ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଗୁରୁବାରଠାରୁ ଲର୍ଡ୍ସରେ ଖେଳାଯିବ । ଆୟୋଜକ ଇଂଲଣ୍ଡର ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଲଗାତାର ତୃତୀୟ ମ୍ୟାଚ୍ରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଟସ୍ ହାରିଛନ୍ତି । ଦୁଇ ଟିମ୍ ଏହି ମ୍ୟାଚ ପାଇଁ ନିଜର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିଛନ୍ତି । ଇଂଲଣ୍ଡ ଟିମରେ ଜୋଶ ଟଙ୍ଗଙ୍କ ସ୍ଥାନରେ ଜୋଫ୍ରା ଆର୍ଚରଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ଭାରତୀୟ ଟିମରେ ଜଶପ୍ରିତ ବୁମରାଙ୍କ ପ୍ରତ୍ୟାର୍ବତ୍ତନ ହୋଇଛି । ଲିଡ୍ସରେ ପ୍ରଥମ ମ୍ୟାଚରେ ଭାରତକୁ ୫ ୱିକେଟରେ ଇଂଲଣ୍ଡ ପରାସ୍ତ କରିଥିଲା । ଅନ୍ୟପଟେ ଭାରତ ବର୍ମିଂହାମରେ ଦ୍ୱିତୀୟ ଟେଷ୍ଟରେ ଭାରତ ୩୩୬ ରନ୍ରେ ବିଜୟୀ ହୋଇଥିଲା । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ-ଇଂଲଣ୍ଡ ୧-୧ରେ ବରାବରରେ ଅଛନ୍ତି ।
ଲର୍ଡ୍ସ ଗ୍ରାଉଣ୍ଡରେ ଭାରତର ପ୍ରଦର୍ଶନ ନିରାଶଜନକ ରହିଛି । ୧୯୩୨ ମସିହାରେ ଏହି ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟ ଖେଳିଥିଲା ଟିମ୍ ଇଣ୍ଡିଆ । ବର୍ତ୍ତମାନ ସୁଦ୍ଧା ୧୯ଟି ଟେଷ୍ଟ ମ୍ୟାଚ୍ ଖେଳିସାରିଛି । ତେବେ ଏଥିରୁ କେବଳ ୩ଟି ମ୍ୟାଚରେ ହିଁ ବିଜୟ ମିଳିଛି । ୪ଟି ମ୍ୟାଚ୍ ଡ୍ର’ ରହିଛି ଓ ୧୨ଟି ମ୍ୟାଚ୍ରେ ପରାଜୟ ମିଳିଛି ।
ଭାରତର ଚୂଡାନ୍ତ ଏକାଦଶ: ଯଶସ୍ୱୀ ଜୟସ୍ୱାଲ, କେ.ଏଲ୍ ରାହୁଲ, କରୁଣ ନାୟର, ଶୁଭମନ ଗିଲ୍ (ଅଧିନାୟକ), ରିଷଭ ପନ୍ତ (ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଆକାଶଦୀପ, ଜଶପ୍ରୀତ ବୁମରା, ମହମ୍ମଦ ସିରାଜ
ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ: ଜ୍ୟାକ୍ କ୍ରାଉଲି, ବେନ୍ ଡକେଟ, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜେମି ସ୍ମିଥ୍ (ୱିକେଟକିପର), କ୍ରିସ୍ ୱକ୍ସ, ବ୍ରାଇଡନ୍ କାର୍ସେ, ଜୋଫ୍ରା ଆର୍ଚର, ସୋଏବ୍ ବଶିର
ଟସ୍ ହାରିବାର ଅଲୋଡା ରେକର୍ଡ
୨୦୨୫ ମସିହାରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ର ଟସ୍ ହାରିବା ଧାରା ଜାରି ରହିଛି । ଭାରତୀୟ ପୁରୁଷ ଓ ମହିଳା ଟିମ୍ ଚଳିତ ଜୁଲାଇ ସୁଦ୍ଧା ୧୭ ଟସ୍ ହାରି ସାରିଛନ୍ତି । ପୁରୁଷ ଟିମ୍ ଶେଷ ଥର ପାଇଁ ୨୦୨୫ ଜାନୁଆରୀରେ ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ବିପକ୍ଷରେ ରାଜକୋଟରେ ଟସ୍ ଜିତିଥିଲେ । ସେହିପରି ମେ' ମାସରେ ଶ୍ରୀଲଙ୍କା ବିପକ୍ଷରେ ହରମନପ୍ରିତ କୌର ଟସ୍ ଜିତିଥିଲେ । ଦୁଇ ଟିମ୍ ୨୦୨୫ରେ ବର୍ତ୍ତମାନ ସୁଦ୍ଧା ଖେଳିଥିବା ୧୯ ମ୍ୟାଚ୍ ମଧ୍ୟରୁ କେବଳ ଦୁଇ ଥର ଟସ୍ ଜିତିଛନ୍ତି ।