LPG ପାଇଁ ଲାଗିଥିଲା ଲମ୍ବା ଲାଇନ୍, ଏଜେନ୍ସି ଖୋଲିବା ପୂର୍ବରୁ ଚାଲିଗଲା ବୃଦ୍ଧଙ୍କ ଜୀବନ

NEWS7
indigo-completes-15-years-offered-offers-for-travelers

ନୂଆଦିଲ୍ଲୀ: ଏଲପିଜି ପାଇଁ ଲମ୍ବା ଲାଇନ୍ । ଏହି ଦୃଶ୍ୟ ଭାରତର ପ୍ରତି ରାଜ୍ୟରେ ଦେଖିବାକୁ ମିଳିଛି । ଇରାନ୍ ଯୁଦ୍ଧର ପ୍ରଭାବ ଭାରତୀୟଙ୍କ ରୋଷେଇ ଘରେ ପଡ଼ିଛି । ଏଲପିଜି ସଂକଟ ଉଗ୍ର ହେବାରେ ଲାଗିଛି । ଯଦିଓ ଏଲପିଜି ପାଇଁ ବ୍ୟସ୍ତ ନହେବାକୁ ସରକାର କହୁଛନ୍ତି, କିନ୍ତୁ ଲୋକଙ୍କ ମନ ବୁଝୁନି । ଲମ୍ବା ଧାଡ଼ିରେ ଛିଡ଼ା ହୋଇ, ଏଲପିଜି ନେବାକୁ ଲୋକଙ୍କ ମଧ୍ୟରେ ଏକପ୍ରକାର ରେସ୍ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ, ପଞ୍ଜାବରୁ ଆସିଛି ଏକ ଦୁଃଖଦ ଖବର । ଏଲପିଜି ଲାଗି ଧାଡ଼ିରେ ଛିଡ଼ା ହୋଇଥିବା ଜଣେ ୬୬ ବର୍ଷୀୟ ବୃଦ୍ଧଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।

ଶୁକ୍ରବାର ସକାଳେ ପଞ୍ଜାବର ବରନାଲା ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜିଲ୍ଲାର ସେହନା ଗ୍ରାମର ବାସିନ୍ଦା ଭୂଷଣ କୁମାର ମିତ୍ତଲ ସିଲିଣ୍ଡର ଆଣିବାକୁ ଗ୍ୟାସ୍ ଏଜେନ୍ସି ନିକଟକୁ ଯାଇଥିଲେ । ସକାଳ ୭ଟା ୧୫ରୁ ଧାଡ଼ିରେ ଛିଡ଼ା ହୋଇଥିଲେ ଭୂଷଣ । କିନ୍ତୁ ୮ଟା ବାଜିବା ବେଳକୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା ଏବଂ ଏଜେନ୍ସି ଖୋଲିବା ପୂର୍ବରୁ ସେ ତଳେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଭୂଷଣ ମିତ୍ତଲଙ୍କ ପୂର୍ବରୁ ଅନ୍ୟ ଲୋକମାନେ ଲାଇନ୍ରେ ଛିଡ଼ା ହୋଇଥିଲେ । ସେ ୨୪ ଜଣଙ୍କ ପଛରେ ରହିଥିଲେ । ହେଲେ ଏଜେନ୍ସି ଖୋଲିବା ପୂର୍ବରୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଭୂଷଣଙ୍କ ପୁତୁରା କହିଛନ୍ତି, ଭୂଷଣ ଗାଁରେ ଗୋଟିଏ ଛୋଟ ତେଜରାତି ଦୋକାନ ଚଳାଉଥିଲେ । ସେ ୪୦ ମିନିଟ୍ ଧରି ଧାଡ଼ିରେ ଛିଡ଼ା ହୋଇଥିବାରୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା ଏବଂ ସେ ମୃତ୍ୟୁବରଣ କରିଛନ୍ତି । ତେବେ ଭୂଷଣ ମିତ୍ତଲ ନିଜର ଜଣେ ବିବାହିତ ଝିଅ ଏବଂ ପତ୍ନୀଙ୍କ ସହ ରହୁଥିଲେ ।