ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ହେଲେ NCP ଜାତୀୟ ସଭାପତି, ବାରାମତୀରୁ ଲଢିବେ ଉପନିର୍ବାଚନ

NEWS7
international-court-issues-warrant-for-putin-for-war-crime

ମୁମ୍ବାଇ ୨୬।୨: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କୁ ଗୁରୁବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଜାତୀୟ ସଭାପତି ମନୋନୟନ କରାଯାଇଛି। ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସର୍ବ ସମ୍ମତିକ୍ରମେ ସୁନେତ୍ରା ପାୱାରଙ୍କୁ ସଭାପତି ବଛା ଯାଇଛି। ପାର୍ଟିରେ ସେ ତାଙ୍କ ସ୍ୱର୍ଗତ ପତି ଅଜିତ ପାୱାରଙ୍କ ସ୍ଥାନ ନେଇଛନ୍ତି। ଅଜିତ ପାୱାର ମଧ୍ୟ ଉପମୁଖ୍ୟମନ୍ତ୍ରୀ ଥିଲେ। ପାର୍ଟିର ବିଧାୟକ ଓ ବରିଷ୍ଠ ନେତାଙ୍କ ସର୍ବସମ୍ମତୀ ନିଷ୍ପତ୍ତି ପରେ ସୁନେତ୍ରା ସଭାପତି ପଦବୀ ଗ୍ରହଣ କରିଛନ୍ତି।

ଜାତୀୟ ସମ୍ମିଳନୀରେ ପାର୍ଟି ନେତା ଓ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ବରିଷ୍ଠ ଏନସିପି ନେତା ପ୍ରଫୁଲ୍ଲ ପଟେଲ ଭାବୁକ ଭାଷଣ ଦେଇଥିଲେ ଓ କହିଥିଲେ ଆଗାମୀ ସମୟ ପାଇଁ ପାର୍ଟି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସ୍ପଷ୍ଟ ଏକତା ଓ ସଂକଳ୍ପ ଅଛି। ଏହି ଭାଷଣରେ ପଟେଲ ଔପଚାରିକ ରୂପେ ସଭାପତି ପଦ ନିମନ୍ତେ ସୁନେତ୍ରାଙ୍କ ନାମ ସୁପାରିଶ କରିଥିବା ବେଳେ ତାହା ସର୍ବ ସମ୍ମତ ଗୃହୀତ ହୋଇଛି। ଏହା ପରେ ସୁନେତ୍ରା ପାୱାରଙ୍କୁ ଅଧିକାରୀକ ରୂପେ ଏନସିପିର ଜାତୀୟ ସଭାପତି ଘୋଷଣା କରାଯାଇଛି। ଏଣୁ ପାର୍ଟିର ନେତୃତ୍ୱ ଓ ସଙ୍ଗଠନାତ୍ମକ ଯାତ୍ରାରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।

ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦୁଃଖଦ ମୃତ୍ୟୁ ରେ ତାଙ୍କ ବିଧାନସଭା ଆସନଟି ଏବେ ଖାଲି ପଡିଛି। ଏଣୁ ସୁନେତ୍ରା ପାୱାର ଅଜିତଙ୍କ ବାରାମତୀ ଆସନରୁ ଉପନିର୍ବାଚନ ଲଢିବେ। ଏହି ଆସନରୁ ଅଜିତ ପାୱାର ୮ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସୁନେତ୍ରା ଜାନୁୟାରୀ ୩୧ ତାରିଖରେ ଉପମୁଖ୍ୟମନ୍ତ୍ରୀ ଭାବେ ଫଡନବୀଶଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ବେଳେ ଏହି ପଦବୀରେ ପ୍ରଥମ ମହିଳା ପାଲଟିଛନ୍ତି। ତେବେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ପାର୍ଟିରେ ଅଚାନକ ସୃଷ୍ଟି ହୋଇଥିବା ନେତୃତ୍ୱ ସଂକଟ ଦୂର କରିବାକୁ ସୁନେତ୍ରାଙ୍କୁ ପ୍ରଥମେ ଏନସିପି ବିଧାୟକ ଦଳ ନେତା ମନୋନୟନ କରାଯାଇଥିଲା।

ନିକଟରେ ଅନୁଷ୍ଠିତ ପାଳିକା ନିର୍ବାଚନରେ ଏନସିପି ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ଓ ପୁଣେ ଜିଲ୍ଲା ପରିଷଦ ହାତେଇଛି। ଏହା ଛଡା କୋହ୍ଲାପୁର ଓ ଅନେକ ପଞ୍ଚାୟତ ସମିତିରେ ପାର୍ଟି ସ୍ଥିତିରେ ସୁଧାର ଆସିଛି। ଅଜିତ ପାୱାର ମହାରାଷ୍ଟ୍ରର ବିଭିନ୍ନ ମେଣ୍ଟ ସରକାରରେ ୬ ଥର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଅଜିତଙ୍କୁ ତାଙ୍କ କାକା ଶରଦ ପାୱାରଙ୍କ ଉତ୍ତରାଧିକାରୀ ବୁଝା ଯାଉଥିଲା। ହେଲେ ସେ ତାଙ୍କ କାକାଙ୍କ ଛାଇ ତଳୁ କେବେ ବାହାରକୁ ବାହାରି ପାରିନଥିଲେ। ୨୦୧୯ ମସିହାରେ ପାର୍ଟିର ଅନ୍ତର୍ଦ୍ୱନ୍ଦ୍ୱ କାଳରେ ଅଜିତଙ୍କ ପ୍ରଥମ ଉଦ୍ୟମ ଅସଫଳ ହୋଇଥିଲା। ତେବେ ୨୦୨୩ରେ ହୋଇଥିବା ମହାରାଷ୍ଟ୍ର ରାଜନୀତି ପରିବର୍ତ୍ତନରେ ଅଜିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ପାର୍ଟିରୁ ଅଲଗା ହୋଇ ନିଜର ଏକ ଗୋଷ୍ଠୀ ତିଆରି କରିଥିଲେ ଓ ବିଜେପି ସରକାର ସହିତ ହାତ ମିଳାଇଥିଲେ।