ମହାନଦୀକୁ ନେଇ ପୁଣି ମୁହାଁମୁହିଁ ବିଜେଡି-ବିଜେପି, ପ୍ରସନ୍ନଙ୍କ ୫ ପ୍ରଶ୍ନ ପରେ ଆଇନା ଦେଖାଇଲେ ଜୟ ନାରାୟଣ

NEWS7
india-slashes-tariffs-on-bourbon-whiskey-after-trump-criticism

ଭୁବନେଶ୍ଵର: ମହାନଦୀ ବିବାଦର ସମାଧାନ ପାଇଁ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଥିବା ବେଳେ ରାଜନୈତିକ ସ୍ତରରେ ସମସ୍ୟାର ସମାଧାନକୁ ନେଇ ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି, ଟ୍ରିପଲ ଇଂଜିନ୍ ସରକାରରେ ମହାନଦୀ ବିବାଦର ସମାଧାନ ହେବ ବୋଲି ଆଶା କରାଯାଉଥିଲା ହେଲେ , ଏବେ ବିପରିତ ଚିତ୍ର ଦେଖିବାକୁ ମିଳୁଛି । ସରକାର ବାରମ୍ବାର କମିଟି ଗଠନ କରୁଛନ୍ତି ହେଲେ ଫଳ ଶୂନ୍ । ସେପଟେ ପ୍ରସନ୍ନଙ୍କ ପ୍ରଶ୍ନର କଡ଼ା ଜବାବ୍ ଦେଇଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ।

ମହାନଦୀକୁ ନେଇ ପୁଣି ମୁହାଁମୁହିଁ ବିଜେଡି-ବିଜେପି । ପ୍ରସନ୍ନଙ୍କ ପାଞ୍ଚ ପ୍ରଶ୍ନ ପରେ ଆଇନା ଦେଖାଇଲେ ଜୟ ନାରାୟଣ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗତ ବୁଧବାର ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜନୈତିକ ସ୍ତରରେ ଏହାର ସମାଧାନ ହୋଇ ପାରିବ ତାକୁ ବିଶେଷ ଗୁରୁତ୍ବ ଦିଆଯାଇଛି । ହେଲେ ଏହି କମିଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ଏବେ ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ଆଶା କରାଯାଉଥିଲା ମହାନଦୀ ତୁରନ୍ତ ନ୍ୟାୟ ପାଇବ । କିନ୍ତୁ ବର୍ତ୍ତମାନ ବିପରିତ ଚିତ୍ର ଦେଖିବାକୁ ମିଳୁଛି । ରାଜ୍ୟ ସରକାର ବାରମ୍ବାର କମିଟି ଗଠନ କରୁଥିଲେ ମଧ୍ୟ ଫଳ ଶୂନ । ତେଣୁ ନୂଆ କମିଟିକୁ ୫ଟି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।

୧- ଆପୋଷ ସାମାଧାନ ପାଇଁ ଆଲୋଚନାରେ ସରକାର କଣ ରଖିବେ ସର୍ତ୍ତାବଳି ?

୨- ସରକାର ଟ୍ରିବ୍ୟୁନାଲରୁ ଓହରିଯିବେ କି ?

୩- ଆପୋଷ ସମାଧାନକୁ ଯିବା ପୂର୍ବରୁ ସରକାର ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଏବଂ ଆନ୍ଦୋଳନ କରୁଥିବା ସଂଗଠନଙ୍କ ସହ ଆଲୋଚନା କରିବେ କି ?

୪- ଉପରେ ମୁଣ୍ଡରେ ଛତିଶଗଡ ନିର୍ମାଣ କରୁଥିବା ବ୍ୟାରେଜ କାମ ବନ୍ଦ କରିବ କି?

୫- ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣିକୁ ତ୍ବରିତ କରିବେ କି ? ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ସେପଟେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର କଡା ଜବାବ ରଖିଛନ୍ତି ବିଜେପି ବିଧାୟକ ତଥା ଉଚ୍ଚ ସ୍ତରୀୟ କମିଟିର ସଦସ୍ୟ ଜୟ ନାରାୟଣ ମିଶ୍ର । ଜୟ କହିଛନ୍ତି, ଆସନ୍ତା ୨୨ ତାରିଖରେ ମହାନଦୀ ଉଚ୍ଚ ସ୍ତରୀୟ କମିଟିର ପ୍ରଥମ ବୈଠକ ବସିବ । ସେହିଠାରେ ରାଜ୍ୟ ତରଫରୁ କଣ କଣ ପଦକ୍ଷେପ ନିଆଯିବ ସେନେଇ ବିଶେଷ ଆଲୋଚନା ହେବ। ମହାନଦୀ ଜଳ ବିବାଦର ସୃଷ୍ଟିକର୍ତ୍ତା ହେଉଛି ସେତେବେଳର ବିଜେଡି ସରକାର । ତେଣୁ ସେହି ସମୟରେ ବିଜେଡି ନେତା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଏସବୁ ଉପଦେଶ ଦେଇଥିଲେ ହୁଏତ ଭଲ ହୋଇଥାନ୍ତା ।

ସେମାନେ ମହାନଦୀରେ ଗୋଟିଏ ବ୍ୟାରେଜ କରିପାରିଲେ ନାହିଁ । ଏବେ ଆମ ସରକାର ଏ ବିବାଦର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି । ହେଲେ ଏହାକୁ ନେଇ ବିଜେଡି କେବେ ସନ୍ତୁଷ୍ଟ ନୁହେଁ । ଏହା ତାଙ୍କ ଚରିତ୍ର । ତାଙ୍କ ସରକାର ସମୟରେ ଅନେକ କମିଟି ଗଠନ କଲେ । ହେଲେ ଗୋଟିଏ ଧ୍ୟ ବୈଠକ ବସିଲା ନାହିଁ ବୋଲି କଟାକ୍ଷ କରିଛନ୍ତି । ୨୦୧୬ରୁ ମହାନଦୀ ବିବାଦ ତେଜିଥିବା ବେଳେ ଏଯାଏଁ ସମାଧାନର ବାଟ ବାହାରି ପାରିନି । ଗୋଟିଏ ପଟେ ଏହା ଟ୍ରିବ୍ୟୁନାଲରେ ବିଚାରାଧିନ ଥିବାବେଳେ ଅନ୍ୟପଟେ ଏହାର ସମାଧାନ ପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି ମୋହନ ସରକାର ।