ଭାରତର ଦ୍ରୁତ ଅର୍ଥନୈତିକ ବିକାଶ ନେଇ ଟେନ୍‌ସନ୍‌ରେ ଚୀନ ଓ ଆମେରିକା: ପଛରେ ପଡ଼ିବ ଜାପାନ ଓ ଜର୍ମାନୀ

Published By : Prameya-News7 Bureau | March 28, 2025 IST

internet

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ଯେଉଁଭଳି ଭାବେ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଛି, ଯଦି ଏହି ଧାରା ଜାରି ରହେ ତେବେ ଆଗାମୀ ଦିନରେ ଏହା ଜାପାନ ଏବଂ ପରେ ଜର୍ମାନୀକୁ ପଛରେ ପକାଇ ଦେବ। ଏଭଳି ତଥ୍ୟ ରଖିଛି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)। ଆଇଏମ୍‌ଏଫ୍‌ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତର ମୋଟ ଘରୋଇ ଉତ୍ପାଦ (GDP) ଗତ ଦଶ ବର୍ଷରେ ଦ୍ୱିଗୁଣିତ ହୋଇଛି। ୨୦୧୫ରେ ଦେଶର ଜିଡିପି ୨.୧ ଟ୍ରିଲିୟନ ଥିଲା। ହେଲେ ୨୦୨୫ ଆର୍ଥିକ ବର୍ଷରେ ଏହା ୪.୩ ଟ୍ରିଲିୟନ ଡଲାରେ ପହଞ୍ଚିବାକୁ ଯାଉଛି। ଯାହା ପ୍ରାୟ ୧୦୫% ଅଭିବୃଦ୍ଧିକୁ ଦର୍ଶାଉଛି। 

ଆଇଏମଏଫ୍‌ ତଥ୍ୟ ଅନୁଯାୟୀ, ଭାରତର ଅର୍ଥନୀତି ଯେଉଁଭଳି ଭାବେ ଆଗକୁ ବଢୁଛି ୨୦୨୪-୨୦୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଏହା ଜାପାନକୁ ପଛରେ ପକାଇଦେବ। ଭାରତ, ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ରହିଛି। ଜାପାନ ୪.୪ ଟ୍ରିଲିୟନ ଜିଡିପି ସହିତ ଚତୁର୍ଥ ସ୍ଥାନରେ ରହିଛି। ଗତ ଦଶ ବର୍ଷ ମଧ୍ୟରେ ଭାରତର ଅର୍ଥନୀତି ୧୦୫% ବୃଦ୍ଧି ପାଇଥିଲେ ମଧ୍ୟ, ଜାପାନର ଜଡିପି ସ୍ଥିର ରହିଛି। 

ପଢନ୍ତୁ- ଦଶନ୍ଧିର ଆରବପତିଙ୍କ ଯାତ୍ରା: ବର୍ତ୍ତମାନ ବିଶ୍ୱରେ ତୃତୀୟ ଭାରତ, ପଛରେ ଅଛନ୍ତି ବ୍ରିଟେନ୍, ଜର୍ମାନୀ ଓ ସ୍ୱିଜରଲ୍ୟାଣ୍ଡ

ଯଦି ଭାରତ ନିୟମିତ ଏଭଳି ଅଭିବୃଦ୍ଧି ଜାରି ରଖିଲା ତେବେ ୨୦୨୭ର ଦ୍ୱିତୀୟ ତ୍ରୈମାସିକ ସୁଦ୍ଧା ଏହା ବିଶ୍ୱର ତୃତୀୟ ଜିଡିପିର ଦେଶ ଜର୍ମାନୀକୁ ପଛରେ ପକାଇ ଦେବ। ଜର୍ମାନୀ ବର୍ତ୍ତମାନ ୪.୯ ଟ୍ରିଲିୟନ ଡଲାର ଜିଡିପି ସହିତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇ ରହିଛି।

ଭାରତର ଅଭିବୃଦ୍ଧି ପ୍ରମୁଖ ବିଶ୍ୱ ଅର୍ଥନୀତିକୁ ପଛରେ ପକାଇଛି

ଗତ ଦଶନ୍ଧି ମଧ୍ୟରେ ଅନେକ ପ୍ରମୁଖ ବିଶ୍ୱ ଅର୍ଥନୀତି ତୁଳନାରେ ଭାରତର ଜିଡିପି ଭଲ ପ୍ରଦର୍ଶନ କରିଛି। ଦେଶର ଅର୍ଥନୈତିକ ପ୍ରଗତି ଚୀନ୍, ଆମେରିକା ଏବଂ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ପଛରେ ପକାଇ ଦେଇଛି। ଏହି ସମୟ ମଧ୍ୟରେ, ଚୀନର ଜିଡିପି ୭୬%, ଆମେରିକାର ୬୬%, ଜର୍ମାନୀର ୪୪%, ଫ୍ରାନ୍ସର ୩୮% ଏବଂ ୟୁକେର ୨୮% ଅଭିବୃଦ୍ଧି ହୋଇଛି। ଭାରତର ଅର୍ଥନୀତିକ ବିକାଶକୁ ନେଇ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଭାରତର ଅଭିବୃଦ୍ଧିକୁ ସବୁଠାରୁ ଭଲ ହୋଇଛି। ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଭାରତ G7, G20 ଏବଂ BRICSର ସମସ୍ତ ରାଷ୍ଟ୍ରକୁ ପଛରେ ପକାଇ ଦେଇଛି।

ଭାରତର ଆର୍ଥିକ ମାଇଲଖୁଣ୍ଟ

ଗତ କିଛି ବର୍ଷ ଧରି ବିଶ୍ୱ ଅର୍ଥନୈତିକ ରାଙ୍କିଂରେ ଭାରତର ପ୍ରଗତି ସ୍ଥିର ରହିଥିଲା। ୨୦୦୭ ମସିହାରେ ଦେଶ ପ୍ରଥମ ଥର ପାଇଁ ୧ ଟ୍ରିଲିୟନ ଡଲାରର ଜିଡିପି ହାସଲ କରିଥିଲା। ହେଲେ ଏଥିପାଇଁ ଭାରତକୁ ଦୀର୍ଘ ୬ ଦଶନ୍ଧି(୬୦ ବର୍ଷ) ଲାଗିଗଲା।  ଏହାର ୭ ବର୍ଷ ପରେ ୨୦୧୪ ମସିହାରେ, ଭାରତର ଜିଡିପି ୨ ଟ୍ରିଲିୟନ ଡଲାର ଅତିକ୍ରମ କରିଥିଲା। କୋଭିଡ-୧୯ ମହାମାରୀ ସତ୍ତ୍ୱେ, ୨୦୨୧ରେ ଭାରତର ଅର୍ଥନୀତି ୩ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଥିଲା। ପୁଣି ଏହାର ମାତ୍ର ୪ ବର୍ଷ ମଧ୍ୟରେ ଭାରତର ଜିଡିପି ୪.୩ ଟ୍ରିଲିୟନ ଡଲାର ପହଞ୍ଚିବାକୁ ଯାଉଛି। 

ଭାରତର ଦ୍ରୁତ ଅଭିବୃଦ୍ଧି ନେଇ ବିଶେଷଜ୍ଞ ଅନୁମାନ କରିଛନ୍ତି ଯେ ଭାରତ ଯଦି ବର୍ତ୍ତମାନ ଭଳି ଗତିରେ ଅଭିବୃଦ୍ଧି କରେ ତେବେ ପ୍ରତି ୧.୫ ବର୍ଷରେ ନିଜ ଜିଡିପିରେ ୧ ଟ୍ରିଲିୟନ ଡଲାର ଯୋଡ଼ିପାରିବ। ଏଭଳି ପ୍ରଗତିରେ ଭାରତ ୨୦୩୨ ଶେଷ ସୁଦ୍ଧା ୧୦ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ ହୋଇପାରିବ।


ପଢନ୍ତୁ- ଚା’ ରପ୍ତାନୀରେ ବିଶ୍ୱରେ ଦ୍ୱିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହେଲା ଭାରତ: ପଛରେ ପଡ଼ିଲା ଶ୍ରୀଲଙ୍କା

ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ, ଏବେ ସେ ବିଶ୍ୱର ଦୁଇ ଶକ୍ତାଶାଳୀ ରାଷ୍ଟ୍ର ଆମେରିକା ଓ ଚୀନ ଠାରୁ ବହୁ ପଛରେ ରହିଛି। ଯୁକ୍ତରାଷ୍ଟ୍ର ଆମେରିକା ୩୦.୩ ଟ୍ରିଲିୟନ ଡଲାରର ଜିଡିପି ସହିତ ଶୀର୍ଷରେ ରହିଥିବା ବେଳେ ତା' ପଛକୁ ପଡ଼ୋଶୀ ଚୀନ୍ ୧୯.୫ ଟ୍ରିଲିୟନ ଡଲାର ସହିତ ଦ୍ୱିତୀୟ ସ୍ଥାନରେ ରହିଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.