ନିଶାଶକ୍ତ ହୋଇ ଚଲାଉଥିଲେ ଗାଡି, ପୋଲିସ ଅଟକାଇଲା ବୋଲି ଆଟାକ୍ କଲେ

NEWS7
india-ranks-4th-in-global-firepower-index-pakistan-slips-to-12th

ଭୁବନେଶ୍ୱର ୨୦/୧୨ : ମଦ ପିଇ ନିଶାରେ ଚୂର୍ ହୋଇ ଚଲାଉଥିଲେ କାର୍ । ହାଭଭାବ ଦେଖି ଗାଡି ଅଟକାଇଲା ପିସିଆର । ଆଉ ପିସିଆର ପୋଲିସ ଅଟକାଇବାରୁ ପୋଲିସକୁ ନିସ୍ତୁକ ପିଟିଲେ । ଖାଲି ପିଟିଲେନି ତ ମୋବାଇଲ ଓ ବଡ଼ି କ୍ୟାମେରା ବି ଛଡ଼ାଇନେଲେ । ସର୍ବସାଧାରଣ ରାସ୍ତାରେ ଏଭଳି ଉତ୍ପାତ କରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ ।

ସେମାନେ ହେଲେ ଆଇଆରସି ଭିଲେଜ ଏନ୍-୪ରେ ରହୁଥିବା କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଜୟଚନ୍ଦ୍ରପୁରର ସତ୍ୟରଞ୍ଜନ ସ୍ୱାଇଁ, ଭରତପୁର ନୂଆଗାଁ ମଙ୍ଗଳା ମନ୍ଦିର ନିକଟରେ ରହୁଥିବା ଜୟଚନ୍ଦ୍ରପୁର ଗ୍ରାମର ରାଜେଶ ବଳବନ୍ତରାୟ ଓ ନୂଆଗାଁ ମଙ୍ଗଳା ମନ୍ଦିର ନିକଟରେ ରହୁଥିବା ଜୟଚନ୍ଦ୍ରପୁରର ରାଜକିଶୋର ରାଉତ । ପୋଲିସ ସେମାନେ ବ୍ୟବହାର କରୁଥିବା କାର୍‌କୁ ଜବତ କରିଛି ।

ସୂଚନାଥାଉକି, ଶୁକ୍ରବାର ଦିନ ସାଢ଼େ ୧୧ଟାବେଳେ ସତ୍ୟରଞ୍ଜନ ରାଜେଶ ଓ ରାଜକିଶୋର ରହୁଥିବା ଭଡ଼ାଘରକୁ ଆସିଥିଲେ । ସେଠାରେ ସେମାନେ ପାର୍ଟି କରିବା ସହ ପ୍ରଚୁର ମଦ ପିଇଥିଲେ । ସନ୍ଧ୍ୟାରେ ସେମାନେ ରାଜକିଶୋରଙ୍କ କିଆ କାର୍ରେ ବୁଲିବାକୁ ବାହାରିଥିଲେ । କାର୍କୁ ଅତି ବେପୁଆଭାବେ ଦ୍ରୁତ ଗତିରେ ଚଲାଉଥିଲେ । ରାସ୍ତାରେ ଭୟଭୀତ ହୋଇ ଲୋକେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେଇଥିଲେ । କଣ୍ଟ୍ରୋଲ ରୁମ୍‌ରୁ ସୂଚନା ପାଇ ପିସିଆର-୨୫ କର୍ମଚାରୀମାନେ ଖଣ୍ଡଗିରିବାରୀରେ ଉକ୍ତ କାର୍କୁ ଅଟକାଇଥିଲେ ।

କାର୍‌ରେ ଥିବା ୩ ଜଣ ବାହାରି ଆସି ପୋଲିସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ସେମାନଙ୍କ ମୋବାଇଲ ଓ ବଡି କ୍ୟାମେରା ଛଡ଼ାଇ ନେଇଥିଲେ । ଖବରପାଇ ପିସିଆର-୩୯ ସେଠାରେ ପହଞ୍ଚିବା ପରେ ସମସ୍ତେ ମିଶି ୩ ଜଣଙ୍କୁ କାବୁ କରି ଭରତପୁର ଥାନାକୁ ନେଇଥିଲେ । ପୋଲିସ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁକରି ୩ ଜଣଙ୍କୁ ଗିରଫ କରିବା ସହ କାର୍କୁ ଜବତ କରିଥିଲା ।