ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ବୁଝାମଣା, ଐତିହାସିକ ଉପଲବ୍ଧି କହିଲେ ପିଏମ୍ ମୋଦୀ

Published By : Prameya-News7 Bureau | May 06, 2025 IST

ନୂଆଦିଲ୍ଲୀ: ଭାରତ ଓ ବ୍ରିଟେନ ମଙ୍ଗଳବାର ମୁକ୍ତ ବାଣିଜ୍ୟ ବୁଝାମଣା (FTA) ଉପରେ ସହମତ ହୋଇଛନ୍ତି । ଏହାପରେ ଦୁଇ ଦେଶ ଏକ ବ୍ୟାପକ ବାଣିଜ୍ୟିକ ବୁଝାମଣା ଘୋଷଣା କରିଛନ୍ତି । ଏହା ଅନୁସାରେ ଅଧିକାଂଶ ବସ୍ତୁ ଓ ସେବା ଉପରୁ ଟାରିଫ୍ ହଟାଯିବାର ପ୍ରାବଧାନ ରହିବ । ଏହି ପଦକ୍ଷେପ ଭାରତ ଓ ଆମେରିକା ସହ ଅନ୍ୟ ଦେଶ ମଧ୍ୟରେ ଏହିପରି ବୁଝାମଣା ପାଇଁ ଭବିଷ୍ୟତର ରାସ୍ତା ପ୍ରଶସ୍ତ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ବୁଝାମଣାକୁ ଐତିହାସିକ ଉପଲବ୍ଧି ବୋଲି କହିଛନ୍ତି । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗିତା ଅଧିକ ମଜଭୁତ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଓ ବ୍ରିଟେନ ବହୁପ୍ରତିକ୍ଷିତ ମୁକ୍ତ ବାଣିଜ୍ୟ ବୁଝାମଣା ଓ ପାରସ୍ପାରିକ ସହଯୋଗ ବୁଝାମଣା ଉପରେ ହସ୍ତାକ୍ଷର କରିଛୁ । ପିଏମ୍ ଏହାକୁ ଐତିହାସିକ ମାଇଲ୍ ଖୁଣ୍ଟ ବୋଲି କହିଛନ୍ତି । ଏକ୍ସ ପୋଷ୍ଟରେ ସେ କହିଛନ୍ତି, 'ଏହା ଆମ ବ୍ୟବସାୟିକ ରଣନୈତିକ ସହଭାଗିତାକୁ ଅଧିକ ଗଭୀର କରିବ ଓ ଆମ ଦୁଇ ଅର୍ଥବ୍ୟବସ୍ଥାରେ ବ୍ୟବସାୟ, ନିବେଶ, ବିକାଶ, ରୋଜଗାର ସୃଷ୍ଟି ଓ ନବସୃଜନକୁ ପ୍ରୋତ୍ସାହିତ କରିବ ।' ପ୍ରଧାନମନ୍ତ୍ରୀ ମୋଦୀ ନିଜ ବ୍ରିଟେନ ସମକକ୍ଷ କିର୍ ଷ୍ଟାର୍ମରଙ୍କ ସହ କଥାବର୍ତ୍ତା କରି ଭାରତ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ।

ସେପଟେ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି, 'ଏହି ବୁଝାମଣା ତାଙ୍କ Plan For Changeର ଅଂଶ ଅଟେ । ଏହା ଅଧିନରେ ବୈଶ୍ୱିକ ସହଭାଗିତାକୁ ମଜଭୁତ କରି ବ୍ରିଟେନ ଅର୍ଥବ୍ୟବସ୍ଥାକୁ ସୁରକ୍ଷିତ ଓ ସଶକ୍ତ କରିବା ।'

ଦୁଇ ଦେଶ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ କାର୍ଯ୍ୟକାଳ ସମୟରୁ ହିଁ ଏଫଟିଏ ଦିଗରେ କାମ କରୁଥିଲେ । ବ୍ରିଟେନ ୨୦୨୨ରେ ଭାରତ ସହ ଏଫଟିଏ ଆଲୋଚନା ଆରମ୍ଭ କରିଥିଲା । ଏହାକୁ ବ୍ରକ୍ସଜିଟ୍ ପରେ ସବୁଠୁ ମୂଲ୍ୟବାନ ବ୍ୟବସାୟିକ ସୁଯୋଗ ରୂପେ ଦେଖାଯାଇଥିଲା । ତେବେ କଞ୍ଜରଭେଟିଭ୍ ସରକାରର ଅନେକ ପ୍ରୟାସ ସତ୍ତ୍ୱେ ଧାର୍ଯ୍ୟ ସମୟରେ ବୁଝାମଣା ହୋଇପାରି ନଥିଲା । ଏହି ଚୁକ୍ତି ୨୦୨୨ ଦୀପାବଳିରେ ସ୍ୱାକ୍ଷର ହୋଇଥାନ୍ତା । କିନ୍ତୁ ଦୁଇ ଦେଶର ଅଧିକାରୀ ଅନେକ ବିବାଦୀୟ ବିନ୍ଦୁର ସମାଧାନ ବାହାର କରିଥିବାରୁ ଏହି ପ୍ରକ୍ରିୟାକୁ ଅଧିକ ସମୟ ଲାଗିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.