ନୂଆଦିଲ୍ଲୀ ୦୩/୦୬: ଟ୍ରମ୍ପ ସରକାର ମନ୍ତ୍ରୀଙ୍କ ଭାରତ ପ୍ରେମ । ୱାଶିଂଟନ ଡିସିରେ ଅନୁଷ୍ଠିତ ବୈଠକରେ କହିଲେ ମୁଁ ଭାରତର ଗୋଟିଏ ବଡ ପ୍ରଶଂସକ । ଆମେରିକା-ଭାରତ ରଣନୈତିକ ସହଭାଗୀତା ଫୋରମରେ ଏମିତି କହିଛନ୍ତି ଆମେରିକାର ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିକ୍ । ଆହୁରି ବି ଭାରତ ଏବଂ ଆମେରିକା ମଧ୍ୟରେ ସୁଦୃଢ଼ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ବିଷୟରେ ସେ ଆଲୋଚନା କରିଥିଲେ । ସେ କହିଛନ୍ତି ଯେ ଟ୍ରମ୍ପ ହେଉଛନ୍ତି ଆମେରିକାର ଏକମାତ୍ର ନେତା ଯିଏ ସମଗ୍ର ଦେଶ ଦ୍ୱାରା ନିର୍ବାଚିତ ହୋଇଛନ୍ତି । ଭାରତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଥିତି ମଧ୍ୟ ସମାନ । ବିଶ୍ୱରେ ବହୁତ କମ୍ ନେତା ଅଛନ୍ତି ଯେଉଁମାନେ ସମଗ୍ର ଦେଶର ଜନାଦେଶ ପାଇଛନ୍ତି । ଏହା ହିଁ ଉଭୟଙ୍କ ମଧ୍ୟରେ ସମ୍ପର୍କକୁ ବିଶେଷ ଓ ବିରଳ କରିଥାଏ।
ସେ ଏହି ଦୃଢ଼ ସମ୍ପର୍କକୁ ବାଣିଜ୍ୟ ଚୁକ୍ତିନାମା ଦୃଷ୍ଟିରୁ ଏକ ସକାରାତ୍ମକ ଆରମ୍ଭ ଭାବରେ ବର୍ଣ୍ଣନା କରିଥିଲେ । ଲୁଟନିକ୍ କହିଛନ୍ତି, 'ଯେତେବେଳେ ସମ୍ପର୍କ ଦୃଢ଼ ହୁଏ, ବାଣିଜ୍ୟ ଚୁକ୍ତିନାମାର ପଥ ସହଜ ହୋଇଯାଏ।' ହାୱାର୍ଡ ଲୁଟନିକ୍ କହିଛନ୍ତି ଯେ ବାଣିଜ୍ୟ ଚୁକ୍ତିନାମା ସାଧାରଣତଃ ବର୍ଷ ବର୍ଷ ଧରି ଚାଲିଥାଏ । କିନ୍ତୁ ଭାରତ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରୁଛି । ସେ କହିଛନ୍ତି, 'ଯେଉଁ ଦେଶଗୁଡ଼ିକ ପ୍ରଥମେ ସଂପର୍କର ହାତ ବଢାନ୍ତି ସେମାନେ ସର୍ବଦା ଭଲ ଡିଲ୍ ପାଆନ୍ତି । ଭାରତ ଏହି ଦିଗରେ ବହୁତ ଆକ୍ଟିଭ୍ । ଆମେ ଆଶା କରୁଛୁ ଯେ ଖୁବ୍ ଶୀଘ୍ର ଏକ ଡିଲ୍ ହେବ ଯାହା ଉଭୟ ଦେଶ ପାଇଁ ଲାଭଦାୟକ ହେବ।
ଲୁଟନିକ୍ ମଧ୍ୟ ଭାରତ ପ୍ରତି ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟିଥିଲେ। ସେ କହିଛନ୍ତି, 'ମୁଁ ଭାରତର ଜଣେ ବଡ଼ ପ୍ରଶଂସକ। ମୋର ଜଣେ ଭଲ ବନ୍ଧୁ ହେଉଛନ୍ତି ନିକେଶ ଆରୋରା, ଯିଏ ଭାରତୀୟ। ଯେତେବେଳେ ମୁଁ ଭାରତ ଯାଉଥିଲି, ଆମେ କ୍ରିକେଟ୍ ଖେଳୁଥିଲୁ, ଘରେ ପାର୍ଟି କରୁଥିଲୁ, ଏହା ଏକ ଭିନ୍ନ ଅଭିଜ୍ଞତା ଥିଲା।'
ଏଆଇ ଓ ବୈଷୟିକ ସହଯୋଗ ବିଷୟରେ କହି ଲୁଟନିକ୍ କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଏହାର ସହଯୋଗୀମାନଙ୍କୁ ସାଙ୍ଗରେ ନେବା ବିଷୟରେ ଚିନ୍ତା କରେ। ଆମେ ଆମର ସର୍ବୋତ୍ତମ ଚିପ୍ସ ଆମର ବନ୍ଧୁ ଦେଶଗୁଡ଼ିକୁ ଦେବାକୁ ଚାହୁଁଛୁ, ଯଦି ସେମାନେ ଭୁଲ ହାତରେ ନ ଯାଆନ୍ତି । ଯଦି ଭାରତ ବିଶାଳ ଡାଟା ସେଣ୍ଟର ନିର୍ମାଣ କରିବାକୁ ଚାହୁଁଛି ଏବଂ AI ବିପ୍ଳବରେ ଅଂଶୀଦାର ହେବାକୁ ଚାହୁଁଛି, ତେବେ ଆମେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।'
ହାୱାର୍ଡ ଲୁଟନିକ୍ କହିଛନ୍ତି, 'ରାଷ୍ଟ୍ରପତି ଟ୍ରମ୍ପଙ୍କ ଚିନ୍ତାଧାରା 'ଆମେରିକା ପ୍ରଥମ', କିନ୍ତୁ 'କେବଳ ଆମେରିକା' ନୁହେଁ। ପ୍ରଥମେ ଆମକୁ ଆମ ଦେଶକୁ ଶକ୍ତିଶାଳୀ କରିବାକୁ ପଡିବ, ତା'ପରେ ଆମକୁ ଆମର ସହଯୋଗୀଙ୍କ ଯତ୍ନ ନେବାକୁ ପଡିବ। ତାଙ୍କର ଭାରତ ପ୍ରତି ଗଭୀର ସମ୍ମାନ ଅଛି। ଆମେ ଭାରତ ସହିତ ଏକ ମହାନ ସହଭାଗୀତା ଆଡକୁ ଅଗ୍ରସର ହେଉଛୁ।'