ବେଙ୍ଗାଲୁରୁ: ପ୍ରଥମ ଇନିଂସରେ ୪୬ ରନରେ ଅଲଆଉଟ୍ ହୋଇଥିବା ଭାରତ ଦ୍ଵିତୀୟ ଇନିଂସରେ ଦମଦାର ବ୍ୟାଟିଂ କରି ୪୬୨ ରନ କରି ପାରିଛି। ତେବେ ନିମ୍ନକ୍ରମର ବ୍ୟାଟର ଦୟନୀୟ ପ୍ରଦର୍ଶନ କାରଣରୁ ଭାରତ ପରାଜୟର ଦ୍ଵାର ଦେଶରେ ରହିଛି। ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି ମାତ୍ର ୧୦୭ ରନର ବିଜୟ ଲକ୍ଷ୍ୟ। ବର୍ଷା କାରଣରୁ ଚତୁର୍ଥ ଦିନର ଖେଳ ଆଗୁଆ ବନ୍ଦ କରାଯାଇଛି। ପଞ୍ଚମ ଦିନରେ କୌଣସି ଚମତ୍କାର ହିଁ ଭାରତକୁ ପରାଜୟରୁ ବଞ୍ଚାଇ ପାରିବ। ଷ୍ଟମ୍ପ ଅପସାରଣ ସୁଦ୍ଧା ନ୍ୟୁଜିଲାଣ୍ଡ କୌଣସି ଓ୍ଵିକେଟ୍ ନ ହରାଇ ୦ ରନ କରିଛି। କ୍ରିଜରେ ଟମ୍ ଲାଥମ ଓ ଡେଭନ କନଓ୍ଵେ କ୍ରିଜରେ ଅଛନ୍ତି। ଚତୁର୍ଥ ଦିନରେ ସରଫରାଜ ଖାନଙ୍କ ୧୫୦ ରନ ଓ ଋଷଭ ପନ୍ତଙ୍କ ୯୯ ରନ ବଳରେ ଭାରତ ଏହି ସ୍କୋର କରି ପାରିଛି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୪୦୨ ରନ କରି ୩୫୬ ରନର ବିଶାଳ ଅଗ୍ରଣୀ ହାସଲ କରିଥିଲା।
ଏକଦା ୩ ଓ୍ଵିକେଟ୍ ହରାଇ ୪୦୮ ରନ କରିଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୪୬୨ ରନରେ ଅଲଆଉଟ୍ ହୋଇଛି। ସରଫରାଜ ଖାନ ଆଉଟ୍ ହେବା ମାତ୍ରେ ଦଳର ଇନିଂସ ତାସପତା ପରି ଭୁଶୁଡ଼ିଥିଲା। କେଏଲ ରାହୁଲ(୧୨) ପୁଣି ଥରେ ନିରାଶ କରିଛନ୍ତି। ରବୀନ୍ଦ୍ର ଜାଡ଼େଜା(୫) ଓ ରବିଚନ୍ଦ୍ରନ ଅଶ୍ଵିନ(୧୫) ବିଫଳ ହେବା ଦଳକୁ ବଡ ଝଟକା ଲାଗିଥିଲା। ବୁମରା ଓ ସିରାଜ ଖାତା ଖୋଲି ପାରି ନ ଥିଲେ। କୁଲଦୀପ ଯାଦବ ୬ ରନ କରି ଅପରାଜିତ ଥିଲେ। ଏହା ପୂର୍ବର ଆଜି ଚତୁର୍ଥ ଦିନର ଦୁଇଟି ସେସନରେ ଭାରତୀୟ ବ୍ୟାଟର ଦମଦାର ପ୍ରଦର୍ଶନ କରିଥିଲେ।
ଗତକାଲି ୭୦ ରନରେ ଅପରାଜିତ ଥିବା ସରଫରାଜ ଖାନ ଆଜି ଦ୍ରୁତ ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ସେ ଓ ପନ୍ତ ସାହସିକ ବ୍ୟାଟିଂ କରି ୧୭୭ ରନ ଯୋଡ଼ିଥିଲେ। ସରଫରାଜ ୧୯୫ ବଲ୍ରୁ ୧୮ ଚୌକା ଓ ୩ ଛକା ସହ ୧୫୦ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ଦ୍ରୁତ ବ୍ୟାଟିଂ କରୁଥିବା ଋଷଭ ପନ୍ତ ପୁଣି ଥରେ ଶତକରୁ ବଞ୍ଚିତ ହୋଇଛନ୍ତି। ସେ ୧୦୫ ବଲ୍ରୁ ୯ ଚୌକା ଓ ୫ ଛକା ସହ ୯୯ ରନ କରି ଦୁର୍ଭାଗ୍ୟପୂର୍ଣ୍ଣ ଢଙ୍ଗରେ ଆଉଟ୍ ହୋଇଥିଲେ।କ୍ରିଜରେ ଜମିଥିବା ଦୁଇ ବ୍ୟାଟର ଆଉଟ୍ ହେବାପରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୪୬୨ ରନରେ ଅଲଆଉଟ୍ ହୋଇଛି। ଦ୍ଵିତୀୟ ଇନିଂସରେ ବିରାଟ କୋହଲି ୭୦ ରନ, ଅଧିନାୟକ ରୋହିତ ଶର୍ମା ୫୨ ରନ ଓ ଯଶସ୍ଵୀ ଜୟସ୍ଵାଲ ୩୫ ରନ କରିଛନ୍ତି।
ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ଵିଲିୟମ ଓରୁରକେ ଓ ମ୍ୟାଟ୍ ହେନରୀ ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏଜାଜ ପଟେଲ୍ଙ୍କୁ ଦୁଇଟି ସଫଳତା ମିଳିଥିବା ବେଳେ ଟିମ୍ ସାଉଦି ଓ ଗ୍ଲେନ ଫିଲିପ୍ସଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।