ନୂଆଦିଲ୍ଲୀ: ରୋମାଞ୍ଚକର ହେବ ପ୍ରଥମ କ୍ୱାଲିଫାୟାର। ମୁହାଁମୁହିଁ ହେବେ ପଞ୍ଜାବ- ବେଙ୍ଗାଲୁରୁ। ମୁଲାନପୂର ମୈଦାନକୁ ଓହ୍ଲାଇବେ ରଜତ ସେନା। ମୁକାବିଲା ପାଇଁ ଶେୟସ ବାହିନୀ ପ୍ରସ୍ତୁତ। ଫ୍ୟାନ୍ସଙ୍କ ମନରେ ଉତ୍କଣ୍ଠା। ସେପଟେ ବର୍ଷାକୁ ନେଇ ଆଶଙ୍କା। ଯଦି ମ୍ୟାଚ୍ ବାତିଲ ହୁଏ ତେବେ କଣ ହେବ ? କିଏ ପାଇବ ଫାଇନାଲ ଟିକେଟ୍? ପ୍ଲେଅଫ୍ରେ ମ୍ୟାଚ ବାତିଲ ହେଲେ କଣ ରହିଛି ନିୟମ?
ନ୍ୟୁ ଚଣ୍ଡିଗଡ଼ର ମୁଲାନପୁର ଷ୍ଟାଡିୟମରେ ଖେଳାଯିବ ପ୍ରଥମ କ୍ୱାଲିଫାୟର। ଲିଗ୍ ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନ ଦଖଲ କରିଥିବା ପଞ୍ଜାବ କିଙ୍ଗସ୍ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସାମ୍ନାସାମ୍ନି ହେବେ। ବିଜୟୀ ଦଳ ସିଧା ଫାଇନାଲ୍ରେ ସ୍ଥାନ ପକ୍କା କରିବ । ପରାଜିତ ଦଳ ପାଇଁ ଆଉ ଏକ ସୁଯୋଗ ରହିବ । ଏଲିମିନେଟର ମୁକାବିଲାର ବିଜୟୀ ଦଳ ବିପକ୍ଷରେ ଦ୍ୱିତୀୟ କ୍ୱାଲିଫାୟର ଖେଳି ଫାଇନାଲ ପାଇଁ ଆଉଥରେ ପ୍ରୟାସ କରିପାରିବ । ଉଭୟ ଦଳ ଚମତ୍କାର ଫର୍ମରେ ରହିଛନ୍ତି। ୯ଟି ଲେଖାଏଁ ମ୍ୟାଚ୍ ଜିତି ମନୋବଳ ଦୃଢ ରଖିଛନ୍ତି । ତେଣୁ ଆଜିର ମ୍ୟାଚ୍ରେ ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମୁକାବିଲା।
କିନ୍ତୁ ଯଦି IPL 2025 ପ୍ଲେଅଫ୍ ମ୍ୟାଚ୍ ଯେପରିକି କ୍ୱାଲିଫାୟର୍-1, କ୍ୱାଲିଫାୟର୍-2 ଏବଂ ଏଲିମିନେଟର୍ ମ୍ୟାଚ୍ ଖରାପ ପାଗ କିମ୍ବା ଅନ୍ୟ କୌଣସି କାରଣରୁ ବାତିଲ ହୋଇଯାଏ ତେବେ କ’ଣ ହେବ? ଏମିତି ଅନେକ ପ୍ରଶ୍ନ ପ୍ରଶଂସକଙ୍କ ମନରେ ଆସୁଛି।
ଏହି ସମ୍ପର୍କରେ IPL 2025 ପ୍ଲେଅଫ୍ ଉପରେ ନଜର ପକାଇବା ସମୟରେ, ବହୁତ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। IPLର ନୂଆ ଖେଳ ସର୍ତ୍ତାବଳୀ ୨୨ମେ ୨୦୨୫ରୁ କାର୍ଯ୍ୟକାରୀ ହୋଇଛି। ଏଥିରେ ମୋଟ ୧୧୫ ପୃଷ୍ଠା ଅଛି। ତେବେ ଏ ବିଷୟରେ ସୂଚନା ପୃଷ୍ଠା ନମ୍ବର ୨୯ରେ ଦିଆଯାଇଛି। ଅର୍ଥାତ୍ ଯଦି ମ୍ୟାଚ୍ ଟାଇ ହୁଏ କିମ୍ବା ଏହାର ଫଳାଫଳ ବାହାରି ନ ଥାଏ ତେବେ କ'ଣ ହେବ?
୧୬.୧୧.୧ ପଏଣ୍ଟରେ ଉଲ୍ଲେଖ ଅଛି ଯେ ସମ୍ପୃକ୍ତ ଦଳଗୁଡ଼ିକ ଏକ ସୁପର ଓଭର ଖେଳିବେ। ଆବଶ୍ୟକ ହେଲେ, ଅଧିକ ସୁପର ଓଭର ଖେଳାଯିବ, ଯାହା ଦ୍ଵାରା ସେହି ମ୍ୟାଚ୍ର ବିଜୟୀ ଦଳ କିଏ ହେବ ତାହା ସ୍ଥିର କରାଯାଇପାରିବ। ଯଦି ସମୟ ମଧ୍ୟରେ ଏକ ସୁପର ଓଭର କିମ୍ବା ଅନ୍ୟାନ୍ୟ ସୁପର ଓଭର ପରିଚାଳନା କରିବା ସମ୍ଭବ ନହୁଏ, ତେବେ ସେହି ପରିସ୍ଥିତିରେ ସମ୍ପୃକ୍ତ ନିୟମିତ ସିଜିନ ଶେଷରେ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ଥିବା ଦଳକୁ ବିଜେତା ବିବେଚନା କରାଯିବ। ଏପରି ପରିସ୍ଥିତିରେ ସମାନ ଦଳକୁ ସମ୍ପୃକ୍ତ ପ୍ଲେ-ଅଫ୍ ମ୍ୟାଚ୍ର ବିଜେତା ବିବେଚନା କରାଯିବ।
IPLରେ କ୍ୱାଲିଫାୟର ଏବଂ ଏଲିମିନେଟର ମ୍ୟାଚ୍ଗୁଡ଼ିକରେ କୌଣସି ରିଜର୍ଭ ଡେ ନାହିଁ। ପ୍ରସଂଗ ହେଉଛି, ଏପର୍ଯ୍ୟନ୍ତ IPLରେ କ୍ୱାଲିଫାୟର ଏବଂ ଏଲିମିନେଟର ମ୍ୟାଚ୍ଗୁଡ଼ିକ ବର୍ଷା ଯୋଗୁଁ କେବେ ବାତିଲ ହୋଇନାହିଁ। ବର୍ଷାକୁ ଦୃଷ୍ଟିରେ ରଖି BCCI ଦୁଇ ଘଣ୍ଟାର ଅତିରିକ୍ତ ସମୟ ରଖିଛି। ଅର୍ଥାତ୍, ଯଦି ମ୍ୟାଚ୍ 9:30 ରେ ଆରମ୍ଭ ହୁଏ, ତେବେ ମ୍ୟାଚ୍ଟି ସମ୍ପୂର୍ଣ୍ଣ 20 ଓଭର ପାଇଁ ଖେଳାଯିବ। ଯଦି ବର୍ଷା ଯୋଗୁଁ ମ୍ୟାଚ୍ଟି ଖେଳାଯାଏ ନାହିଁ, ତେବେ ଲିଗ୍ ପର୍ଯ୍ୟାୟରେ ପଏଣ୍ଟ ଟେବୁଲ୍ର ଶୀର୍ଷରେ ଥିବା ଦଳ ଆଗକୁ ବଢ଼ିବ। ଅର୍ଥାତ୍, ସେହି ମ୍ୟାଚ୍ର ବିଜେତା ହେବ। ଟାଇଟଲ୍ ମ୍ୟାଚ୍ ପାଇଁ ରିଜର୍ଭ ଡେ ରଖାଯାଇଛି। ଆଇପିଏଲ ପ୍ରଥଂମ କ୍ୱାଲିଫାୟର ଗୁରୁବାର ଖେଳାଯାଉଛି। ଶୁକ୍ରବାର ଅର୍ଥାତ ୩୦ରେ ଏଲିମିନେଟର ଖେଳାଯିବ। ଆସନ୍ତା ଜୁନ୍ ୧ ରବିବାର ଖେଳାଯିବ ଫାଇନାଲ ମ୍ୟାଚ୍।