IDFC ବ୍ୟାଙ୍କରେ ଧରାପଡିଲା ବଡ ଦୁର୍ନୀତି, ସାମ୍ନାକୁ ଆସିଲା ଶହଶହ କୋଟି ଟଙ୍କାର ହେରଫେର

NEWS7
india-pakistan-war-how-to-survive-a-nuclear-attack

ନୂଆଦିଲ୍ଲୀ, ୨୩/୦୨: ଆଇଡିଏଫସି ବ୍ୟାଙ୍କରେ ବଡ ଦୁର୍ନୀତି । ସାମ୍ପାକୁ ଆସିଲା କୋଟି କୋଟି ଟଙ୍କାର ଠକେଇ । ହରିୟାଣା ସରକାରଙ୍କ ସହ ଜ଼ଡିତ ଏକ ଆକାଉଣ୍ଟରେ ୫୯୦ କୋଟି ଟଙ୍କାର ଠକେଇ ହୋଇଥିବା ଆଇଡିଏଫସି ବ୍ୟାଙ୍କ୍ ପ୍ରକାଶ କରିଛି । ଯାହାପରେ ଏହାର ପ୍ରଭାବ ବ୍ୟାଙ୍କର ସେୟାର ଉପରେ ମଧ୍ୟ ପଡିଛି ।

ବ୍ୟାଙ୍କର କହିବାନୁସାରେ, ଚଣ୍ଡିଗଡର ଏକ ବ୍ରାଞ୍ଚରେ କିଛି କର୍ମଚାରୀ ଦୁର୍ନୀତି ଏବଂ ଠକେଇରେ ଲିପ୍ତ ଥିବା ସୂଚନା ମିଳିଛି । । ଯେଉଁଥିରୁ ବ୍ୟାଙ୍କରେ ଜାଲିଆତି ହୋଇଥିବା ସଙ୍କେତ ମିଳିଛି । ତେବେ ହରିୟାଣା ସରକାରଙ୍କ କିଛି ଆକାଉଣ୍ଟରେ ଚଞ୍ଚକତା ଏବଂ ଅର୍ଥ ହେରଫେର ହୋଇଛି । ତେବେ ଏହାର ପ୍ରଭାବ ଅନ୍ୟ ଗ୍ରାହକଙ୍କ ଉପରେ ପଡିବ ନାହିଁ ବୋଲି ବ୍ୟାଙ୍କ ସ୍ପଷ୍ଟ କରିଛି ।

ଘଟଣାର ଖୁଲାସା ସେହି ସମୟରେ ହୋଇଥିଲା ଯେତେବେଳେ ହରିୟାଣା ସରକାରଙ୍କ ଏକ ବିଭାଗ ବ୍ୟାଙ୍କରେ ଥିବା ଆକାଉଣ୍ଟ ବନ୍ଦ କରିଥିଲା । ଏହି ଅର୍ଥକୁ ବିଭାଗ ଅନ୍ୟ ଏକ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଟ୍ରାନ୍ସଫର୍ କରିଦେଇଥିଲା । ଏହି ପ୍ରକ୍ରିୟାରେ ବ୍ୟାଙ୍କର କାଗଜପତ୍ରର ଟଙ୍କା ଏବଂ ପ୍ରକୃତ ଅର୍ଥ ମଧ୍ୟରେ ଫରକ୍ ଜଣାପଡିଥିଲା । ଯାହାପରେ ଠକେଇ ହୋଇଥିବା ବାବଦରେ ତନାଘନା ଆରମ୍ଭ କରିଥିଲେ କର୍ତ୍ତୃପକ୍ଷ ।

ମାମଲାରେ ୪ ଜଣ ସସପେଣ୍ଡ୍

ଗତ ଫେବ୍ରୁଆରୀ ୧୮ ତାରିଖରେ ହରିୟାଣା ସରକାରଙ୍କ ସହ ଜଡିତ ଆଉ କିଛି ବିଭାଗ ବ୍ୟାଙ୍କ ଆକାଉଣ୍ଟ ବାବଦରେ ଆଇଡିଏଫସି ବ୍ୟାଙ୍କ ସହ ସମ୍ପର୍କ କରିଥିଲେ । ଏଥିରେ ଅନେକ ଆକାଉଣ୍ଟର ପ୍ରକୃତ ବାଲାନ୍ସ ଏବଂ ବ୍ୟାଙ୍କ ତଥ୍ୟ ଅସମାନ ଥିବା ସାମ୍ନାକୁ ଆସିଥିଲା । ଏନେଇ ଆଇଡିଏଫସି ପକ୍ଷରୁ ଏନଏସଇ ବା ଜାତୀୟ ଷ୍ଟକ ଏକ୍ସଚେଞ୍ଜ୍ କୁ ସୂଚନା ଦିଆଯାଇଥିଲା । ମୋଟ୍ ୫୯୦ କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଏଥିରେ ଦର୍ଶାଯାଇଥିଲା ।

ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ୪ଜଣ କର୍ମଚାରୀଙ୍କୁ ସସପେଣ୍ଡ୍ କରାଯାଇଛି । ପୋଲିସରେ ମଧ୍ୟ ଅଭିଯୋଗ ହୋଇଛି । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଡିଏଫସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବାହାର ସଂସ୍ଥା ଦ୍ୱାରା ଫରେନସିକ ଅଡିଟ୍

ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବାହାର ସଂସ୍ଥାକୁ ନିୟୋଜିତ କରିବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ବାହାର ସଂସ୍ଥା ଫରେନସିକ୍ ଅଡିଟ୍ କରିବ । ଏହି ହେରଫେର କେବଳ ହରିୟାଣା ସରକାରଙ୍କ ଆକାଉଣ୍ଟରେ ସୀମିତ ଅଛି । ଅନ୍ୟ ସାଧାରଣ ଗ୍ରାହକଙ୍କ ଆକାଉଣ୍ଟରେ କୌଣସି ପ୍ରଭାବ ପଡିବ ନାହିଁ । ତଦନ୍ତ ପରେ ସମସ୍ତ ଚିତ୍ର ସ୍ପଷ୍ଟ ହେବ ବୋଲି ବ୍ୟାଙ୍କ୍ କହିଛି ।

ଏହି ଖବରଟି ପଢନ୍ତୁ... ବିଟ୍ କଏନ୍ କ୍ରାଶ୍ : କମୁଛି କ୍ରେଜ୍, ୪୦% ଖସିଲା ଦାମ୍

ଖସିଲା ବ୍ୟାଙ୍କ୍ ସେୟାର

ଅର୍ଥ ହେରଫେର ମାମଲା ସାମ୍ନାକୁ ଆସିବା ପରେ କମ୍ପାନୀର ସେୟାର ଦାମରେ ଅହେତୁକ ହ୍ରାସ ପରିଲକ୍ଷିତ ହୋଇଛି । ଗୋଟିଏ ଦିନରେ କମ୍ପାନୀର ସେୟାର ୨୦ ପ୍ରତିଶତ କମିଯାଇଛି । ଯାହାର ମୂଲ୍ୟ ପ୍ରାୟ ୧୪ ହଜାର ୪୩୮ କୋଟି ଟଙ୍କା ହେବ । ଆଗାମୀ ଦିନରେ ସେୟାର ଦାମ୍ ଆହୁରି ଖସିବ ବୋଲି ବଜାର ବିଶେଷଜ୍ଞ ଅନୁମାନ କରୁଛନ୍ତି ।