ୍ହରର ପରମାଣୁ କେନ୍ଦ୍ର କରିଛି । ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଡିରେଲ୍ କରିବାକୁ ପ୍ରୟାସ ଚଳାଇଛି ଇସ୍ରାଏଲ୍ ।
ଇସ୍ରାଏଲର ଏଭଳି ଆକ୍ରମଣକୁ ଆଶଙ୍କା କରି ଅନ୍ତର୍ଜାତିକ ପରମଣୁ ଉର୍ଜା ଏଜେନ୍ସି ଆଲର୍ଟରେ ରହିଛି । ଆଇଏଇଏ ମହାନିର୍ଦ୍ଦେଶକ ରାଫେଲ୍ ଗ୍ରୋସି କହିଛନ୍ତି, ଇରାନ ପରମାଣୁ କେନ୍ଦ୍ର ଉପରେ ହମଲାକୁ ନେଇ ଚିନ୍ତା ବଢ଼ିଛି । ସେ ଆହୁରି ମଧ୍ୟ କହିଛନ୍ତି, ନୀରିକ୍ଷଣ ଦାୟିତ୍ବରେ ଥିବା ତାଙ୍କ ପ୍ରତିନିଧିଙ୍କୁ ଗୋଟିଏ ଦିନ ପୂର୍ବରୁ ଇରାନ ସରକାର କହିଛନ୍ତି ଏହି ସବୁ ପରମାଣୁ କେନ୍ଦ୍ରର ସେ ରକ୍ଷଣାବେକ୍ଷଣ ନେଇ ପାରିବେ ନାହିଁ । ଏହା ସହିତ ସୁରକ୍ଷା କାରଣରୁ ସାଇଟ୍ ବନ୍ଦ କରାଯାଇଛି ବୋଲି କୁହାଯାଇଛି । ଅନ୍ୟପଟେ ରାଫେଲ୍ ଗ୍ରୋସି କହିଛନ୍ତି, ଏହି ପରମାଣୁ ଉର୍ଜା କେନ୍ଦ୍ର ଗୁଡ଼ିକୁ ନୀରିକ୍ଷଣ ପାଇଁ ପୁଣି ଥରେ ଖୋଲାଯିବ ।