World Inequality Report 2026: ଭାରତରେ ଆୟ ଏବଂ ସମ୍ପତ୍ତି ଅସମାନତା ରେକର୍ଡ ସ୍ତରରେ, ଜାତୀୟ ଆୟର ୫୮% ନେଇ ଯାଉଛନ୍ତି ଶ୍ରେଷ୍ଠ ୧୦% ଧନୀ

NEWS7
invitation-to-mahaprabhu-before-navy-day-celebration

ନୂଆଦିଲ୍ଲୀ: ଭାରତରେ ଆୟ ଏବଂ ସମ୍ପତ୍ତି ଅସମାନତା ପହଞ୍ଚିଯାଇଛି ରେକର୍ଡ ସ୍ତରରେ । ଆୟ ଅସମାନତାର ଏକ ଦାରୁଣ ଚିତ୍ର ଦେଖିବାକୁ ମିଳିଛି ୱାର୍ଲଡ ଇନ୍ଇକ୍ୱାଲିଟି ରିପୋର୍ଟ-୨୦୨୬ରେ । ଧନୀ ସମ୍ପତ୍ତି ଯୋଡ଼ିଚାଲିଛି ଆଉ ଗରିବ ତଳକୁ ତଳକୁ ଯାଉଛି । ରିପୋର୍ଟ ମୁତାବକ, ଭାରତର ଜାତୀୟ ଆୟର ୫୮% ଶ୍ରେଷ୍ଠ ୧୦% ଧନୀ ଲୋକଙ୍କ ପାଖକୁ ଚାଲିଯାଉଛି । ଅନ୍ୟପକ୍ଷରେ, ନିମ୍ନ ସ୍ତରରେ ଥିବା ୫୦% ଲୋକଙ୍କୁ ମାତ୍ର ୧୫% ହିଁ ମିଳୁଛି । ସମ୍ପତ୍ତି ମାମଲାରେ ବି ସମାନ ସ୍ଥିତି । ଦେଶର ଶ୍ରେଷ୍ଠ ୧୦% ଧନୀଙ୍କ ପାଖରେ ୬୫% ସମ୍ପତ୍ତି ଅଛି ଏବଂ ଟପ୍ ୧%ଙ୍କ ପାଖରେ ପାଖାପାଖି ୪୦% ।

ବୁଧବାର ଜାରି ହୋଇଥିବା ଏ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ବ୍ୟକ୍ତି ପିଛା ହାରାହାରି ବାର୍ଷିକ ଆୟ(ପିପିପି) ୬.୫୬ ଲକ୍ଷ ଟଙ୍କା । ଏଥିରେ ଶ୍ରେଷ୍ଠ ୧୦%ଙ୍କୁ ୫୮% ଆୟ ଭାଗ ମିଳୁଛି । ୨୦୨୧ରେ ଏହା ଥିଲା ୫୭% । ଅନ୍ୟପକ୍ଷରେ, ନିମ୍ନ ସ୍ତରରେ ଥିବା ୫୦% ଲୋକଙ୍କୁ ଜାତୀୟ ଆୟର ମାତ୍ର ୧୫% ମିଳୁଛି, ଯାହାକି ପୂର୍ବରୁ ୧୩% ଥିଲା । ରିପୋର୍ଟ ଅନୁସାରେ, ସମ୍ପତ୍ତି କ୍ଷେତ୍ରରେ ଅସମାନତା ଚିନ୍ତାର ବିଷୟ । ଭାରତରେ ଶ୍ରେଷ୍ଠ ୧୦% ଲୋକଙ୍କ ପାଖରେ ମୋଟ ସମ୍ପତ୍ତିର ୬୫% ଭାଗ ରହିଛି । ସେହିଭଳି ବ୍ୟକ୍ତି ପିଛା ହାରାହାରି ସମ୍ପତ୍ତି ୨୯.୬୨ ଲକ୍ଷ ଟଙ୍କା । ନିମ୍ନ ସ୍ତରରେ ଥିବା ୫୦% ଜନସଂଖ୍ୟାଙ୍କ ନିକଟରେ ପ୍ରତି ବ୍ୟକ୍ତି ପିଛା ମାତ୍ର ୬.୮୮ ଲକ୍ଷ ଟଙ୍କାର ହାରାହାରି ସମ୍ପତ୍ତି ରହିଛି । ସେହିଭଳି ଶ୍ରେଷ୍ଠ ୧୦% ଧନୀ ବ୍ୟକ୍ତିମାନେ ପ୍ରତ୍ୟେକ ହାରାହାରି ୧୦.୫୮ କୋଟି ଟଙ୍କା ସମ୍ପତ୍ତିର ମାଲିକ । ଶ୍ରେଷ୍ଠ ୦.୦୦୧% ବା ପାଖାପାଖି ୫୬,୦୦୦ ଲୋକଙ୍କ ପାଖରେ ପ୍ରତି ବ୍ୟକ୍ତି ୧୦ କୋଟି ୟୁରୋ ବା ପାଖାପାଖି ୧୦୫୮ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତି ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଏହି ରିପୋର୍ଟକୁ ୨୦୦ରୁ ଅଧିକ ବ୍ୟକ୍ତି ପ୍ରସ୍ତୁତ କରିଥାନ୍ତି । ରିପୋର୍ଟ ପାଇଁ ୧୮୦ ଦେଶରୁ ତଥ୍ୟ ଏକତ୍ର କରାଯାଇଥାଏ । ଭାରତରେ ୧୦୦ ପୁରୁଷଙ୍କ ତୁଳନାରେ କେବଳ ୧୫.୭% ମହିଳାଙ୍କ ପାଖରେ ରୋଜଗାର ରହିଛି । ଗତ ଦଶନ୍ଧି ମଧ୍ୟରେ ଏଥିରେ କୌଣସି ସୁଧାର ଦେଖିବାକୁ ମିଳିନାହିଁ । ସମଗ୍ର ବିଶ୍ୱ କଥା ଯଦି ବିଚାରକୁ ନିଆଯାଏ ତେବେ ବିଶ୍ୱର ଶ୍ରେଷ୍ଠ ୧୦% ଧନୀଙ୍କ ପାଖରେ ୭୫% ସମ୍ପତ୍ତି ରହିଛି । ବିଶ୍ୱର ନିମ୍ନ ସ୍ତରରେ ଥିବା ୫୦% ଲୋକଙ୍କ ପାଖରେ ମାତ୍ର ୨% ସମ୍ପତ୍ତି ରହିଛି । ବିଶ୍ୱର ମୋଟ ଆୟରେ ଏହି ୧୦% ଲୋକଙ୍କ ଅଂଶ ୫୩% ଥିବାବେଳେ ନିମ୍ନ ସ୍ତରରେ ଥିବା ୫୦% ଲୋକଙ୍କୁ ମିଳୁଛି କେବଳ ୮% ଆୟ । ଅସମାନତାରେ ଦକ୍ଷିଣ ଆଫ୍ରିକା ପରେ ଭାରତ ରହିଛି । ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ ୧୦% ଧନୀଙ୍କ ପାଖରେ ୮୫% ସମ୍ପତ୍ତି ଥିବାବେଳେ ଜାତୀୟ ଆୟରେ ଏମାନଙ୍କ ଅଂଶ ରହିଛି ୬୬% । ଲାଟିନ୍ ଆମେରିକୀୟ ଦେଶ ଯେପରି ବ୍ରାଜିଲରେ ଶ୍ରେଷ୍ଠ ୧୦% ଧନୀଙ୍କୁ ମିଳୁଛି ୬୦% ଜାତୀୟ ଆୟ । ୟୁରୋପରେ ସ୍ୱିଡେନ୍ ଏବଂ ନର୍ୱେ ଭଳି ଦେଶ ଭଲ ସ୍ଥାନରେ ଥିବା ଜଣାପଡ଼ିଛି ।