ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଯୁଦ୍ଧ ଆଶଙ୍କା ବଢିବାରେ ଲାଗିଛି। ପାକିସ୍ତାନ ସଂଲଗ୍ନ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି। ଏହି ଉତ୍ତେଜନାର ପ୍ରଭାବ ଏବେ ଆଇପିଏଲ୍ ୨୦୨୫ ଉପରେ ପଡ଼ିଛି। ସୁରକ୍ଷା ଦୃଷ୍ଟିକୋଣରୁ ଆଇପିଏଲ୍ ସିଡ୍ୟୁଲରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଗୋଟିଏ ମ୍ୟାଚ୍ର ଭେନ୍ୟୁ ବଦଳା ଯାଇଛି।
ମେ ୧୧ ତାରିଖରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍ ଧର୍ମଶାଳାରେ ଖେଳା ଯିବାର ଥିଲା। ମାତ୍ର ଏବେ ଏଥିରେ ପରିବର୍ତ୍ତନ କରାଯାଇଛି। ମ୍ୟାଚ୍କୁ ବିସିସିଆଇ ଅହମ୍ମଦାବାଦକୁ ସ୍ଥାନାନ୍ତର କରିଛି। ଗୁଜରାଟ କ୍ରିକେଟ୍ ସଂଘ ଏହାର ସୂଚନା ଦେଇଛି। ସଂଘର ସଂପାଦକ ଅନିଲ ପଟେଲ୍ କହିଛନ୍ତି, ବିସିସିଆଇ ମୁମ୍ବାଇ ବନାମ ପଞ୍ଜାବ ମ୍ୟାଚ୍କୁ ଅହମ୍ମଦାବାଦକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା। ଯାହାକୁ ରାଜ୍ୟ କ୍ରିକେଟ୍ ବୋର୍ଡ ସ୍ଵୀକାର କରିବା ସହ ମ୍ୟାଚ୍ ଆୟୋଜନ ପାଇଁ ସବୁଜ ସଙ୍କେତ ଦେଇଛି। ସିଡ୍ୟୁଲ ପରିବର୍ତ୍ତନ ପରେ ମୁମ୍ବାଇ ଦଳ ଆଜି ସନ୍ଧ୍ୟାରେ ଅହମ୍ମଦାବାଦରେ ପହଞ୍ଚିଯିବ। ଏହା ପରେ ପଞ୍ଜାବ ଦଳ ମଧ୍ୟ ଯଥା ଶୀଘ୍ର ଅହମ୍ମଦାବାଦରେ ପହଞ୍ଚିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଅପରେସନ ସିନ୍ଦୂର ପରେ ପାକିସ୍ତାନ ସହ ଉତ୍ତେଜନା ବଢିବା କାରଣରୁ ଧର୍ମଶାଳା, ଜମ୍ମୁ ଓ ଚଣ୍ଡିଗଡ଼ ସହିତ ଅନେକ ବିମାନ ବନ୍ଦରକୁ ବନ୍ଦ କରାଯାଇଛି। ଏହା ମଧ୍ୟରେ ଆଜି ଧର୍ମଶାଳାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କାରଣ ଦୁଇ ଦଳ ପୂର୍ବରୁ ଧର୍ମଶାଳାରେ ପହଞ୍ଚି ସାରିଥିଲେ। ପଞ୍ଜାବ ଟିମ୍ର ଦ୍ଵିତୀୟ ଘରୋଇ ମଇଦାନ ହେଉଛି ଧର୍ମଶାଳା। ଆଜି ସେଠାରେ ଦିଲ୍ଲୀ ବିପକ୍ଷରେ ମ୍ୟାଚ୍ ଖେଳିବା ପରେ ମେ ୧୧ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ୍ ଥିଲା। କିନ୍ତୁ ଏବେ ପଞ୍ଜାବକୁ ଅହମ୍ମଦାବାଦ ଯିବାକୁ ପଡ଼ିବ। ଆଉ ଏହି ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଅର୍ଥାତ ଅହମ୍ମଦାବାଦରେ ଖେଳାଯିବ।