ନୂଆଦିଲ୍ଲୀ: ଡିଲ୍ ପୂର୍ବରୁ ଆମେରିକାର ଟାରିଫ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗାଡ଼ିବାରେ ଲାଗିଛି। ଟ୍ରମ୍ପ ଶୁଳ୍କ ଲଗାଇବା କଥା କହିବା ସହିତ ଜରିମାନା ଆଦାୟ କରିବାକୁ ଧମକ ଦେବା ଓ ଭାରତର ଅର୍ଥନୀତିକୁ ମୃତ ଅର୍ଥନୀତି ବୋଲି କହିବା ଆଦି ବିବାଦ ସୃଷ୍ଟି କରିଛି। ଏହାରି ଭିତରେ ଭାରତ ପକ୍ଷରୁ ଆକ୍ସନ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାରତ ଆମେରିକା ଠାରୁ ଏଫ୍-୩୫ ଷ୍ଟିଲ୍ଥ ଫାଇଟର ଜେଟ୍ କିଣିବ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
ଆମେରିକାର ଏଫ୍-୩୫ ଷ୍ଠିଲ୍ଥ ଯୁଦ୍ଧ ବିମାନକୁ କିଣିବାକୁ ଆଗ୍ରହୀ ନୁହେଁ ବୋଲି ଭାରତ ଆମେରିକୀୟ ଅଧିକାରୀମାନଙ୍କୁ କହିଛି। ବିଶେଷ ସୂତ୍ରରୁ ଖବର ନେଇ ରିପୋର୍ଟ ପ୍ରକାଶ କରିଛି ବ୍ଲୁମବର୍ଗ। F-35 ହେଉଛି ଆମେରିକାର ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ। ଏହାକୁ ଲକହିଡ୍ ମାର୍ଟିନ୍ କମ୍ପାନୀ ଦ୍ୱାରା ବିକଶିତ କରାଯାଇଛି।
ବ୍ଲୁମବର୍ଗର ରିପୋର୍ଟ ଅନୁସାରେ ମୋଦୀ ସରକାର ନିକଟ ଭବିଷ୍ୟତରେ ଆମେରିକା ସହିତ କୌଣସି ବଡ଼ ପ୍ରତିରକ୍ଷା ଚୁକ୍ତି କରିବାକୁ ଚାହୁଁ ନାହାଁନ୍ତି। ସରକାର ସହଭାଗୀତାରେ ପ୍ରତିରକ୍ଷା ଉପକରଣ ନିର୍ମାଣ ପାଇଁ ଅଧିକ ଆଗ୍ରହୀ ଅଛନ୍ତି। ଅର୍ଥାତ୍, ଭାରତ ଦେଶରେ ଟେକ୍ନୋଲୋଜୀ ଟ୍ରାନ୍ସଫର ଏବଂ ଉତ୍ପାଦନ ସର୍ତ୍ତରେ ପ୍ରତିରକ୍ଷା ଚୁକ୍ତି ଚାହୁଁଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ଚଳିତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହ୍ୱାଇଟ୍ ହାଉସ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଯୁଦ୍ଧ ବିମାନ ବିକ୍ରୟ କରିବାକୁ ପ୍ରସ୍ତାବ ଦେଇଥିଲେ। ସେହିପରି ଏପ୍ରିଲରେ ଭାରତ ଗସ୍ତରେ ଆସିଥିବା ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଭାରତକୁ ଏଫ-୩୫ କିଣିବାକୁ ଅଫର ଦେଇଥିଲେ।
ଭାରତ ଓ ଆମେରିକା ଟ୍ରେଡ୍ ଡିଲ୍ ନେଇ ବ୍ଲମୁବର୍ଗ ରିପୋର୍ଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ଭାରତ ସରକାର ଟ୍ରମ୍ପଙ୍କ ଟାରିଫର ଜବାବ ଦେବାକୁ ଭିତରେ ଭିତରେ ବାଟ ଖୋଜୁଛନ୍ତି। ବିକଳ୍ପର ସନ୍ଧାନରେ ଅଛନ୍ତି। ଏଥିପାଇଁ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଉ ନାହିଁ।
ସୂଚନା ଥାଉକି ୩୦ ତାରିଖ ଦିନ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଜବାବୀ ଶୁଳ୍କ ଲାଗୁ କରିଥିଲେ। ଯାହା ଅଗଷ୍ଟ ୭ ତାରିଖରୁ ଲାଗୁ ହେଉଛି। ନୂଆ ଶୁଳ୍କ ଆଦାୟ ପାଇଁ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ କଷ୍ଟମ୍ସ ଏବଂ ବର୍ଡର ପ୍ରୋଟେକ୍ସନକୁ ସମୟ ଦେବା ପାଇଁ ଶୁଳ୍କ ସମୟସୀମା ବୃଦ୍ଧି କରାଯାଇଛି।
ଭାରତ ପାଖରେ F-35 ଲଢ଼ୁଆ ବିମାନର ବିକଳ୍ପ କ’ଣ ଅଛି?
ପ୍ରକୃତରେ ଭାରତ ଆମେରିକାର ଏଫ୍-୩୫ ଲଢ଼ୁଆ ବିମାନର ବିକଳ୍ପ ଭାବରେ ଋଷର ସୁ-୫୭ ବିମାକୁ ଦେଖୁଛି। ରୁଷକୁ ମଧ୍ୟ ଭାରତକୁ ତା’ର ପଞ୍ଚମ ପିଢ଼ିର ବିମାନ Su-57 ବିକିବାକୁ ଅଫର ଦେଇଛି। ଯାହାର ମୂଲ୍ୟ ଆମେରିକାର F-35 ତୁଳନାରେ ଅଧା। ରିପୋର୍ଟ ଅନୁସାରେ, ଗୋଟିଏ ଏସୟୁ-୫୭ର ମୂଲ୍ୟ ପ୍ରାୟ ୩୨୫ କୋଟି ଟଙ୍କା। ଏହାର ରକ୍ଷଣାବେକ୍ଷଣ ମଧ୍ୟ F-35 ତୁଳନାରେ ଶସ୍ତା ହେବ।
ସେପଟେ ଯଦି ଭାରତ ଆମେରିକାରୁ F-35 କିଣୁଛି, ତେବେ ସର୍ଭିସ୍ ଠାରୁ ଆରମ୍ଭ କରି ସ୍ପେୟାର ପାର୍ଟସ ପର୍ଯ୍ୟନ୍ତ ସବୁକିଛି ପାଇଁ ଆମେରିକୀୟ କମ୍ପାନୀ ଉପରେ ନିର୍ଭର କରିବାକୁ ପଡିବ। ହେଲେ Su-57ରେ ଏହି ସମସ୍ୟା ନାହିଁ। ରୁଷ ଏହାକୁ ଭାରତରେ ହିଁ ଉତ୍ପାଦନ କରିବାକୁ ପ୍ରସ୍ତାବ ଦେଇଛି। ଏହା ସହିତ ଜଡିତ ସମସ୍ତ ସେବା ମଧ୍ୟ ଭାରତରେ କରାଯିବ।
୨. ଭାରତ ନିଜେ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ବିକଶିତ କରୁଛି।
ସେପଟେ ଭାରତ ନିଜେ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ତିଆରି କାମ ଜାରି ରଖିଛି। ଯାହା ୨-୩ ବର୍ଷ ମଧ୍ୟରେ ଶେଷ ହେବ। ଏପ୍ରିଲ ୨୦୨୪ ରେ, ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS) ସ୍ୱଦେଶୀ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନର ଡିଜାଇନ୍ ଏବଂ ବିକାଶ ପାଇଁ ୧୫,୦୦୦ କୋଟି ଟଙ୍କାର ଏକ ପ୍ରକଳ୍ପକୁ ଅନୁମୋଦନ କରିଥିଲା। କ୍ୟାବିନେଟ କମିଟି ଅନୁଯାୟୀ, AMCA ବିମାନଟି ଭାରତୀୟ ବାୟୁସେନାର ଅନ୍ୟ ଲଢ଼ୁଆ ବିମାନ ଅପେକ୍ଷା ବଡ଼ ହେବ। ଶତ୍ରୁ ରାଡାରରୁ ରକ୍ଷା ପାଇବା ପାଇଁ ଏଥିରେ ଉନ୍ନତ ଗୁପ୍ତ ପ୍ରଯୁକ୍ତିବିଦ୍ୟା(ଆଡଭାନ୍ସ୍ଡ ଷ୍ଟିଲ୍ଥ ଟେକ୍ନୋଲୋଜୀ) ରହିବ। ଭାରତରେ ତିଆରି ହେଉଥିବା ବିମାନ ବର୍ତ୍ତମାନ ବିଶ୍ୱରେ ଥିବା ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ ଭଳି ହେବ କିମ୍ବା ତା'ଠାରୁ ମଧ୍ୟ ଭଲ ହେବ ବୋଲି କୁହାଯାଉଛି।