ନୂଆଦିଲ୍ଲୀ ୨୩।୧୨: ଇସ୍ରାଏଲ-ଇରାନ ସଂଘର୍ଷ ମଧ୍ୟରେ ଆମେରିକା ଇରାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏଣୁ ଇରାନ ସଂସଦରେ ରବିବାର ଅନ୍ତର୍ଜାତୀୟ ତୈଳ କରିଡର ହର୍ମୁଜ ଷ୍ଟ୍ରେଟ୍ କୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଇରାନର ଏହି ନିଷ୍ପତ୍ତି ବିଶ୍ୱ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇବ। ଖାସ କରି ଅଶୋଧିତ ତୈଳ ଯୋଗାଣ ଉପରେ ଗଭୀର ପ୍ରଭାବ ପଡିବ। ଏଣୁ ବିଶ୍ୱରେ ତୈଳ ମୂଲ୍ୟ ବୃଦ୍ଧି ହୋଇପାରେ।
ତେବେ ଇରାନ ଓ ଅନ୍ୟ ଉପସାଗରୀୟ ଦେଶମାନଙ୍କରୁ ବ୍ୟାପକ ଅଶୋଧିତ ତୈଳ ଓ ଗ୍ୟାସ ଆମଦାନୀ କରୁଥିବା ଭାରତ ପୂର୍ବରୁ ଏହି ପରିସ୍ଥିତିକୁ ଅନୁମାନ କରିନେଇଥିଲା। ଏଣୁ ଭାରତ ନିଜର ତୈଳ ଯୋଗାଣ ଅବ୍ୟହତ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏଥିରେ ଭାରତ ମଧ୍ୟ-ପ୍ରାଚ୍ୟ ଯୋଗାଣକାରୀଙ୍କ ଉପରେ ନିର୍ଭରତା ହ୍ରାସ କରି ଋଷିଆ ଓ ଆମେରିକାରୁ ତୈଳ ଆମଦାନୀ ବଢେଇ ଦେଇଛି।
କେନ୍ଦ୍ର ତୈଳ ଓ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଥିବା ବେଳେ ଆମ କମ୍ପାନୀମାନଙ୍କ ନିକଟରେ ଅନେକ ସପ୍ତାହ ପର୍ଯ୍ୟନ୍ତ ତୈଳ ଷ୍ଟକ୍ ଥିବା କହିଛନ୍ତି। ସେ କହିଛନ୍ତି ଯେ ଆମେ ତୈଳ କମ୍ପାନୀମାନଙ୍କୁ ହର୍ମୁଜ ଷ୍ଟ୍ରେଟ୍ ବ୍ୟତୀତ ଅନ୍ୟ ମାର୍ଗରୁ ତୈଳ ଯୋଗାଣ ଅବ୍ୟହତ ରହିଛି। ସେ କହିଛନ୍ତି ଯେ ଭାରତ ମୋଟ ୫.୫ ମିଲିୟନ ବ୍ୟାରଲ ଅଶୋଧିତ ତୈଳ ଆମଦାନୀ କରୁଛି। ଏଥିରୁ ମାତ୍ର ୧.୫ରୁ ୨ ମିଲିୟନ ବ୍ୟାରଲ ତୈଳ ହର୍ମୁଜ ଷ୍ଟ୍ରେଟ ଦେଇ ଦେଶକୁ ଆସୁଛି। ତେବେ ବାକି ତୈଳ ମାର୍ଗରୁ ୪ ମିଲିୟନ ବ୍ୟାରଲ ତୈଳ ଦେଶକୁ ଆସୁଛି।
ଗ୍ଲୋବାଲ ଟ୍ରେଡ ଆନାଲିଷ୍ଟ ଫାର୍ମ କେପଲର ଅନୁସାରେ ଗତ ଜୁନରେ ଋଷିଆରୁ ଭାରତର ତୈଳ ଆମଦାନୀ ଗତ ୨ ବର୍ଷରେ ସବୁଠୁ ଅଧିକ ଥିଲା। ଏହି ସମୟରେ ପ୍ରତିଦିନ ୨୦ରୁ ୨୨ ଲକ୍ଷ ବ୍ୟାରଲ ଅଶୋଧିତ ତୈଳ ଋଷିଆରୁ ଆମଦାନୀ ହେଉଥିଲା। ଏହି ଆମଦାନୀ ଇରାକ, ସାଉଦୀ ଆରବ, ୟୁଏଇ, କୁଏତରୁ କରାଯାଉଥିବା ମୋଟ ଆମଦାନୀରୁ ବି ଅଧିକ। ଯାହା ଦୈନିକ ୨୦ ଲକ୍ଷ ବ୍ୟାରଲ ପର୍ଯ୍ୟନ୍ତ ଥିଲା। ଏହା ପୂର୍ବରୁ ଭାରତ ମେ ମାସରେ ଦୈନିକ ୧୯.୬ ଲକ୍ଷ ବ୍ୟାରଲ ଅଶୋଧିତ ତୈଳ ଋଷିଆରୁ ଆମଦାନୀ କରୁଥିଲା।
କେବଳ ଋଷିଆ ନୁହେଁ ଜୁନରେ ଆମେରିକାରୁ ମଧ୍ୟ ତୈଳ ଆମଦାନୀ ବଢେଇ ଦେଇଥିଲା ଭାରତ। ଏହି ସମୟରେ ଆମେରିକାରୁ ଦୈନିକ ୪ଲକ୍ଷ ୩୯ ହଜାର ବ୍ୟାରଲ ତୈଳ ଆମଦାନୀ ହେଉଥିଲା। ତେବେ ଏହା ପୂର୍ବରୁ ମେ ମାସରେ ଏହି ଆମଦାନୀ ଦୈନିକ ୨ଲକ୍ଷ ୮ ହଜାର ବ୍ୟାରଲ ଥିଲା। ରିପୋର୍ଟ ଅନୁସାରେ ଜୁନମାସର ପ୍ରଥମ ୧୯ ଦିନ ଋଷିଆ ସିପମେଣ୍ଟ ଭାରତର ମୋଟ ଅଶୋଧିତ ତୈଳର ୩୫% କଭର କରିଛି। ରଟୋଲିୟା ଅନୁସାରେ ଯଦି ହର୍ମୁଜ ଷ୍ଟ୍ରେଟରେ କାରବାର ବନ୍ଦ ହୁଏ ତେବେ ଋଷୀୟ ତୈଳ ଆମଦାନୀ ଭାରତ ଆହୁରି ବଢାଇ ଦେବ।
ଏଥିରେ ଯଦି ଆବଶ୍ୟକତା ପୂରଣରେ ବଧା ଉପୁଜେ ଅଧିକ ପରିବହନ ବ୍ୟୟ ସତ୍ତ୍ୱେ ଆମେରିକା, ନାଇଜେରିୟା, ଅଙ୍ଗୋଲା ଓ ବ୍ରାଜିଲରୁ ଭାରତ ତେଲ ଆମଦାନୀ ବଢାଇପାରେ।