ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ-କମ୍ବୋଡିଆ ସୀମା ଅଶାନ୍ତ। ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ନିଜ ନାଗରିକମାନଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛି ଥାଇଲ୍ୟାଣ୍ଡରେ ଥିବା ଭାରତୀୟ ଦୂତାବାସ। ଏଥିରେ ସେମାନଙ୍କୁ ସାତଟି ପ୍ରଦେଶକୁ ଯାତ୍ରା କରିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରାଯାଇଛି।
ସରକାରୀ ଥାଇ ପବ୍ଲିକ୍ ବ୍ରଡକାଷ୍ଟିଂ ସର୍ଭିସ ଅନୁଯାୟୀ, ଗୁରୁବାର ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସୀମା ସଂଘର୍ଷରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି।
ଥାଇଲ୍ୟାଣ୍ଡ-କମ୍ବୋଡିଆ ସୀମା ନିକଟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଥାଇଲ୍ୟାଣ୍ଡ ଯାତ୍ରା କରୁଥିବା ସମସ୍ତ ଭାରତୀୟ ଯାତ୍ରୀଙ୍କୁ ଥାଇଲ୍ୟାଣ୍ଡର ସରକାରୀ ସୂତ୍ରରୁ ଅପଡେଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ ଦୂତାବାସ ପକ୍ଷରୁ ଏକ ପୋଷ୍ଟରେ ସେୟାର କରିଛି।
ଥାଇଲ୍ୟାଣ୍ଡର ପର୍ଯ୍ୟଟନ କର୍ତ୍ତୃପକ୍ଷ ଦ୍ୱାରା ଜାରି ପୋଷ୍ଟରେ କୁହାଯାଇଛି ଯେ ଉଲ୍ଲେଖ କରାଯାଇଥିବା ସ୍ଥାନଗୁଡ଼ିକ ଯାତ୍ରା ପାଇଁ "ସୁପାରିଶ କରାଯାଇନାହିଁ"। ପର୍ଯ୍ୟଟନ କର୍ତ୍ତୃପକ୍ଷ କହିଛନ୍ତି ଯେ ଉବୋନ୍ ରାତ୍ଚାଥାନି, ସୁରିନ୍, ସିସାକେଟ୍, ବୁରିରାମ, ସା କାଏଓ, ଚାନ୍ଥାବୁରି ଏବଂ ତ୍ରାଟ୍ ପ୍ରଦେଶରେ ପରିଦର୍ଶନ କରିବା ପାଇଁ ପରାମର୍ଶ ଦିଆଯାଇନାହିଁ।