୭ ମାସ ହେଲା କଲେଜର ପରିଚାଳନା କମିଟି ନାହିଁ, ହୋଇପାରୁନି ଉନ୍ନୟନ ମୂଳକ କାର୍ଯ୍ୟ

Published By : Prameya-News7 Bureau | July 09, 2025 IST

ଭୁବନେଶ୍ୱର,୦୯/୦୭: ଆଜିକୁ ୭ ମାସ ହେଲା ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ନାହିଁ ପରିଚାଳନା କମିଟି (ଗଭର୍ଣ୍ଣିଂ ବଡି) । ଗଠନ ହୋଇପାରିନି ନୂଆ ପରିଚାଳନା କମିଟି। ଯାହା ଫଳରେ ବେସରକାରୀ କଲେଜରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ସ୍ଥାୟୀ ସଭାପତି ନ ଥିବାରୁ ଉନ୍ନୟନମୂଳକ କାର୍ଯ୍ୟର ଫାଇଲ ଆଗକୁ ବଢ଼ିପାରୁନି । 

ରାଜ୍ୟର ୫୬୬ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଭିତ୍ତିଭୂମି କାର୍ଯ୍ୟ ସହ ଅନ୍ୟ କାର୍ଯ୍ୟ ଅଟକିଛି । ଗତ ଡିସେମ୍ବର ମାସ ୨୩ ତାରିଖରେ ରାଜ୍ୟ ସରକାର ଓଡ଼ିଶା ଶିକ୍ଷା ଅଧିକାର ଆଇନ-୧୯୬୯ର ଉପଧାରା୬ରେ ସମସ୍ତ କଲେଜର ପରିଚାଳନା କମିଟିକୁ ଭାଙ୍ଗିଦେଇଥିଲେ । 

ନୂତନ ବିଜ୍ଞପ୍ତି ଅନୁଯାୟୀ ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜ ଗୁଡ଼ିକରେ ଅତିରିକ୍ତ ଜିଲ୍ଲାପାଳ ଅସ୍ଥାୟୀ ଭାବେ ପରିଚାଳନା କମିଟିର ସଭାପତି ଦାୟିତ୍ୱ ନିର୍ବାହ କରିବେ । ଯେଉଁ ଜିଲ୍ଲାରେ ଏକାଧିକ ଅତିରିକ୍ତ ଜିଲ୍ଲାପାଳ ଥିବେ ସେହି ଜିଲ୍ଲା ପାଇଁ ଜିଲ୍ଲାପାଳଙ୍କୁ ପରିଚାଳନା ଅଧ୍ୟକ୍ଷ ହେବେ । ଜିଲ୍ଲା ମୁଖ୍ୟାଳୟ ବାହାରେ ଥିବା କଲେଜରେ ଉପ ଜିଲ୍ଲାପାଳ ପରିଚାଳନା କମିଟିର ଅସ୍ଥାୟୀ ସଭାପତି ରହିବେ । 

ଅନ୍ୟପଟେ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅଳ୍ପସଂଖ୍ୟକ ବର୍ଗଙ୍କ ଦ୍ୱାରା ସ୍ଥାପିତ ମହାବିଦ୍ୟାଳୟ ଓ ପରିଚାଳନା କମିଟିକୁ ନେଇ କୋର୍ଟରେ ମାମଲା ବିଚରାଧୀନ ଥିବାରୁ କଲେଜକୁ ଏଥିରୁ ବାଦ୍‌ ଦିଆଯାଇଥିଲା । କମିଟି ଭାଙ୍ଗିବାର ୩ ମାସ ଭିତରେ ନୂଆ କମିଟି ଗଠନ ପାଇଁ ପ୍ରସ୍ତାବ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଏସବୁ ସତ୍ତ୍ଵେ ଏଯାବତ୍‌ କମିଟି ଗଠନ ହୋଇପାରିଲା ନାହିଁ । ରାଜ୍ୟରେ ୨୭୭ଟି ବେସରକାରୀ 

ଅନୁଦାନପ୍ରାପ୍ତ କମ୍ପୋଜିଟ୍‌ କଲେଜ (୪୮୮ ବର୍ଗ) ରହିଥିବା ବେଳେ ୪୮୮ ବର୍ଗର ୬ଟି ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ରହିଛି । ସେହିପରି ୬୬୨ ବର୍ଗର ୨୮୩ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜ ରହିଛି । ରାଜ୍ୟରେ ମୋଟ୍‌ ୫୬୬ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଛି । ପରିଚାଳନା କମିଟି ନ ଥିବାରୁ କଲେଜ ଅଧ୍ୟକ୍ଷ ଏହାର ପରିଣାମ ଭୋଗୁଛନ୍ତି । 

କଲେଜର ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନି । ଆସୁଥିବା ଅନୁଦାନ ଖର୍ଚ୍ଚ ହୋଇପାରୁନି । ପ୍ରତିଦିନ କଲେଜ ଅଧ୍ୟକ୍ଷ ଫାଇଲ ଧରି ଅତିରିକ୍ତ ଜିଲ୍ଲାପାଳ କିମ୍ବା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟକାଳକୁ ଦୌଡ଼ୁଛନ୍ତି । ଦସ୍ତଖତ ଖଣ୍ଡେ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି । ମାସ ମାସ ଧରି ଫାଇଲ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଡ଼ି ରହୁଛି । 

କେବଳ ଏତିକି ନୁହେଁ ଅନେକ ସ୍ଥାନରେ ପରିଚାଳନା କମିଟି ସଭାପତିଙ୍କ ପାଦ କଲେଜରେ ପଡ଼ିନି । ବୈଠକ କରାଯାଉନି । ହେଲେ ବି ସଭାପତି ଅନୁପସ୍ଥିତ ରହୁଛନ୍ତି । ସରକାର ନାକ୍‌ ମାନ୍ୟତାକୁ ଗୁରୁତ୍ୱ ଦେଉଥିବା ବେଳେ ଉନ୍ନୟନ କାର୍ଯ୍ୟ ହୋଇପାରୁ ନ ଥିବା, ଖର୍ଚ୍ଚ ପାଇଁ ଅନୁଦାନ ରାଶିର ବ୍ୟବହାର ହୋଇପାରୁନି । ଯାହାକୁ ନେଇ କଲେଜ ଅଧ୍ୟକ୍ଷମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କାଳିପ୍ରସନ୍ନ ମହାପାତ୍ର କହିଛନ୍ତି, କଲେଜ ପରିଚାଳନା କମିଟି ଗଠନ କାର୍ଯ୍ୟ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.