ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପୋଷ୍ଟ ମାମଲାରେ ଗିରଫ ହୋଇଥିବା ୨୨ ବର୍ଷୀୟା ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର ଶର୍ମିଷ୍ଠା ପାନୋଲିଙ୍କୁ ଅନ୍ତରୀଣ ଜାମିନ ମିଳିଛି। କିଛି ସର୍ତ୍ତ ରଖି କଲିକତା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିବା ସୂଚନା ମିଳିଛି। ଜାମିନ ସର୍ତ୍ତାବଳୀ ଅନୁସାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ପୂର୍ବ ଅନୁମତି ବିନା ସେ ଦେଶ ଛାଡି ଯାଇପାରିବେ ନାହିଁ। ଏଥିସହିତ ଜାମିନ ପାଇଁ ୧୦,୦୦୦ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗିରଫଦାରୀ ପୂର୍ବରୁ ପାନୋଲି ତାଙ୍କ ସୁରକ୍ଷା ପ୍ରତି ବିପଦ ଅଛି ବୋଲି ସେ ଆବେଦନ କରିଥିଲେ। ଏବେ ଜାମିନ ଦେବା ପରେ ପାନୋଲିଙ୍କୁ ସୁରକ୍ଷା ଦେବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
ପୁଣେର ଚତୁର୍ଥ ବର୍ଷର ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଥିବା ଅଭିଯୋଗରେ ମେ ୩୦ ତାରିଖରେ ଗୁରୁଗ୍ରାମରୁ ଗିରଫ କରାଯାଇଥିଲା। ଅପରେସନ ସିନ୍ଦୂରରେ ନିରବ ଥିବା ବଲିଉଡ କଳାକାରମାନଙ୍କୁ ସେ ଏଥିରେ ସମାଲୋଚନା କରିଥିଲେ। ଏବଂ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଯେଉଁଥିରେ ତାଙ୍କୁ କୋଲକାତା ପୁଲିସ ଗୁରୁଗ୍ରାମରୁ ଗିରଫ କରିଥିଲା। ଏହାପରେ କୋଲକାତାର ଏକ କୋର୍ଟ ତାଙ୍କୁ ଜୁନ୍ ୧୩ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଦେଇଥିଲେ।
ପଢନ୍ତୁ- ମହୁଆ ମୋଇତ୍ରଙ୍କୁ ବିବାହ କଲେ ପିନାକୀ ମିଶ୍ର ? ଜର୍ମାନୀରେ ମ୍ୟାରେଜ ହୋଇଥିବା ନେଇ ଚର୍ଚ୍ଚା
ଶର୍ମିଷ୍ଠାଙ୍କ ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ବ୍ୟାପକ ଉତ୍ତେଜନା ଦେଖା ଦେଇଥିଲା। ତାଙ୍କୁ ଚାରିଆଡ଼ୁ ଧମକପୂର୍ଣ୍ଣ କଲ୍ ଆସିବା ପରେ ସେ ଭିଡିଓ ଡିଲିଟ୍ କରିବା ସହିତ କ୍ଷମା ବି ମାଗିଥିଲେ। ଏହାସତ୍ତ୍ୱେ ବି ତାଙ୍କ ବିରୁଦ୍ଧରେ ଏକାଧିକ ଏଫଆଇଆର ଦାଖଲ ହୋଇସାରିଥିଲା। ପରେ ହାଇକୋର୍ଟ କହିଥିଲେ ଯେ ଏହି ସମସ୍ତ ଏଫଆଇଆରଗୁଡ଼ିକୁ ଗୋଟିଏ ମାମଲାରେ ମିଶାଇ ଦିଆଯିବ, ଯାହାର ତଦନ୍ତ କୋଲକାତାରେ କରାଯିବ। ଏହାପରେ, ପରବର୍ତ୍ତୀ ଶୁଣାଣି ଗୁରୁବାର ହୋଇଥିଲା ଏବଂ ପାନୋଲିଙ୍କୁ ଅନ୍ତରୀଣ ଜାମିନ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର କଲିକତା ହାଇକୋର୍ଟ ପାନୋଲିଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରି କହିଥିଲେ। ଏବଂ କହିଥିଲେ ଯେ ଏହା ଏକଦମ ବାକ୍ ସ୍ୱାଧୀନତା ନୁହେଁ, ବାକ ସ୍ୱାଧୀନତା କାହାକୁ ଧାର୍ମିକ ଭାବନାକୁ ଆଘାତ ଦେବାକୁ ଅନୁମତି ଦିଏ ନାହିଁ। କୋର୍ଟ ଜାମିନ ଦେବାକୁ ମନା କରିବା ପରେ ବିଚାରପତିଙ୍କୁ ବିଭିନ୍ନ ସୋସିଆଲ୍ ମିଡିଆ ଆଡ଼ୁ ହତ୍ୟା ଧମକ ମିଳିଥିଲା। ବେନାମୀ ନାଁରେ ତାଙ୍କୁ ମାରିବା କଥା କୁହାଯାଇଥିଲା।