ବେଙ୍ଗାଲୁରୁ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବେଙ୍ଗାଲୁରୁ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ହୋଇଛି । ପ୍ରଥମ ଇନିଂସରେ ଫ୍ଲପ୍ ଶୋ କରିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ କମ୍ ବ୍ୟାକ୍ କରିଛି । ତୃତୀୟ ଦିନ ଖେଳ ଶେଷରେ ଭାରତ ୩ ୱିକେଟ୍ ହରାଇ ୨୩୧ ରନ୍ କରିଛି । ଏହା ପୂର୍ବରୁ ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ଟିମ୍ ୪୦୩ କରି ୩୬୫ ରନ ଲିଡ୍ ଦେଇଥିଲା ।
ପ୍ରଥମ ଇନିଂସ ଆଧାରରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡଠାରୁ ୧୨୫ ରନ୍ ପଛରେ ରହିଥିବା ବେଳେ ହାତରେ ୭ ୱିକେଟ୍ ରହିଛି । ଆଜି ତୃତୀୟ ଦିନରେ ଭାରତ ପକ୍ଷରୁ କ୍ୟାପ୍ଟେନ ରୋହିତ ଶର୍ମାଙ୍କ ସମେତ ବିରାଟ କୋହଲି ଏବଂ ସରଫରାଜ ଖାନ ଅର୍ଦ୍ଧଶତକ ହାସଲ କରିଥିଲେ ।
ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ବିରାଟ କୋହଲି ୧୦୨ ବଲ୍ରେ ୭୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ । ଆଜି ମ୍ୟାଚ୍ରେ ବିରାଟଙ୍କ ଏବଂ ସରଫରାଜ ଉଭୟଙ୍କ ମଧ୍ୟରେ ୧୩୬ ରନ୍ର ପାର୍ଟନର୍ଶିପ୍ ହୋଇଥିଲା । ତୃତୀୟ ଦିନର ଖେଳର ଶେଷ ବଲ୍ରେ ବିରାଟ ଆଉଟ ହୋଇଛନ୍ତି । ସରଫରାଜ ଖାନ୍ ୭୦ ରନ୍ କରି ଅପରାଜିତ ଅଛନ୍ତି ।
ତାଙ୍କ ପୂର୍ବରୁ ରୋହିତ ଶର୍ମା ୫୨ ରନ୍ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ରୋହିତ୍ ଓ ଜଶସ୍ୱୀ ଜୟସ୍ୱାଲ ପ୍ରଥମ ୱିକେଟ୍ ପାଇଁ ୭୨ ରନ୍ର ଯୋଗଦାନ ଦେଇଥିଲେ । ତେବେ ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ଜୟସ୍ୱାଲ୍ଙ୍କ ବ୍ୟାଟ୍ ଚାଲି ନଥିଲା । ସେ ୩୫ ରନ୍ କରି ପାଭିଲିଅନ ଫେରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ୍ ସର୍ବାଧିକ ୨ ୱିକେଟ୍ ନେଇଥିବା ବେଳେ ଶେଷ ବଲରେ ଗ୍ଲେନ ଫିଲିପ୍ସ ବିରାଟଙ୍କ ୱିକେଟ୍ ନେଇଥିଲେ ।
ଚତୁର୍ଥ ଦିନ ଖେଳ ଆରମ୍ଭରେ ଭାରତ ୱିକେଟ ନ ହରାଇ ନ୍ୟୁଜିଲ୍ୟାଣ୍ଡର ଲିଡକୁ ଟପି ଭ୍ରମଣକାରୀ ଦଳକୁ ବଡ଼ ଲିଡ୍ ଦେବାକୁ ଚେଷ୍ଟା କରିବ । ବେଙ୍ଗାଲୁରୁ ଟେଷ୍ଟରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । କିନ୍ତୁ ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ମାତ୍ର ୪୬ ରନ୍ କରି ଅଲ ଆଉଟ ହୋଇଯାଇଥିଲା । ଯାହା ଭାରତୀୟ ମାଟିରେ ଟିମ୍ ଇଣ୍ଡିଆର ସବୁଠାରୁ ଲୋ ସ୍କୋର ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୪୦୨ ରନ୍ କରି ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ରଚିନ୍ ରବିନ୍ଦ୍ର ୧୫୭ ବଲରେ ୧୩୪ ରନ୍ ସଂଗ୍ରହ କରିଥିଲେ । ଫଳରେ କିୱି ଦଳ ଭାରତ ବିପକ୍ଷ ପ୍ରଥମ ଇନିଂସରେ ୪୦୨ ରନ୍ ସଂଗ୍ରହ କରି ୩୫୬ ରନ୍ ଅଗ୍ରଣୀ ହାସଲ କରିଥିଲା । ରଚିନ୍ ରବିନ୍ଦ୍ରଙ୍କ ବ୍ୟତୀତ ଡିଭନ୍ କନୱେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ପାଇଁ ୯୧ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଟିମ୍ ସାଉଦି ମଧ୍ୟ ଲୋ ଅର୍ଡରରେ ୬୫ ରନ୍ କରିଥିଲେ ।