ଭାରତର ଚିନ୍ତା ବଢାଇଲା କୋହଲିଙ୍କ ଆଘାତ ସମସ୍ୟା, ଖେଳୁ ନାହାନ୍ତି ପ୍ରଥମ ଦିନିକିଆ

Published By : Prameya-News7 Bureau | February 06, 2025 IST

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ନାଗପୁରରେ ଖେଳା ଯାଉଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରୁଛନ୍ତି। ତେବେ କ୍ରିକେଟ୍ ପ୍ରେମୀଙ୍କୁ କିଛିଟା ନିରାଶ ହେବାକୁ ପଡିଛି। କାରଣ ତାରକା ଖେଳାଳି ବିରାଟ କୋହଲି ଆଜିର ମ୍ୟାଚ୍ ଖେଳୁ ନାହାନ୍ତି। ଆହତ କାରଣରୁ ସେ ପ୍ରଥମ ଦିନିକିଆରୁ ବାହାରେ ଥିବା ଟସ୍ ପଡିବା ସମୟରେ ସୂଚନା ଦେଇଥିଲେ ଅଧିନାୟକ ରୋହିତ ଶର୍ମା। ଆଜିର ମ୍ୟାଚ୍‌ରେ ଭାରତ ପକ୍ଷରୁ ଯଶସ୍ଵୀ ଜୟସ୍ଵାଲ ଓ ହର୍ଷିତ ରାଣା ଦିନିକିଆରେ ପଦାର୍ପଣ କରିଛନ୍ତି।

ଆଜି ମ୍ୟାଚ୍ ପୂବର୍ରୁ ଅଭ୍ୟାସ ସମୟରେ କୋହଲିଙ୍କୁ ଆଣ୍ଠୁରେ ବ୍ୟାଣ୍ଡେଜ ଭିଡା ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ତାଙ୍କ ଆଘାତ ସମସ୍ୟା କେତେ ଗୁରୁତର ତାହା ସ୍ପଷ୍ଟ ଜଣା ପଡିନାହିଁ। ଟସ୍ ସମୟରେ ରୋହିତ ଶର୍ମା କହିଥିଲେ ଯେ, ଗତକାଲି କୋହଲିଙ୍କ ଆଘାତ ସମସ୍ୟା ସାମ୍ନାକୁ ଆସିଥିଲା। ତେଣୁ ଆଜିର ମ୍ୟାଚ୍‌ରେ ସେ ଦଳରୁ ବାହାରେ ଅଛନ୍ତି। ଦୀର୍ଘ ଦିନ ଧରି ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲିଙ୍କଠୁ ଏହି ସିରିଜରେ ଭଲ ପ୍ରଦର୍ଶନ କରି ଫର୍ମକୁ ଫେରିବା ନେଇ ତାଙ୍କର ପ୍ରଶଂସକ ଆଶା ରଖିଥିଲେ। ହେଲେ ଟସ୍ ସମୟରେ ଜଣା ପଡ଼ିଲା ଯେ, ବିରାଟ କୋହଲି ଆଜିର ମ୍ୟାଚ୍ ଖେଳୁ ନାହାନ୍ତି।

ସୂଚନାଯୋଗ୍ୟ, ବିରାଟ କୋହଲି ୨୦୨୩ ଦିନିକିଆ ବିଶ୍ଵକପରେ ଦମଦାର ପ୍ରଦର୍ଶନ କରିଥିଲେ। ତେଣୁ ଦିନିକିଆ ଫର୍ମାଟରେ ଭଲ ପ୍ରଦର୍ଶନ କରି ଚମ୍ପିଆନ୍ସ ଟ୍ରଫିରେ ଦମଦାର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ତେବେ ଦ୍ଵିତୀୟ ମ୍ୟାଚ୍‌ରେ କୋହଲି ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ସେ ଫିଟ୍ ନୁହନ୍ତି ତେବେ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଦଳ ପାଇଁ ଏହା ଚିନ୍ତାର ବିଷୟ ପାଲଟିପାରେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.