ଶେଷ ପର୍ଯ୍ୟନ୍ତ ଲଢିଲା ଗୁଜରାଟ, ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ଦିଲ୍ଲୀ

Published By : Prameya-News7 Bureau | April 24, 2024 IST

aajtak

ନୂଆଦିଲ୍ଲୀ: ଆଇପିଏଲରେ ଆଜି ପୁଣି ଆଉ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଟୁର୍ଣ୍ଣାମେଣ୍ଟର ୪୦ତମ ହାଇସ୍କୋରିଂ ମ୍ୟାଚ୍‌ରେ ଶେଷ ବଲ୍‌ରେ ବାଜି ମାରି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଘରୋଇ ମଇଦାନରେ ଦଳ ଗୁଜରାଟ ଟାଇଟନ୍ସକୁ ୪ ରନରେ ପରାସ୍ତ କରିଛି। ଦିଲ୍ଲୀ ଦ୍ଵାରା ଧାର୍ଯ୍ୟ ୨୨୫ରନର  ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ୍ ୮ ଓ୍ଵିକେଟ୍ ହରାଇ ୨୨୦ ରନ କରିପାରିଛି। ସାଇ ସୁଦର୍ଶନ ୬୫ ରନ ଓ ଡେଭିଡ୍ ମିଲରଙ୍କ ବିସ୍ଫୋରକ ୫୫ ରନ କରିଥିଲେ ହେଁ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କ ବିସ୍ଫୋରକ ଅପରାଜିତ ୮୮ ରନ ଓ ଅକ୍ଷର ପଟେଲ୍‌ଙ୍କ ୬୬ ରନ ବଳରେ ୪ ଓ୍ଵିକେଟ୍ ହରାଇ ୨୨୪ ରନର ବିଶାଳ ସ୍କୋର କରିଥିଲା। ବୋଲିଂରେ ଦିଲ୍ଲୀର କୁଲଦୀପ ଯାଦବ ୨୯ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ରଶିଖ ଡାର ସଲାମ ୪୪ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ଦିଲ୍ଲୀ ନବମ ମ୍ୟାଚ୍‌ରୁ ୪ଟି ବିଜୟ ଓ ୮ ପଏଣ୍ଟ ସହ ଷଷ୍ଠ ସ୍ଥାନକୁ ଉଠିଛି। ଅନ୍ୟପଟେ ଗୁଜରାଟ ସମାନ ମ୍ୟାଚ୍‌ରୁ ୫ମ ପରାଜୟ ଭୋଗିଛି। 

 ୨୨୫ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟକୁ ୧୩ ରନ ସ୍କୋରରେ ଅଧିନାୟକ ଶୁଭମନ ଗିଲ(୬)ଙ୍କ ରୂପେ ବଡ଼ ଝଟକା ଲାଗିଥିଲା। ଏହା ପରେ ଋଦ୍ଧିମାନ ଶାହ ଓ ସାଇ ସୁଦର୍ଶନ ଦମଦାର ବ୍ୟାଟିଂ କରି ଦଳର ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଉଭୟ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୯ ରନ ଯୋଡ଼ିଥିଲେ। ଋଦ୍ଧିମାନ ୩୯ ରନର ଇନିଂସ ଖେଳିଥିଲେ। ଅଜମତୁଲ୍ଲା ଉମରଜାଇ(୧) ପୁଣି ନିରାଶ କରିଥିଲେ। ଅନ୍ୟପଟେ ସାଇ ସୁଦର୍ଶନ ୩୯ ବଲ୍‌ରୁ ୬୫ ରନର ଦମଦାର ଇନିଂସ ଖେଳିଥିଲେ। ମଧ୍ୟକ୍ରମରେ ଡେଭିଡ୍ ମିଲର ବିସ୍ଫୋରକ ବ୍ୟାଟିଂ କରି ଦଳର ଆଶା ଉଜ୍ଜିବୀତ ରଖିଥିଲେ। ଶାହରୁଖ ୮ ରନ ଓ ରାହୁଲ ତେଓ୍ଵତିଆ ୪ ରନ କରି ଆଉଟ୍ ହେବାରୁ ଗୁଜରାଟ ଚାପରେ ରହିଥିଲେ। 

ଅନ୍ୟପଟେ ଡେଭିଡ୍ ମିଲର ୨୩ ବଲରୁ ୬ ଚୌକା ଓ ୩ ଛକା ସହ ୫୫ ରନ କରି ଆଉଟ୍ ହେବାରୁ ଗୁଜରାଟର ଆବଶ୍ୟକ ରନ ରେଟ୍ ବଢିଥିଲା। ଶେଷ ଆଡ଼କୁ ରଶିଦ ଖାନ ଓ ସାଇ କିଶୋର ଦ୍ରୁତ ବ୍ୟାଟିଂ କରିବାରୁ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଥିଲା। ୧୯ ଓ ୨୦ ତମ ଓଭରରେ ଦୁଇ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରିଥିଲେ। ଶେଷ ବଲ୍‌ରେ ଜିତିବା ପାଇଁ ଗୁଜରାଟକୁ ୫ ରନ ଦରକାର ଥିଲେ ହେଁ ହାସଲ କରିପାରି ନଥିଲା। ଆଉ ମ୍ୟାଚ୍‌କୁ ୪ ରନରେ ଜିତି ନେଇ ଦିଲ୍ଲୀ। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.