ନୂଆଦିଲ୍ଲୀ: ଭାରତୀୟ ପରିବାରଗୁଡ଼ିକରେ ସୁନାର ବିଶାଳ ଭଣ୍ଡାର ଅଛି । ଏହି ପରିମାଣ ପାକିସ୍ତାନ ପୂରା ଅର୍ଥନୀତିଠାରୁ ଅନେକ ଗୁଣ ଅଧିକ । ବିଶ୍ୱ ସ୍ୱର୍ଣ୍ଣ ପରିଷଦ (WGC) ଅନୁଯାୟୀ, ଭାରତୀୟ ଘର ଏବଂ ମନ୍ଦିରଗୁଡ଼ିକରେ ପ୍ରାୟ ୨୫,୦୦୦ ଟନ୍ ସୁନା ଅଛି । ଏହାର ମୂଲ୍ୟ ପ୍ରାୟ ୨.୪ ଟ୍ରିଲିୟନ ଡଲାର । ଏହା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭାରତର ଆକଳନ କରାଯାଇଥିବା GDPର ପ୍ରାୟ ୫୬%। ପାକିସ୍ତାନର ସମଗ୍ର ଅର୍ଥନୀତି ପ୍ରାୟ ୪୧୧ ବିଲିୟନ ଡଲାର । ଏପରି ଭାବେ ଭାରତର ବ୍ୟକ୍ତିଗତ ସୁନା ଭଣ୍ଡାର ପାକିସ୍ତାନର ଜିଡିପି ତୁଳନାରେ ପ୍ରାୟ ଛଅ ଗୁଣ ଅଧିକ । ଭାରତର ଘରେ ରଖାଯାଇଥିବା ସୁନାର ମୂଲ୍ୟ ଇଟାଲୀ (୨.୪ ଟ୍ରିଲିୟନ ଡଲାର) ଏବଂ କାନାଡା (୨.୩୩ ଟ୍ରିଲିୟନ ଡଲାର) ଭଳି ବିକଶିତ ଦେଶଗୁଡ଼ିକର ଜିଡିପି ତୁଳନାରେ ମଧ୍ୟ ଅଧିକ ।
ୟୁବିଏସ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୯-୨୦ ପରଠାରୁ ସୁନା ମୂଲ୍ୟ ଦ୍ୱିଗୁଣିତ ହୋଇଛି । ଫଳରେ ଭାରତୀୟ ପରିବାରର ସମ୍ପତ୍ତି ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି । ବ୍ୟାଙ୍କର ଆକଳନ ଅନୁସାରେ ୨୦୨୬ ସୁଦ୍ଧା ମୂଲ୍ୟ ବଢି ପ୍ରତି ଆଉନ୍ସ ୩,୫୦୦ ଡଲାରକୁ ବୃଦ୍ଧି ପାଇବ । ବାଣିଜ୍ୟିକ ସଂଘର୍ଷ, ମୁଦ୍ରାସ୍ଫୀତି ଏବଂ ଭୂରାଜନୈତିକ ବିପଦ ଭଳି ବିଶ୍ୱ ଅନିଶ୍ଚିତତା ଯୋଗୁଁ ହୋଇଛି । UBS ଅନୁସାରେ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତରେ ସୁନା ଚାହିଦା ହ୍ରାସ ପାଇବ । ଉଚ୍ଚ ମୂଲ୍ୟ ଯୋଗୁ ମୋଟ ଆମଦାନୀ ୫୫-୬୦ ବିଲିୟନ ଡଲାର ରହିବ । ଏହା GDPର ପ୍ରାୟ ୧.୨% ।
ବିଶାଳ ଘରୋଇ ସୁନା ଭଣ୍ଡାର ଭାରତର ଲୁକ୍କାୟିତ ଆର୍ଥିକ ସମ୍ଭାବନାକୁ ଦର୍ଶାଉଛି । ଯଦି ଏହି ସୁନାକୁ କୌଣସି ପ୍ରକାରେ ଆନୁଷ୍ଠାନିକ ଅର୍ଥନୀତିରେ ଅଣାଯାଇପାରିବ, ତେବେ ଏହା ଦେଶର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତରେ ସୁନାର ଚାହିଦା ଭଲ ରହିଥିଲା । ପ୍ରାୟ ୭୮୨ ଟନ୍ ଥିଲା, ଯାହା ମହାମାରୀ ପୂର୍ବର ହାରାହାରି ତୁଳନାରେ ୧୫% ଅଧିକ । ଅଳଙ୍କାର ଚାହିଦା ସାମାନ୍ୟ ହ୍ରାସ ପାଇଛି ।
UBS ଆକଳନ କରିଛି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ସୁନାର ଚାହିଦା ୭୨୫ ଟନକୁ ହ୍ରାସ ପାଇବ । ତା'ପରେ ୨୦୨୬-୨୭ ଆର୍ଥିକ ବର୍ଷରେ ଏହା ୮୦୦ ଟନକୁ ବୃଦ୍ଧି ପାଇବ । ଘରୋଇ ବ୍ୟବହାରରେ ସ୍ଥିରତା ଏହାର ଏକ କାରଣ ହେବ । ଅତ୍ୟଧିକ ସୁନା ଆମଦାନୀ ସତ୍ତ୍ୱେ, ଭାରତର କରେଣ୍ଟ ଫିସିକଲ୍ ଡେଫିସିଟ୍ ନିୟନ୍ତ୍ରଣରେ ଅଛି । ୟୁବିଏସ କହିଛି ଯେ କରୋନା ମହାମାରୀ ପରେ, ସର୍ଭିସ୍ ଟ୍ରେଡ୍ ସର୍ପ୍ଲସ୍ ଏବଂ ରେମିଟାନ୍ସ ଫ୍ଲୋ ବଫର୍ ସୃଷ୍ଟି ହୋଇଛି । ଯାହା ସୁନାର ଆଉଟ୍ ଫ୍ଲୋକୁ କମ କରିଛି । ଭାରତ ବିଶ୍ୱର ବ୍ୟକ୍ତିଗତ ସୁନାର ୧୪% ମହଜୁଦ ରଖିଛି । ଯାହା ଭାରତକୁ ବିଶ୍ୱର ସର୍ବାଧିକ ଘରୋଇ ସୁନାର ଧାରକ କରୁଛି । ୟୁବିଏସ କହିଛି ଯେ ଭାରତୀୟ ପରିବାର କେବଳ ସୁନା ପ୍ରତି ଆଗ୍ରହୀ ନୁହଁନ୍ତି । ବରଂ ଏହା ଯୋଗୁଁ ସେମାନେ ଧନୀ ମଧ୍ୟ ହେଉଛନ୍ତି । ଅନିଶ୍ଚିତତାର ବିଶ୍ୱରେ, ସୁନା ପ୍ରତି ଭାରତର ବିଶ୍ୱାସ ଲାଭଦାୟକ ପ୍ରମାଣିତ ହେଉଛି।