LIVE TV

ବ୍ୟାଟିଂ ପରଖିଲା ଭାରତ, ଓମାନକୁ ଦେଲା ୧୮୯ ରନର ବିଜୟ ଲକ୍ଷ୍ୟ

NEWS7
IND vs OMAN

ଆବୁଧାବି:  ଏସିଆ କପ୍ ୨୦୨୫ର ଶେଷ ଲିଗ୍ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଓମାନ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ଓ୍ଵିକେଟ୍ ହରାଇ ୧୮୮ ରନ କରିଛି। ଓମାନ ସମ୍ମୁଖରେ ରହିଛି ୧୮୯ ରନର ବିଜୟ ଲକ୍ଷ୍ୟ। ମ୍ୟାଚ୍‌ରେ ସଞ୍ଜୁ ସାମସନ ୫୬ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ଅଭିଷେକ ଶର୍ମା  ୩୮ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ତିଳକ ବର୍ମା ୨୯ ରନ କରିଛନ୍ତି। ଏହି ମ୍ୟାଚ୍ ଭାରତ ପାଇଁ ଅଭ୍ୟାସ୍ ମ୍ୟାଚ୍ ପରି ଥିବାରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୂରା ବ୍ୟାଟିଂ କ୍ରମ ବଦଳାଇ ସବୁ ବ୍ୟାଟରଙ୍କୁ ବ୍ୟାଟିଂ କରିବାର ସୁଯୋଗ ଦେଇଥିଲେ। ସୂର୍ଯ୍ୟ ଖୋଦ୍ ବ୍ୟାଟିଂ ପାଇଁ ଆସି ନ ଥିଲେ। 

​​​​​​​ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ  ୬ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଉପଅଧିନାୟକ ଶୁଭମନ ଗିଲ୍ ୫ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଧୂଆଁଧାର ବ୍ୟାଟିଂ କରିଥିଲେ। ବିଶେଷ କରି ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ୧୫ ବଲରୁ ୫ ଚୌକା ଓ ୨ ଛକା ସହ ୩୮ ରନ କରିଥିଲେ। ଅଭିଷେକ ଓ ସଞ୍ଜୁ  ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୬ ରନ ଯୋଡ଼ିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୧ ରନ)  ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ଅକ୍ଷର ପଟେଲ୍ ଆଗୁଆ ବ୍ୟାଟିଂ କରିବାକୁ ଆସିବା ସହ ୧୩ ବଲରୁ ୨୬ ରନ କରିଥିଲେ। ଦୁବେ ୫ ରନ କରି ଆଉଟ୍ ହୋଇଥିଲେ।

ସଞ୍ଜୁ ସାମସନ ୪୫ ବଲରୁ ୩ ଚୌକା ଓ ୩ ଛକା ସହ ୫୬ ରନ କରିଥିଲେ। ତିଳକ ବର୍ମା ନିମ୍ନ କ୍ରମରେ ବ୍ୟାଟିଂ କରିଥିଲେ। ସେ ୨୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ହର୍ଷିତ ରାଣା ୧୩ ରନ କରି ଅପରାଜିତ ଥିଲେ। ଟିମ୍ ଇଣ୍ଡିଆ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲେ ହେଁ ରନ ଗତି ଥମି ନ ଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୮୮ ରନ କରିଛି।ବୋଲିଂରେ ଓମାନ ପକ୍ଷରୁ ଜିତେନ ରାମାନନ୍ଦି, ଶାହ ଫୈଜଲ ଓ  ଆମୀର କାଲିମ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।