ମୁମ୍ବାଇ: ସୂର୍ଯ୍ୟ କୁମାର ଯାଦବ ଓ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂରେ ଦୁଲୁକିଲା ଓ୍ଵାଙ୍ଖେଡ଼େ ଷ୍ଟାଡିୟମ। ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁର ଦ୍ଵାରା ଧାର୍ଯ୍ୟ ୧୯୭ ରନର ବିଜୟ ଲକ୍ଷ୍ୟ ବହୁତ ଛୋଟ ପଡ଼ିଗଲା। ୪.୩ ଓଭର ବଳକା ଥାଇ ମ୍ୟାଚ୍କୁ ଏକତରଫା ଭାବେ ୭ ଓ୍ଵିକେଟ୍ରେ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ସୂର୍ଯ୍ୟ କୁମାର ୧୯ ବଲରୁ ୫୨ ରନର ବିସ୍ଫୋରକ ଇନିଂସ ଖେଳି ମ୍ୟାଚ୍କୁ ସଂପୂର୍ଣ୍ଣ ଏକତରଫା କରିଥିବା ବେଳେ ଇଶାନ କିଶନ ମଧ୍ୟ ୩୪ ବଲରୁ ୬୯ ରନର ଧୂଆଁଧାର ଇନିଂସ ଖେଳି ବିଜୟର ମୂଳଦୁଆ ପକାଇଥିଲେ। ରୋହିତ ୩୮ ରନ କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଫାଫ ଡୁ ପ୍ଲେସିସ୍ଙ୍କ ୬୧ ରନ, ରଜତ ପାଟିଦାରଙ୍କ ୫୦ ରନ ଓ ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ୫୩ ରନ ବଳରେ ୮ ଓ୍ଵିକେଟ୍ ହରାଇ ୧୯୬ ରନ କରିଥିଲା। ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନକୁ ଉଠିଥିବା ବେଳେ ଷଷ୍ଠ ମ୍ୟାଚ୍ରୁ ପଞ୍ଚମ ପରାଜୟ ଭୋଗି ନବମ ସ୍ଥାନରେ ରହିଛି। ଚଳିତ ସିଜିନରେ କ୍ରମାଗତ ଚତୁର୍ଥ ପରାଜୟ ଭୋଗିଛି ଆରସିବି।
Also read: ଟି-୨୦ ବିଶ୍ଵକପ୍ରୁ ବାଦ୍ ପଡ଼ି ପାରନ୍ତି ଏହି ୫ ଖେଳାଳି, IPLରେ କରିଛନ୍ତି ନିରାଶଜନକ ପ୍ରଦର୍ଶନ
୧୯୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଓପନର ଇଶାନ କିଶନ ଓ ରୋହିତ ଶର୍ମା ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ଆରସିବି ବୋଲିଂ ଆକ୍ରମଣକୁ ଧ୍ଵସ୍ତ କରିଥିଲେ। ବିଶେଷ କରି ଇଶାନ କିଶନ ଧୂଆଁଧାର ବ୍ୟାଟିଂ କରିଥିଲେ। ମାତ୍ର ୮.୫ ଓଭରରେ ଓପନିଂ ଓ୍ଵିକେଟ୍ରେ ରୋହିତ ଓ ଇଶାନ ୧୦୧ ରନ ଯୋଡ଼ି ମୁମ୍ବାଇର ବିଜୟ ସୁନିଶ୍ଚିତ କରିଥିଲେ। ଇଶାନ କିଶନ ଅର୍ଦ୍ଧଶତକ ହାସଲ କରିବା ସହ ମାତ୍ର ୩୪ ବଲରୁ ୭ ଚୌକା ଓ ୫ ଛକା ସହ ୬୯ ରନର ଧମାକାଦାର ଇନିଂସ ଖେଳିଥିଲେ। ରୋହିତ ମଧ୍ୟ ୩୮ ରନର ଉପଯୋଗୀ ବ୍ୟାଟିଂ କରିଥିଲେ।
ଇଶାନ ଆଉଟ୍ ହେବାପରେ କ୍ରିଜକୁ ଓହ୍ଲାଇବା ମାତ୍ରେ ସୂର୍ଯ୍ୟକୁମାର ଯାଦବଙ୍କ ସୁନାମୀ ଦେଖିବାକୁ ମିଳିଥିଲା। ଆରସିବି ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରତି ବଲ୍ରେ ଛକା ଓ ଚୌକା ବର୍ଷା କରିଥିଲେ ସୂର୍ଯ୍ୟ। ସେ ମାତ୍ର ୧୭ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ୧୯ ବଲରୁ ୫ ଚୌକା ଓ ୪ ଛକା ବଳରେ ୫୨ ରନର ବିଧ୍ଵଂସୀ ଇନିଂସ ଖେଳି ମ୍ୟାଚ୍କୁ ଏକତରଫା କରି ଦେଇଥିଲେ। ଆଉ ବିଜୟ ଔପଚାରିକତା ପୂରଣ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମା। ହାର୍ଦ୍ଦିକ ମାତ୍ର ୬ ବଲରୁ ୩ ଛକା ସହ ୨୧ ରନ କରି ମ୍ୟାଚ୍କୁ ୧୫.୩ ଓଭରରେ ଶେଷ କରିଥିଲେ। ତିଳକ ବର୍ମା ୧୬ ରନ କରି ଅପରାଜିତ ଥିଲେ। ମୁମ୍ବାଇ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ତ୍ରାହି ତ୍ରାହି ଡାକିଥିଲେ ଆରସିବି ବୋଲର।
RCB ଇନିଂସ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁକୁ ପ୍ରଥମରୁ ବଡ଼ ଝଟକା ଲାଗିଛି। ଫର୍ମରେ ଥିବା ବିରାଟ କୋହଲି ୩ ରନ କରି ପାଭିଲିୟନ ଫେରିଥିଲେ। ଓ୍ଵିଲ ଜ୍ୟାକ୍ସ(୮) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ଏହା ପରେ ଅଧିନାୟକ ଫାଫ ଡୁ ପ୍ଲେସିସ୍ ଓ ରଜତ ପାଟିଦାର ମୁମ୍ବାଇ ବୋଲରଙ୍କ ଉପରେ କାଉଣ୍ଟର ଆଟାକ କରିଥିଲେ। ବିଶେଷ କରି ରଜତ ପାଟିଦାର ବିସ୍ଫୋରକ ଇନିଂସ ଖେଳିଥିଲେ। ଦୁଇ ବ୍ୟାଟର ୩ୟ ଓ୍ଵିକେଟ୍ ପାଇଁ ୮୨ ରନ ଯୋଡ଼ି ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ୧୦୫ ରନ ସ୍କୋରରେ ରଜତ ପାଟିଦାର ୨୬ ବଲରୁ ୩ ଚୌକା ଓ ୪ ଛକା ସହ ୫୦ ରନ କରିଥିଲେ।
ଏହି ଯୋଡ଼ି ଭାଙ୍ଗିବା ପରେ ମୁମ୍ବାଇ ପୁଣି ଥରେ ଆରସିବି ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା। ମ୍ୟାକ୍ସଓ୍ଵେଲ(୦) ପୁଣି ଥରେ ନିରାଶ କରିଥିଲେ। ଅନ୍ୟପଟେ ଅର୍ଦ୍ଧଶତକ ହାସଲ କରି କ୍ରିଜରେ ଜମିଥିବା ଡୁପ୍ଲେସିସଙ୍କୁ ବୁମରା ଆଉଟ୍ କରିଥିଲେ। ଆରସିବି ଅଧିନାୟଲ ୪୦ ବଲରୁ ୪ ଚୌକା ଓ ୩ ଛକା ସହ ୬୧ ରନ କରିଥିଲେ। ଶେଷ ଆଡ଼କୁ ବୁମରା ଘାତକ ବୋଲିଂ କରି ଆରସିବି ବ୍ୟାଟରଙ୍କୁ ପାଭିଲିୟନ ପଠାଉଥିବା ବେଳେ ଅନ୍ୟପଟେ ଦିନେଶ କାର୍ତ୍ତିକ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୨୩ ବଲରୁ ୫ ଚୌକା ଓ ୪ ଛକା ସହ ୫୩ ରନ କରି ଅପରାଜିତ ଥିଲେ। ଶେଷରେ ଆରସିବି ୮ ଓ୍ଵିକେଟ୍ ହରାଇ ୧୯୬ ରନ କରିଥିଲା।
ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୪ ଓଭରରେ ମାତ୍ର ୨୧ ରନ ଦେଇ ୫ ଓ୍ଵିକେଟ୍ ନେଇଥିଲେ। ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ।