ଭାରତୀୟ ନୌସେନାକୁ ମିଳିବ ନୂଆ ଯୁଦ୍ଧପୋତ, ଚିନ୍ତାରେ ଚୀନ୍ ଓ ପାକ୍

Published By : Prameya-News7 Bureau | May 05, 2025 IST

ନୂଆଦିଲ୍ଲୀ ୫।୫: ଭାରତୀୟ ନୌସେନା ଅଧିକ ମଜଭୁତ ହେବାକୁ ଯାଉଛି। କାରଣ ନୌସେନାକୁ ଖୁବଶୀଘ୍ର ଆଉ ଏକ ଅତ୍ୟାଧୁନିକ ଯୁଦ୍ଧପୋତ ମିଳିବାକୁ ଯାଉଛି। ଏହି ନୂଆ ଯୁଦ୍ଧପୋତର ନାମ ଆଇଏନଏସ୍ ତମାଳ ହେବ। ଏହି ଯୁଦ୍ଧପୋତ ନା କେବଳ ଭାରତୀୟ ନୌସେନା କ୍ଷମତାରେ ବୃଦ୍ଧି ହେବ ବରଂ ଚୀନ୍ ଓ ପାକି୍ସ୍ତାନ ଭଳି ଦେଶଙ୍କୁ ମଧ୍ୟ କଡ଼ା ବାର୍ତ୍ତା ଦେବ। ଆଇଏନଏସ ତମାଳକୁ ଋଷିଆ ୨୮ ମେ ୨୦୨୫ରେ ଭାରତକୁ ସମର୍ପଣ କରିବ ଓ ଜୁନରେ ଏହାକୁ ଅଧିକାରୀକ ଭାବେ ନୌସେନାରେ ସାମିଲ କରି ନିଆଯିବ। 

ଆଇଏନଏସ୍ ତମାଳ ଏକ ତଲବାର କ୍ଲାସ୍ ଗାଇଡେଡ ମିସାଇଲ ଫ୍ରିଗେଟ୍, ଯାହାକୁ ଋଷିଆର ୟାନତର ଶିପୟାର୍ଡରେ ନିର୍ମାଣ କରାଯାଇଛି। ଏହି ଯୁଦ୍ଧପୋତ ଜଳ,ସ୍ଥଳ ଓ ଆକାଶରେ ଆକ୍ରମଣ କରିବାକୁ ସକ୍ଷମ। ବ୍ରାହ୍ମୋସ ଆଣ୍ଟି ସିପ୍ ମିସାଇଲ ଏହାର ସବୁଠୁ ବଡ଼ କ୍ଷମତା, ଯାହା ସୁପର ସୋନିକ ବେଗରେ ଶତ୍ରୁର ଜାହାଜକୁ ଧ୍ୱଂସ କରିଦେଇ ପାରେ। ଏହା ଛଡା ଏହି ପୋତ ଆଡଭାନ୍ସ ସେନସର, ରାଡାର ଓ ଅସ୍ତ୍ରଶସ୍ତ୍ର ପ୍ରଣାଳୀରେ ସଜ୍ଜିତ, ଯାହା ଏହାକୁ ଅତ୍ୟାଧୁନିକ ଓ ବହୁ ଭୂମିକାର ପ୍ଲାଟଫର୍ମରେ ରୂପାନ୍ତରିତ କରୁଛି। 

ଆଇଏନଏସ ତମାଳ ଭାରତ ଓ ଋଷିଆ ମଧ୍ୟରେ ୨୦୧୬ ମସିହାରେ ହୋଇଥିବା ପ୍ରୋଜେକ୍ଟ ୧୧୩୫.୬ ଅନ୍ତର୍ଗତ ୪ଟି ଫ୍ରିଗେଟସ୍ ମଧ୍ୟରୁ ଗୋଟିଏ । ଏହି ପ୍ରକଳ୍ପରେ ୨ଟି ଯୁଦ୍ଧପୋତ ଋଷିଆରେ ଓ ଆଉ ଦୁଇଟି ଭାରତର ଗୋଆ ସିପୟାର୍ଡ ଲିମିଟେଡରେ ନିର୍ମାଣ କରାଯାଉଛି। ଏଥିରେ ଆଇଏନଏସ ତମାଳ ଋଷିଆରେ ନିର୍ମିତ ଦ୍ୱିତୀୟ ଯୁଦ୍ଧପୋତ। ଏହି ପ୍ରତିରକ୍ଷା ସହଯୋଗରୁ ଏହା ସ୍ପଷ୍ଟ ହେଉଛି ଯେ ଭାରତ ଓ ଋଷିଆ ମଧ୍ୟରେ ରଣନୈତିକ ଭାଗିଦାରୀ ଏବେବି ମଜଭୁତ ଓ ଦୁଇଦେଶ ରକ୍ଷା କ୍ଷେତ୍ରରେ ପରସ୍ପରକୁ ଗଭୀର ଭାବେ ସହଯୋଗ କରୁଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.