ନୂଆଦିଲ୍ଲୀ ୨୩।୫: ପାକିସ୍ତାନ ନିମନ୍ତେ ଭାରତ ନିଜର ବାୟୁ କ୍ଷେତ୍ର (ଏୟାରସ୍ପେସ୍)କୁ ଜୁନ ୨୩ ପର୍ଯ୍ୟନ୍ତ ବନ୍ଦ କରିଦେଇଛି। ସେପଟେ ଭାରତୀୟ ବିମାନଙ୍କ ନିମନ୍ତେ ପାକିସ୍ତାନ ନିଜ ଏୟାରସ୍ପେସ୍ ନିଶିଦ୍ଧାଦେଶକୁ ୧ ମାସ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛି। ଏଥି ପାଇଁ ପାକିସ୍ତାନ ଶୁକ୍ରବାର ନୋଟମ ଜାରି କରିଛି। ଏଥିରେ କୁହାଯାଇଛି ଯେ ୨୩ଜୁନ ୨୦୨୫ ପର୍ଯ୍ୟନ୍ତ ପାକିସ୍ତାନ ବାୟୁ କ୍ଷେତ୍ର ଭାରତୀୟ ବିମାନ, ଅପରେଟର ସଞ୍ଚାଳିତ, ମାଲିକାନାଧୀନ ଅଥବା ଭଡ଼ାରେ ଚାଲୁଥିବା ବିମାନ ଲାଗି ବନ୍ଦ ରହିବ।
ଏହି ନିଷିଦ୍ଧାଦେଶ କେବଳ ଯାତ୍ରୀ ବିମାନ ନୁହେଁ ସାମରିକ ବିମାନ ଉଡାଣ ଉପରେ ମଧ୍ୟ ବଳବତ୍ତର ରହିବ। ୨୨ ଏପ୍ରିଲ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏଣୁ ଉଭୟ ଦେଶ ପରସ୍ପର ପାଇଁ ନିଜ ବାୟୁକ୍ଷେତ୍ର ନିଷିଦ୍ଧ କରିଛନ୍ତି। ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ପାଇଁ ପ୍ରଥମେ ପାକିସ୍ତାନ ଏପ୍ରିଲ ୨୪ ତାରିଖରେ ପ୍ରଥମେ ନିଜ ବାୟୁକ୍ଷେତ୍ର ନିଷିଦ୍ଧ ଘୋଷଣା କରିଥିଲା। ଏହି ନିଷିଦ୍ଧାଦେଶ ମେ ୨୪ ତାରିଖ ପୂର୍ବାହ୍ନ ୫ଟା ୨୯ ମିନିଟ୍ ପର୍ଯ୍ୟନ୍ତ ଥିଲା।
ତେବେ ଏହି ଅବଧି ସମାପ୍ତ ହେବା ପୂର୍ବରୁ ପାକିସ୍ତାନ ତାର ନୋଟମ ଅବଧି ସମ୍ପ୍ରାସାରଣ କରିଥିବା ବେଳେ ଭାରତ ମଧ୍ୟ ପାକିସ୍ତାନ ଲାଗି ନିଜ ବାୟୁକ୍ଷେତ୍ର ନିଷିଦ୍ଧାଦେଶକୁ ୧ ମାସ ପର୍ଯ୍ୟନ୍ତ ବଢାଇ ଦେଇଛି। ପାକିସ୍ତାନ ବାୟୁକ୍ଷେତ୍ର ଭାରତୀୟ ବିମାନଙ୍କ ନିମନ୍ତେ ବନ୍ଦ ଥିବାରୁ ମଧ୍ୟଏସିୟା, ପଶ୍ଚିମ ଏସିୟା, ୟୁରୋପ, ବ୍ରିଟେନ ଓ ଉତ୍ତର ଆମେରିକା ଯିବା ପାଇଁ ରାସ୍ତା ବଦଳା ଯାଇଛି। ଏଥି ଯୋଗୁ ସମୟ ଓ ଇନ୍ଧନ ବ୍ୟୟ ଅଧିକ ହେଉଛି।