ନୂଆଦିଲ୍ଲୀ: ଜୁନ୍ ୨୨ ତାରିଖରେ ଇରାନର ଫର୍ଦ୍ଦୋ ପରମାଣୁ କେନ୍ଦ୍ର ବିରୁଦ୍ଧରେ ଆମେରିକା ନିଜର ବଙ୍କର ବଷ୍ଟର ବୋମା GBU-57/Aକୁ ପକାଇବା ପରେ ଏ ଦିଗରେ ଭାରତ ମଧ୍ୟ କାମ ଆରମ୍ଭ କରିଦେଇଛି। ଭାରତ ଉନ୍ନତ ବଙ୍କର-ବଷ୍ଟର କ୍ଷମତା ବିକଶିତ କରିବା ପାଇଁ ନିଜସ୍ୱ ପ୍ରୟାସକୁ ତ୍ୱରାନ୍ୱିତ କରୁଛି। ବିଶ୍ୱ ସଂଘର୍ଷରୁ ଶିକ୍ଷା ନେଇ ଭାରତ ଭବିଷ୍ୟତର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି।
ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଅଗ୍ନି-୫ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଏକ ପରିବର୍ତ୍ତିତ ସଂସ୍କରଣକୁ ବିକଶିତ କରୁଛି। ପୂର୍ବ ମିସାଇଲ୍ ୫ ହଜାର କିଲୋମିଟରରୁ ଅଧିକ ପର୍ଯ୍ୟନ୍ତ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ କ୍ଷମତା ରଖୁଥିଲା। ସେହିପରି ନୂଆକରି ଡେଭଲପ କରାଯାଉଥିବା ଅଗ୍ନି-୫ ମିସାଇଲ୍ରେ ଯଦିଓ ରେଞ୍ଜ କମ୍ ରହିଛି ତେବେ ୭୫୦୦୦ କିଲୋଗ୍ରାମର ଏକ ବିଶାଳ ବଙ୍କର-ବଷ୍ଟର ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ଏଥିରେ ହେବ ବୋଲି କୁହାଯାଉଛି।
ନୂଆ ମିସାଇଲ୍ ଏତେ ଶକ୍ତିଶାଳୀ ହେବ ଯେ ଦୃଢ଼ କଂକ୍ରିଟ୍ ଚଟାଣ ତଳେ ଗଭୂର ଭୂଗର୍ଭରେ ଥିବା ଶତ୍ରୁର ପ୍ରତିଷ୍ଠାନଗୁଡ଼ିକୁ ଆକ୍ରମଣ କରି ପାରିବ। ଏହି କ୍ଷେପଣାସ୍ତ୍ର ବିସ୍ଫୋରଣ ପୂର୍ବରୁ ୮୦ ରୁ ୧୦୦ ମିଟର ଭୂତଳ ଭେଦ କରିବ ବୋଲି ଆଶା କରାଯାଉଛି।
ଭାରତ ନୂଆ ନୂଆ ଭୟଙ୍କର ମିସାଇଲ୍ ତିଆରି କରି ଆମେରିକା ସମକକ୍ଷ ହେବାକୁ ଉଦ୍ୟମ କରୁଛି। ନିକଟରେ ଆମେରିକା ଇରାନର ପରମାଣୁ ଭିତ୍ତିଭୂମି ଉପରେ ନିଜର ଶକ୍ତି ପ୍ରଦର୍ଶନ କରି ବିଶ୍ୱର ସର୍ବବୃହତ ପାରମ୍ପରିକ ବଙ୍କର-ବଷ୍ଟର ବୋମା ୧୪ GBU-୫୭ର ବ୍ୟବହାର କରିଥିଲା। ଏହକୁ ମଦର ଅଫ୍ ଅଲ ବମ୍ ବୋଲି କୁହାଯାଏ।
ହେଲେ ଭାରତ ଆମେରିକା ଠାରୁ ଆଗକୁ ବଢ଼ି ଦକ୍ଷ ବୋମା ତିଆରି କରିବାରେ ଲାଗିପଡ଼ିଛି। ଆମେରିକା ପରି ବଡ଼, ମହଙ୍ଗା ବୋମା ବିସ୍ଫୋରଣକାରୀ ବିମାନ ଉପରେ ନିର୍ଭର କରିବା ପରିବର୍ତ୍ତେ, ଭାରତ ଏହାର ବଙ୍କର ବଷ୍ଟରକୁ କ୍ଷେପଣାସ୍ତ୍ର ଦ୍ୱାରା ନିକ୍ଷେପ କରିବାକୁ ଡିଜାଇନ୍ କରୁଛି। ଯାହା ଏକ ଅଧିକ ସହଜ ଏବଂ କମ ଖର୍ଚ୍ଚରେ ହୋଇପାରିବ। ଏହି ଅନୁକୂଳନ ଏହି ଅଞ୍ଚଳରେ ରଣନୈତିକ ଯୋଜନାକୁ ପୁନଃଆକୃତି ଦେଇପାରେ।
ଅଗ୍ନି-୫ ମିସାଇଲ୍ର ଦୁଇଟି ନୂଆ ଭ୍ୟାରିଏଣ୍ଟର ଡେବଲପ କରାଯାଉଛି। ଯେଉଁଥିରେ ଗୋଟିଏରେ ଭୂମି ଉପର ଭିତ୍ତିଭୂମି ଟାର୍ଗେଟ୍ କରିବା ପାଇଁ ଏକ ଏୟାରବର୍ଷଟ ୱାରହେଡ୍ ହେବ। ସେହିପରି ଅନ୍ୟଟି ଏକ ଗଭୀର-ଭେଦକାରୀ କ୍ଷେପଣାସ୍ତ୍ର ହେବ, ଯାହା କଠିନ ଚଟାଣ ଭେଦ କରି ମାଟି ଗଭୀରରେ ଥିବା ଶତ୍ରୁ ଭିତ୍ତିଭୂମିକୁ ଟାର୍ଗେଟ୍ କରିବାକୁ ଡିଜାଇନ୍ କରାଯିବ। - ଏହା ଆମେରିକାର GBU-୫୭ ପରି ଭଳି ହେଲେ ବି ଏହା ଏକ ବଡ଼ ପେଲୋଡ୍ ସହ କାମ କରିବ ବୋଲି କୁହାଯାଉଛି।
ପ୍ରତ୍ୟେକ ଯୁଦ୍ଧାସ୍ତ୍ରର ଓଜନ ୮ ଟନ୍ ପର୍ଯ୍ୟନ୍ତ ହୋଇପାରେ, ଯାହା ସେମାନଙ୍କୁ ବିଶ୍ୱସ୍ତରରେ ସବୁଠାରୁ ଶକ୍ତିଶାଳୀ ପାରମ୍ପରିକ ଯୁଦ୍ଧାସ୍ତ୍ର ମଧ୍ୟରେ ସ୍ଥାନ ଦେବ। ମୂଳ ଅଗ୍ନି-୫ ମିସାଇଲ ତୁଳନାରେ ନୂଆ ଭ୍ୟାରିଏଣ୍ଟଗୁଡ଼ିକର ପରିସର ୨୫୦୦ କିଲୋମିଟର ହ୍ରାସ ପାଇଥିଲେ ମଧ୍ୟ, ସେମାନଙ୍କର ଧ୍ୱଂସକାରୀ କ୍ଷମତା ଏବଂ ସଠିକତା ଭାରତକୁ ଆହୁରି ମଜଭୁତ କରିବ।
ପାକିସ୍ତାନ ଏବଂ ଚୀନ୍ ଭଳି ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରଗୁଡ଼ିକରେ କମାଣ୍ଡ-ଏଣ୍ଡ-କଣ୍ଟ୍ରୋଲ ସେଣ୍ଟର, କ୍ଷେପଣାସ୍ତ୍ର ସାଇଲୋ ଏବଂ ଗୁରୁତ୍ୱପୂର୍ଣ୍ଣ ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିବା ପାଇଁ ଏଗୁଡ଼ିକ ଭାରତର ପାଇଁ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ ହେବ। ଏହି କ୍ଷେପଣାସ୍ତ୍ରଗୁଡ଼ିକ ମାକ୍ ୮ ଏବଂ ମାକ୍ ୨୦ ଗତିରେ ଯିବ ବୋଲି ଆଶା କରାଯାଉଛି। ଏଗୁଡ଼ିକୁ ହାଇପରସୋନିକ୍ ଅସ୍ତ୍ର ଭାବରେ ବର୍ଗିକରଣ କରାଯାଇଛି। ଯାହା ଆମେରିକାର ବଙ୍କର-ବଷ୍ଟର ସିଷ୍ଟମର ଗତି ସହ ତୁଳନୀୟ ହୋଇଥିଲେ ବି ଏଥିରେ ପେଲୋଡ୍ ଅଧିକ ରହିଛି।