ସର୍ବକାଳୀନ ଉଚ୍ଚ ସ୍ତରରେ ଭାରତର ପ୍ରତିରକ୍ଷା ଉତ୍ପାଦନ, ଆର୍ଥିକ ବର୍ଷ ୨୦୨୪-୨୫ରେ ୧.୫ ଲକ୍ଷ କୋଟି ଟଙ୍କାର ଡିଫେନ୍ସ ପ୍ରଡକ୍ସନ

Published By : Prameya-News7 Bureau | August 09, 2025 IST

ନୂଆଦିଲ୍ଲୀ: ଭାରତର ବାର୍ଷି ପ୍ରତିରକ୍ଷା ଉତ୍ପାଦନ ୨୦୨୪-୨୫ରେ ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଏହା କହିଛନ୍ତି । ପ୍ରତିରକ୍ଷା ଉତ୍ପାଦନରେ ଗତ ଆର୍ଥିକ ବର୍ଷ ୧.୨୭ ଲକ୍ଷ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷ ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ପ୍ରତିରକ୍ଷା ଉତ୍ପାଦନ ରେକର୍ଡ ସ୍ତରରେ ପହଞ୍ଚିଛି । ସେ କହିଛନ୍ତି, ଆର୍ଥିକ ବର୍ଷ ୨୦୨୪-୨୫ରେ ବାର୍ଷିକ ପ୍ରତିରକ୍ଷା ଉତ୍ପାଦନ ବଢି ୧,୫୦,୫୯୦ କୋଟି ଟଙ୍କାର ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । 

ପ୍ରତିରକ୍ଷା ମନ୍ତ୍ରୀ ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଏହି ସଂଖ୍ୟା ପୂର୍ବ ଆର୍ଥିକ ବର୍ଷର ୧.୨୭ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ତୁଳନାରେ ୧୮ ପ୍ରତିଶତର ମଜଭୁତ ବୃଦ୍ଧି ଅଟେ । ଏହା ସହ ୨୦୧୯-୨୦ ପରେ ୯୦ ପ୍ରତିଶତର ଆଶ୍ଚର୍ଯ୍ୟଜନକ ବୃଦ୍ଧିକୁ ଦର୍ଶାଉଛି । ସେତେବେଳେ ଏହି ସଂଖ୍ୟା ୭୯,୦୭୧ କୋଟି ଟଙ୍କା ଥିଲା । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏହି ଉପଲବ୍ଧକୁ ହାସଲ କରିବାରେ ବିଭାଗ ଓ ସମସ୍ତ ହିତାଧିକାରୀ, ଯେଉଁଥିରେ ସରକାରୀ କମ୍ପାନି ଓ ଘରୋଇ ଉଦ୍ୟୋଗ ସାମିଲ ଅଛନ୍ତି । ଏଥିପାଇଁ ସେ ସାମୂହିକ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଓ ଏହାକୁ ଐତିହାସିକ ଉପଲବ୍ଧି ବୋଲି କହିଛନ୍ତି ।

ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (SIPRI)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତ ଏବେ ପ୍ରତିରକ୍ଷା ଉପକରଣ ରପ୍ତାନିରେ ଏକ ଉଦୀୟମାନ ବିଶ୍ୱ ଖେଳାଳି ପାଲଟିଛି । ୨୦୧୪ରୁ ୨୦୨୪ ମଧ୍ୟରେ ଭାରତର ପ୍ରତିରକ୍ଷା ଆମଦାନୀରେ ୩୪%ର ଉଲ୍ଲେଖନୀୟ ହ୍ରାସ କରିଛି । ଅନ୍ୟପଟେ ପ୍ରତିରକ୍ଷା ରପ୍ତାନି ଅଭୂତପୂର୍ବ ଭାବରେ ୭୦୦%ରୁ ଅଧିକ ବୃଦ୍ଧି ପାଇଛି । ଭାରତ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଆତ୍ମନିର୍ଭର ଆଡକୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବୋଲି ରିପୋର୍ଟ କହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.