ଭୁବନେଶ୍ୱର : ହ୍ବିଲ ଚେୟାରରେ ଯାଉଛି ଷଣ୍ଢ। ସ୍ପେଶାଲ୍ ଷ୍ଟ୍ରକଚର୍ ଦ୍ଵାରା ପୂର୍ବଭଳି କରୁଛି ବୁଲାବୁଲି। କିଛିଦିନ ପୂର୍ବରୁ ଦୁର୍ଘଟଣାରେ ଗୋଟିଏ ଗୋଡ଼ ଅକାମୀ ହୋଇଥିଲା। ଏବେ ଷଣ୍ଢକୁ ମିଳିଲା ନୂଆ ଗୋଡ଼। କଥାଟା ଶୁଣି ଅଡ଼ୁଆ ଲାଗୁଥିବ, ଭାବୁଥିବେ ଷଣ୍ଢ ପୁଣି ହ୍ୱିଲ୍ ଚେୟାରର। ମନରେ ଆସୁଥିବ ଏହି ଦୃଶ୍ୟ କେଉଁ ଚଳଚ୍ଚିତ୍ର କିମ୍ବା ଧାରାବାହିକର ସୁଟିଂ ସେଟ୍ ର ନୁହେଁ ତ। ଏଇଠି କହି ରଖୁଛୁ ଇଏ କେଉଁ ଚଳଚ୍ଚିତ୍ର ନୁହେଁ। ଇଏ ବାସ୍ତବ ଜୀବନର ସତ କଥାଟି ।
ଆହତ ଅବସ୍ଥାରେ ପଡ଼ିଥିବା ଷଣ୍ଢକୁ ଦେଖି ମଞ୍ଚେଶ୍ୱର୍ ଥାନା ଅଧୀନସ୍ଥ ଇଞ୍ଜିଣା ଗ୍ରାମବାସୀ ଦିନରାତି ତାର ସେବା ଯତ୍ନ କରିଛନ୍ତି। କିଏ ଘାସ ଖାଇବାକୁ ଦେଉଛି ତ କିଏ ଖଣ୍ଡିଆ ଜାଗାରେ ମଲମ୍ ଲଗାଇବା ସହ ହ୍ୱିଲ୍ ଚେୟାରରେ ଧରି ଷଣ୍ଢକୁ ବୁଲାଉଛନ୍ତି। କହିବାକୁ ଗଲେ ଏକ ଅସ୍ଥାୟୀ ଚିକିତ୍ସା ଶିବିରରେ ଷଣ୍ଢର ଚାଲିଛି ଚିକିତ୍ସା। ଆଉ ଏଠାରେ କାମ କରୁଥିବା ଲୋକଙ୍କ ପାଖରେ ଡାକ୍ତରୀ ଡିଗ୍ରୀ ନଥିଲେ ବି ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ଦକ୍ଷ ଚିକିତ୍ସକ।
ପଟିଆ ଇଞ୍ଜିଣା ଗ୍ରାମ ମୁଖ୍ୟ ସଡ଼କରେ ତିନିଦିନ ତଳେ ଗୋଟିଏ ଗାଡ଼ି ଧକ୍କା ଯୋଗୁ ଷଣ୍ଢଟିର ଡାହାଣ ଗୋଡ ଖଞ୍ଜାରୁ ଅଲଗା ହେବା ସହ ଶରୀରରେ ଅନେକ କ୍ଷତ ସୃଷ୍ଟି ହୋଇଥିଲା। ଆହତ ଷଣ୍ଢକୁ ଉଦ୍ଧାର କରିବା ସହ ସ୍ଥାନୀୟ ଯୁବକମାନେ ଏକ ଅସ୍ଥାୟୀ ଚିକିତ୍ସା ଶିବିର ତିଆରି କରି ସେଠାରେ ପ୍ରାଥମିକ ଚିକିତ୍ସା କରିଥିଲେ।ପଶୁ ଚିକିତ୍ସକ ଆସି ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ ଷଣ୍ଢଟି ଆଉ ଚାଲି ପାରିବନି ବୋଲି କହିଥିଲେ ଡାକ୍ତର। ହେଲେ ସେହି ଅଞ୍ଚଳରେ ସମସ୍ତଙ୍କ ପ୍ରିୟ ଥିବା ଷଣ୍ଢ କାଳୁ ପାଇଁ ଥିଲେ ଚିନ୍ତିତ। ପରେ ଗ୍ରାମର ଯୁବକ ମାନେ ଗୌ ସୁରକ୍ଷା ସଂଗଠନ ଏବଂ କଳିଙ୍ଗ ଗୌ ସେବା କେନ୍ଦ୍ର ସହ ଯୋଗାଯୋଗ କରିଥିଲେ। ଦୁଇଟି ସଂଗଠନ ଓ ଗ୍ରାମବାସୀ ମିଳିତରେ କାଳୁର ଓଜନ ମୁତାବକ ଷ୍ଟ୍ରକଚର୍ ରେ ହ୍ଵିଲ୍ ଚେୟାର ନିର୍ମାଣ କରାଯାଇ ଥିଲା। ଆଉ ଏବେ ସେହି ହ୍ୱିଲ ଚେୟାର ଦ୍ଵାରା କାଳୁ ଚଲାବୁଲା କରୁଛି। ଏହି ଉପାୟରେ ଷଣ୍ଢଟି ଧିରେ ଧିରେ ସୁସ୍ଥ ହେଉଥିବା ଦେଖି ଗ୍ରାମବାସୀଙ୍କ ଖୁସିର ଲହରୀ ଖେଳିଯାଇଛି। କାଳୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସେହି ଅସ୍ଥାୟୀ ଚିକିତ୍ସା ଶିବିରରେ ରହିବ ବୋଲି କହିଛନ୍ତି ଗୌ ସେବା ସଂଗଠନର ସଦସ୍ୟ।
ବିଭିନ୍ନ ସମୟରେ ମଣିଷ ଜୀବଯନ୍ତୁଙ୍କ ଉପରେ ଅତ୍ୟାଚାର କରିବା ସହ ମୁହାଁମୁହିଁ ଘଟଣା ସାମ୍ନାକୁ ଆସୁଥିବା ବେଳେ ଇଞ୍ଜିଣା ଗ୍ରାମବାସୀଙ୍କ ଏପରି କାର୍ଯ୍ୟ ସମାଜ ପାଇଁ ନିଆରା ଉଦାହରଣ ସୃଷ୍ଟି କରିଛି।