ନୂଆଦିଲ୍ଲୀ: ଭାରତର ଅର୍ଥବ୍ୟବସ୍ଥା ୨୦୩୮ ସୁଦ୍ଧା ୩୪.୨ ଟ୍ରିଲିୟନ ଡଲାର ଜିଡିପି ସହ ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ହୋଇପାରେ । ୨୦୩୦ ସୁଦ୍ଧା କ୍ରୟ ଶକ୍ତି ସମାନତା ଦୃଷ୍ଟିରୁ ୨୦.୭ ଟ୍ରିଲିୟନ ଡଲାରରେ ପହଞ୍ଚିପାରେ । ପ୍ରତିଷ୍ଠିତ ରେଟିଂ ଏଜେନ୍ସି EY ନିଜ ରିପୋର୍ଟରେ ଭାରତୀୟ ଅର୍ଥନୀତିକୁ ନେଇ ଏଭଳି ପୂର୍ବାନୁମାନ କରିଛି । ରିପୋର୍ଟରେ କୁହାଯାଇଛି, ଯଦି ୨୦୩୦ ପରେ ଭାରତ ଓ ଆମେରିକା ୨୦୨୮-୨୦୩୦ ଅବଧି (ଆଇଏମଏଫ୍ର ପୂର୍ବାନୁମାନ ଅନୁସାରେ) ମଧ୍ୟରେ ୬.୫ ପ୍ରତିଶତ ଓ ୨.୧ ପ୍ରତିଶତ ବିକାଶ ହାର ବଜାୟ ରଖନ୍ତି, ତେବେ ଭାରତ ୨୦୩୮ ସୁଦ୍ଧା କ୍ରୟ ଶକ୍ତି ସମାନତା ଆଧାରରେ ଆମେରିକା ଅର୍ଥନୀତକୁ ପଛରେ ପକାଇପାରେ ।
ଚଳିତ ବର୍ଷ ଆରମ୍ଭରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ସହ ଭାରତକୁ ମୃତ ଅର୍ଥନୀତି ବୋଲି କହିଥିଲେ । ଅନୁମାନ କରାଯାଉଛି ଯେ ୨୦୨୮ ସୁଦ୍ଧା ବଜାର ବିନିମୟ ଦର (ମାର୍କେଟ୍ ଏକ୍ସଚେଞ୍ଜ ରେଟ୍) ଦୃଷ୍ଟିରୁ ଜର୍ମାନୀଙ୍କୁ ପଛରେ ପକାଇ ଭାରତ ତୃତୀୟ ବୃହତ ଅର୍ଥନୀତି ହୋଇଯିବ । ରିପୋର୍ଟରେ ଏହା ବି କୁହାଯାଇଛି, ଯଦି ସଠିକ୍ ରଣନୀତି ଆପଣାଯାଏ ତେବେ ଆମେରିକାର ଟାରିଫ୍ ପ୍ରଭାବକୁ ଅନେକ ମାତ୍ରାରେ କମ କରାଯାଇପାରିବ ।
EY ଇକୋନମି ୱାଚ୍ ଅଗଷ୍ଟ ୨୦୨୫ ପ୍ରକାଶନ ଅନୁସାରେ ଭାରତ ଦୁନିଆର ପଞ୍ଚମ ସର୍ବବୃହତ ଅର୍ଥନୀତି ରହିଛି । ଏଥିରେ ଉଚ୍ଚ ସଂଚୟ ଓ ନିବେଶ ହାର, ଅନୁକୂଳ ଜନସଂଖ୍ୟା ଓ ଏକ ସ୍ଥିର ରାଜକୋଷ ସ୍ଥିତି ସମେତ ମଜଭୁତ ଆର୍ଥିକ ଭିତ୍ତିଭୂମି ରହିଛି । ରିପୋର୍ଟରେ କୁହାଯାଇଛି ଯେ ଟାରିଫ୍ ଚାପ ଓ ବୈଶ୍ୱିକ ମାନ୍ଦାବାସ୍ଥା ପରି ଅନିଶ୍ଚିତତା ସତ୍ତ୍ୱେ ଘରୋଇ ଚାହିବା ଉପରେ ନିର୍ଭରତା ଓ ଆଧୁନିକ ପ୍ରଯୁକ୍ତି କ୍ଷମତା ଭାରତକୁ ମଜଭୁତ ସ୍ଥିତିରେ ରଖୁଛି । ରିପୋର୍ଟରେ ଆମେରିକା ଟାରିଫ୍ ସହ ଜଡିତ ଅନିଶ୍ଚିତତା ଓ ଗ୍ଲୋବାଲ୍ ଇକୋନମି ଆହ୍ୱାନକୁ ଧ୍ୟାନରେ ରଖି ୫ ବଡ଼ ଅର୍ଥନୀତିର ତୁଳନାତ୍ମକ ଆର୍ଥିକ ବିଶ୍ଲେଷଣ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୭ରୁ ଆମେରିକା ପଠାଯାଉଥିବା ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ ହୋଇଛି । ଶୁଳ୍କ ଲାଗୁ ହେବା ଦ୍ୱାରା ୪୮ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ରପ୍ତାନି ପ୍ରଭାବିତ ହେବା ଆଶଂକା କରାଯାଉଛି । ବୟନଶିଳ୍ପ, ଅଳଙ୍କାର, ଚିଙ୍ଗୁଡ଼ି, ଚମଡ଼ା ଏବଂ ଜୋତା, ପଶୁଜାତ ଦ୍ରବ୍ୟ, ରାସାୟନିକ ପଦାର୍ଥ ଓ ବୈଦ୍ୟୁତିକ ଯନ୍ତ୍ରପାତି ଉପରେ ଶୁଳ୍କର ପ୍ରଭାବ ପଡ଼ିପାରେ ।