ୟମନରେ ଭାରତୀୟ ନର୍ସ ନିମିଷାଙ୍କୁ ଦିଆଯିବ ଫାଶୀ, ସ୍ଥିର ହୋଇଗଲା ତାରିଖ

Published By : Prameya-News7 Bureau | July 08, 2025 IST

ନୂଆଦିଲ୍ଲୀ: ୟମନର ଜଣେ ନାଗରିକ ତଲାଲ ଅବ୍ଦୋ ମେହଦୀଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ଫାଶୀ ଦଣ୍ଡ ତାରିଖ ସ୍ଥିର ହୋଇଛି । ଜୁଲାଇ ୧୬ରେ ତାଙ୍କୁ ଫାଶୀ ଦିଆଯିବ । ୟମନରେ ସରକାରୀ ଅଧିକାରୀ ଓ ତଲାଲଙ୍କ ପରିବାର ସହ ଆଲୋଚନାରେ ସାମିଲ ସାମାଜିକ କର୍ମୀ ସୈମୁଅଲ ଜେରୋମ ବାସ୍କରଣ ଏହି ସୂଚନା ଦେଇଛନ୍ତି ।

ଜେରୋମ କହିଛନ୍ତି ଯେ ଅଧିକାରୀମାନେ ପ୍ରିୟାଙ୍କ ଫାଶୀ ତାରିଖ ସ୍ଥିର କରିଛନ୍ତି । ନିମିଷାଙ୍କ ବିରୋଧରେ ଯେଉଁ ବ୍ୟକ୍ତିଙ୍କ ହତ୍ୟା ମାମଲା ଚାଲିଛି, ତାଙ୍କ ପରିବାର ସହ ଆଲୋଚନା ହୋଇଛି । ତେବେ କୌଣସି ସକାରାତ୍ମକ ପ୍ରତିକ୍ରିୟା ମିଳିପାରି ନାହିଁ । ୟମନର ଏହି ପରିବାରକୁ ଅନୁକମ୍ପା ରାଶି ବାବଦକୁ ୧୦ ଲକ୍ଷ ଡଲାର ପ୍ରସ୍ତାବ ଦିଆଯାଇଥିଲା । ଏହି ଅର୍ଥରାଶି ଏକାଠି କରିବା ପାଇଁ ସ୍ପନସର୍ସଙ୍କ ସାହାଯ୍ୟ ନିଆଯାଉଛି । ସୂତ୍ର ଅନୁସାରେ ନିମିଷାଙ୍କ ଜୀବନ ରକ୍ଷା କରିବା ପାଇଁ ଭାରତ ସରକାର ବି ହସ୍ତକ୍ଷେପ କରିପାରନ୍ତି ।

ନିମିଷା ହେଉଛନ୍ତି କେରଳର ପଲକ୍କଡର ମୂଳ ବାସିନ୍ଦା । ତାଙ୍କ ମାଆଙ୍କ ନାଁ ପ୍ରେମା କୁମାରୀ ଓ ସେ ପର ଘରେ କାମ କରି ଚଳନ୍ତି । ଗତ ବର୍ଷରୁ ସେ ୟମନରେ ଅଛନ୍ତି । ନିମିଷା ଦୀର୍ଷ ବର୍ଷ ଧରି ୟମନରେ ନର୍ସ ଚାକିରି କରୁଥିଲେ । ୨୦୧୭ରେ ତାଙ୍କ ବିରୋଧରେ ୟମନ ନାଗରିକଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଥିଲା । ୟମନର ମୃତ ନାଗରିକ ତଲାଲର ସହଯୋଗରେ ନିମିଷା କ୍ଲିନିକ୍ ପରିଚାଳନା କରୁଥିଲେ । ରିପୋର୍ଟ ଅନୁସାରେ ମାନସିକ ଓ ଶାରୀରିକ ଶୋଷଣ ଅସହ୍ୟ ହେବା ପରେ ସେ ତଲାଲଙ୍କୁ ହତ୍ୟା କରିଥିଲେ ।

ୟମନର ନିମ୍ନ ଅଦାଲତ ପ୍ରଥମେ ନିମିଷା ପ୍ରିୟାଙ୍କୁ ହତ୍ୟାଦଣ୍ଡ ଶୁଣାଇଥିଲେ । ଏହାପରେ ସୁପ୍ରିମକୋର୍ଟ ବି ନିମ୍ନ ଅଦାଲତଙ୍କ ରାୟକୁ ବଜାୟ ରଖିଥିଲେ । ୟମନ ରାଷ୍ଟ୍ରପତି ରାଶଦ ଅଲ୍ ଆଲିମି ମଧ୍ୟ ନିମିଷାଙ୍କୁ ମୃତ୍ୟୁଦଣ୍ଡ ଉପରେ ମୋହର ମାରିଥିଲେ । ନିମିଷାଙ୍କ ଦଣ୍ଡ କ୍ଷମା ପାଇଁ ଗୋଟିଏ ରାସ୍ତା ବାକି ଥିଲା । ଯଦି ତଲାଲଙ୍କ ପରିବାର ଆର୍ଥିକ ସହାୟତା ବଦଳରେ ମୁକ୍ତି ରାଜି ହୋଇଥାନ୍ତେ ତେବେ ନିମିଷାଙ୍କ ଫାଶୀ ଅଟକି ଯାଆନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.