ନୂଆଦିଲ୍ଲୀ: ଦେଶରେ ହେବାକୁ ଥିବା ଆଗାମୀ ଜନଗଣନାକୁ ନେଇ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି । ଦେଶରେ ପ୍ରଥମ ଥର ଡିଜିଟାଲ୍ ଜନଗଣନା କରାଯିବ । ଏଥିରେ ସାଧାରଣ ଲୋକେ ନିଜେ ନିଜର ସୂଚନା ଅନ୍ଲାଇନ୍ରେ ରେକର୍ଡ କରାଇ ପାରିବେ । ଏଥିପାଇଁ ସରକାର ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ମୋବାଇଲ୍ ଆପ୍ ଜରିଆରେ ବି ଜନଗଣନା କାମ ପୂରା କରାଯିବ ।
ଭାରତରେ ଏବେ ସୁଦ୍ଧା ଜନଗଣନା ପାଇଁ ସରକାରୀ କର୍ମଚାରୀ ଘର ଘର ବୁଲି କାଗଜରେ ତଥ୍ୟ ଏକାଠି କରୁଥିଲେ । କିନ୍ତୁ ଏବେ ସରକାର ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ମୋବାଇଲ୍ ଆପ୍ ଓ ଅନ୍ଲାଇନ୍ ପୋର୍ଟାଲ୍ ଜରିଆରେ ଲୋକଙ୍କଠାରୁ ସୂଚନା ସଂଗ୍ରହ କରାଯିବ । ଏହାଦ୍ୱାରା କେବଳ କାମ ଶୀଘ୍ର ସରିବନି, ବରଂ ସୁରକ୍ଷିତ ରୂପେ ସିଧା ସରକାରଙ୍କ କେନ୍ଦ୍ରୀୟ ସର୍ଭରରେ ପହଞ୍ଚିବ ।
ସରକାର କହିଛନ୍ତି ଯେ ନାଗରିକ ଚାହିଁଲେ ନିଜେ ନିଜର ଜନଗଣନାର ସୂଚନା ୱେବ୍ ପୋର୍ଟଲରେ ରେକର୍ଡ କରାଇପାରିବେ । ଏଥିପାଇଁ ଦୁଇଟି ପର୍ଯ୍ୟାୟରେ ଜନଗଣନା କରାଯିବ । ପ୍ରଥମ ପର୍ଯ୍ୟାୟ 'ହାଉସ୍ ଲିଷ୍ଟିଂ ଆଣ୍ଡ ହାଉସ୍ ସେନ୍ସସ୍' ଅର୍ଥାତ୍ ଘରର ସୂଚନା ଓ ଦ୍ୱିତୀୟ ପର୍ଯ୍ୟାୟରେ 'ପପୁଲେସନ ଏନୁମରେସନ୍' ଅର୍ଥାତ୍ ଜନସଂଖ୍ୟା ଗଣତି । ଦୁଇଟି ପର୍ଯ୍ୟାୟରେ ଲୋକେ ନିଜ ସୂଚନା ରେକର୍ଡ କରାଇପାରିବେ । ସାରା ଦେଶରେ ଜନଗଣନା ୨୦୨୬ ଓ ୨୦୨୭ରେ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ୨୦୨୬ ଏପ୍ରିଲ୍ ୧ରୁ ଆରମ୍ଭ ହେବ, ଏଥିରେ ଘର ଗଣତି କରାଯିବ । ୨୦୨୭ ଫେବ୍ରୁଆରୀ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ, ଏଥିରେ ଜନସଂଖ୍ୟା, ଜାତି ଓ ଅନ୍ୟ ତଥ୍ୟ ସଂଗ୍ରହ କରାଯିବ । ଏଥିପାଇଁ ୨୦୨୪ ଜୁନ୍ ୧୬ରେ ସରକାରୀ ଅଧିସୂଚନା ଜାରି କରାଯାଇଥିଲା । ସ୍ୱାଧୀନତା ପରେ ଏହା ଭାରତର ଅଷ୍ଟମ ଓ ମୋଟ ୧୬ତମ ଜନଗଣନା ହେବ । ଦେଶର ଜନଗଣନା ପାଇଁ ସରକାର ସାରା ଦେଶର ପ୍ରାୟ ୩୪ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତ କରିଛନ୍ତି । ଏହି କର୍ମଚାରୀଙ୍କୁ ତିନି ସ୍ତରର ଟ୍ରେନିଂ ଦିଆଯିବ । ପ୍ରଥମେ ରାଷ୍ଟ୍ରୀୟ ଟ୍ରେନର, ମାଷ୍ଟ୍ରର ଟ୍ରେନର ଓ ଶେଷରେ ଫିଲ୍ଡ ଟ୍ରେନର ଏମାନଙ୍କୁ ପ୍ରଶିକ୍ଷଣ ଦେବେ ।