ଆଇପିଏସ ସ୍ୱପ୍ନ ଦେଖୁଥିବା ପୂଜା ହାତେଇଲେ 'ସ୍ଲିପ୍ ଚାମ୍ପିଅନ ଅଫ୍‌ ଦ ଇୟର' ଟାଇଟଲ, ୯ ଘଣ୍ଟା ଶୋଇ ଜିତିଲେ ୯ ଲକ୍ଷ ଟଙ୍କା

Published By : Prameya-News7 Bureau | July 17, 2025 IST

ନୂଆଦିଲ୍ଲୀ ୧୭।୦୭: ଭାରତର ‘ସ୍ଲିପ୍‌ ଚାମ୍ପିଅନ୍‌ ଅଫ୍‌ ଦ ଇୟର’ ଟାଇଟଲ୍‌ ଜିତିଛନ୍ତି ପୁନେର ଆଇପିଏସ୍‌ ପ୍ରତ୍ୟାଶୀ ପୂଜା ମାଧବ ୱାଭହଲ। ଫର୍ନିଚର୍‌ ବ୍ରାଣ୍ଡ୍‌ ୱେକ୍‌ଫିଟ୍‌ ପକ୍ଷରୁ ବେଙ୍ଗାଲୁରୁରେ  ଆୟୋଜିତ ୬୦ ଦିନିଆ ନିଦ ଇଣ୍ଟର୍ନସିପ୍‌ରେ ପ୍ରତିଯୋଗିତା  କରି ସେ ଏହି ଟାଇଟଲ୍‌ର ଅଧିକାରିଣୀ ହୋଇଛନ୍ତି । ୧୪  ଅନ୍ୟ ଚୂଡ଼ାନ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଶୀର୍ଷ   ସ୍ଥାନ ହାସଲ କରିଛନ୍ତି । ପ୍ରତ୍ୟେକ ରାତିରେ ହାରାହାରି ୯  ଘଣ୍ଟା ଶୋଇ ସେ ୯.୧ ଲକ୍ଷ ଟଙ୍କା ପୁରସ୍କାର ଲାଭ କରିଛନ୍ତି ।  

ଭାରତରେ ବଢୁଥିବା ନିଦ୍ରାଭାବ ଉପରେ ସଚେତନତା ସୃଷ୍ଟି  ଏହି ନିଦ ଇଣ୍ଟର୍ନସିପ୍‌ର ଉଦ୍ଦେଶ୍ୟ । ସ୍ଲିପ୍‌ ଇଣ୍ଟର୍ନସିପ୍‌ର ଏହା  ଥିଲା ୪ର୍ଥ ସଂସ୍କରଣ । ୧ ଲକ୍ଷରୁ ଅଧିକ ପ୍ରତିଯୋଗୀ ଏହି  କାର୍ଯ୍ୟକ୍ରମ ପାଇଁ ଆବେଦନ କରିଥିଲେ । କିନ୍ତୁ ୧୫ ଜଣ   ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ସମସ୍ତଙ୍କୁ ୱେକ୍‌ଫିଟ୍‌  ବ୍ରାଣ୍ଡ୍‌ର ଗଦି ପ୍ରଦାନ କରାଯାଇଥିଲା । ପ୍ରତି ରାତିରେ  ସେମାନଙ୍କ ନିଦ୍ରା ଅଭ୍ୟାସ ଉପରେ ନଜର ରଖିବାକୁ ଏକ  କଣ୍ଟାକ୍ଟଲେସ୍‌ ସ୍ଲିପ୍‌ ଟ୍ରାକର୍‌ ବି ଦିଆଯାଇଥିଲା ।  ଇଣ୍ଟର୍ନସିପ୍‌ ସମୟରେ ପ୍ରତିଯୋଗୀମାନେ ନିଦ୍ରା-ବୃଦ୍ଧିକାରୀ  କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଉତ୍ତମ ନିଦ୍ରା  ଅଭ୍ୟାସର ପ୍ରୋତ୍ସାହନ ଲାଗି ଦୈନିକ ଚାଲେଞ୍ଜ୍‌ ମଧ୍ୟ   ସ୍ଥିର କରାଯାଇଥିଲା । ପ୍ରତିଯୋଗୀଙ୍କୁ କିଛି ମଜାଦାର  କାମ ଦିଆଯାଇଥିଲା । ଆଖିରେ ଅନ୍ଧପୁଟୁଳି ବାନ୍ଧି ବିଛଣା  ପ୍ରସ୍ତୁତ କରିବା, ଆଲାର୍ମ ଘଡ଼ି ଖୋଜିବା ଏବଂ ଶେଷରେ   ସେମାନଙ୍କ ଶୃଙ୍ଖଳା ଓ ଧୈର୍ଯ୍ୟ ପରୀକ୍ଷା ଲାଗି ନିଦ୍ରା ଅବକାଶ  ଦିଆଯାଇଥିଲା । 

ପୂଜା ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ୯୧.୩୬ ସ୍କୋର୍‌  କଲେ ଏବଂ ଟାଇଟଲ୍‌ ସହିତ ନଗଦ ପୁରସ୍କାର ଜିତିଲେ ।  ଇଣ୍ଟର୍ନସିପ୍‌ରେ ପ୍ରତିଯୋଗିତା କରିଥିବା ସମସ୍ତ ୧୫ ଜଣଙ୍କୁ  ସେମାନଙ୍କ ପ୍ରୟାସ ଲାଗି ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର  ପ୍ରଦାନ କରାଗଲା । ଉଲ୍ଲେଖଯୋଗ୍ୟ, ଇଣ୍ଟର୍ନସିପ୍‌ର ପ୍ରଥମ   ସଂସ୍କରଣ ୨୦୧୯ରେ ଆରମ୍ଭ ହୋଇଥିଲା । ୪ର୍ଥ ସଂସ୍କରଣ  ଶେଷ ହେବା ସହିତ ଏହା ଲକ୍ଷାଧିକ ଆବେଦନକାରୀଙ୍କ  ଧ୍ୟାନ ଆକର୍ଷଣ କରିଛି । ପ୍ରତି ବର୍ଷ ଚୟନ ହୋଇଥିବା  ପ୍ରତିଯୋଗୀ ବା ‘ସ୍ଲିପ୍‌ ଇଣ୍ଟର୍ନ’ଙ୍କୁ ଲଗାତାର ୬୦ ଦିନ   ପାଇଁ ପ୍ରତି ରାତିରେ ଅତିକମ୍‌ରେ ୯ ଘଣ୍ଟା ଶୋଇବା  ପାଇଁ ଟଙ୍କା ଦିଆଯାଏ । ଏହାର ଉଦ୍ଦେଶ୍ୟ ନିଦ ଗୁଣବତ୍ତାକୁ  ଯାଞ୍ଚ୍‌ କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.