ଦିଲ୍ଲୀ ନିର୍ବାଚନ ପ୍ରଚାରରେ ବିଜେପି ଠାରୁ କଂଗ୍ରେସ କରିଛି ଅଧିକ ଖର୍ଚ୍ଚ, ADR ରିପୋର୍ଟରେ ଅନେକ ଖୁଲାସା

NEWS7
india-lost-by-34-runs-in-third-odi-against-wi

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ୍ କରିଥିଲା । ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । କଂଗ୍ରେସ ଲଗାତାର ତୃତୀୟ ଥର ପାଇଁ ଖାତା ଖୋଲି ପାରି ନଥିଲା । କିନ୍ତୁ ଏଡିଆର୍ ରିପୋର୍ଟରେ ଏବେ ଏପରି ଏକ ଦାବି କରାଯାଇଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟି ପ୍ରଚାର ଓ ସୋସିଆଲ୍ ମିଡିଆ କ୍ୟାମ୍ପେନରେ ବିଜେପି ଠାରୁ ଅଧିକ ଖର୍ଚ୍ଚ କରିଛି । କିନ୍ତୁ ପ୍ରାର୍ଥୀଙ୍କ ଉପରେ ଖର୍ଚ୍ଚ ମାମଲାରେ ପଛରେ ରହିଛି । ଆସୋସିଏସନ୍ ଫର୍ ଡେମୋକ୍ରେଟିକ୍ ରିଫର୍ମ (ଏଡିଆର) ରିପୋର୍ଟରେ ଏହି କଥା ସାମନାକୁ ଆସିଛି ।

ଏଡିଆର ରିପୋର୍ଟ ଅନୁସାରେ, ଭାରତୀୟ ନିର୍ବାଚନ ଆୟୋଗଙ୍କ ପାଖରେ ପାର୍ଟିଗୁଡିକ ନିର୍ବାଚନୀ ଖର୍ଚ୍ଚ ଦାଖଲ କରିଛନ୍ତି । ଏହା ଅନୁସାରେ ଦିଲ୍ଲୀ ନିର୍ବାଚନ ପ୍ରଚାର ପାଇଁ ବିଜେପି ପକ୍ଷରୁ ୫୭.୬୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ଅନ୍ୟପଟେ କଂଗ୍ରେସ ୪୬.୧୯ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ବିଜେପି ଚାନ୍ଦା ମାଧ୍ୟମରେ ୮୮.୭ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ କଂଗ୍ରେସ ଚାନ୍ଦା ମାଧ୍ୟମରେ ୬୪.୩ କୋଟି ଟଙ୍କା ପାଇଥିଲା ।

୭୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୪୮ ସିଟ୍ ଜିତିଥିଲା । ଅନ୍ୟପଟେ କଂଗ୍ରେସ ଗୋଟିଏ ବି ଆସନ ଜିତିପାରି ନଥିଲା । ଆମ୍ ଆଦମୀ ପାର୍ଟି ୨୨ ସିଟ୍ ଜିତିଥିଲା । ଏଡିଆରର ବିଶ୍ଲେଷଣ ଅନୁସାରେ, ଆମ୍ ଆଦାମୀ ପାର୍ଟି ନିଜ ପ୍ରଚାର ଉପରେ ମୋଟ ୧୨.୧୨ କୋଟି ଟଙ୍କା ଓ ପ୍ରାର୍ଥୀଙ୍କ ଉପରେ ୨.୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ମୋଟ ଖର୍ଚ୍ଚ ୧୪.୫ କୋଟି ଟଙ୍କା ହୋଇଥିଲା । ସେହିପରି ସୋସିଆଲ୍ ମିଡିଆ ଉପରେ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ବିଜେପି କେବଳ ୫.୨୬ ଲକ୍ଷ ଟଙ୍କା ଓ କଂଗ୍ରେସ ସବୁଠୁ ଅଧିକ ୫.୯୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।

ଏହି ନିର୍ବାଚନରେ ବିଜେପିର ମୋଟ ଖର୍ଚ୍ଚ ୫୭.୬୫ କୋଟି ଟଙ୍କା ଥିଲା । କଂଗ୍ରେସର ଖର୍ଚ୍ଚ ୪୬.୧୯ କୋଟି ଟଙ୍କା ଓ ଆମ୍ ଆଦମୀ ପାର୍ଟି ୧୪.୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ବିଜେପି ପାର୍ଟି ପ୍ରଚାର ଉପରେ ୩୯.୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଏହି ମାମଲାରେ ବିଜେପିକୁ ପଛରେ ପକାଇ କଂଗ୍ରେସ ୪୦.୧୩ କୋଟି ଖର୍ଚ୍ଚ କରିଥିଲା ।

ଏବେ ସୁଦ୍ଧା ୯ ପାର୍ଟିଙ୍କ ଦ୍ୱାରା ଜାରି ଘୋଷଣା ଅନୁସାରେ ସେମାନଙ୍କ ମୋଟ ଖର୍ଚ୍ଚ ୧୨୦.୩ କୋଟି ଟଙ୍କା ଥିଲା । ଏଥିରେ ପ୍ରାର୍ଥୀଙ୍କ ଉପରେ ୨୭ କୋଟି ଟଙ୍କା ସାମିଲ ରହିଛି । ବିଜେପି, କଂଗ୍ରେସ ଓ ଆପ୍ ବ୍ୟତୀତ ବିଏସପି ଏକମାତ୍ର ଏପରି ପାର୍ଟି ଯିଏ ୧ କୋଟି ଟଙ୍କାରୁ ଅଧିକ (୧.୮ କୋଟି ଟଙ୍କା) ଖର୍ଚ୍ଚ କରିଛି । ନିର୍ବାଚନ ସମୟରେ ସମସ୍ତ ପାର୍ଟି ଦ୍ୱାରା ଜମା କରାଯାଇଥିବା ମୋଟ ପାଣ୍ଠି ୧୭୦.୬୮ କୋଟି ଟଙ୍କା ଥିଲା । ଏଥିରେ ବିଜେପିକୁ ୮୮.୭ କୋଟି ଟଙ୍କା, କଂଗ୍ରେସକୁ ୬୪.୩ କୋଟି ଟଙ୍କା ଓ ଆପ୍‌କୁ ୧୬.୧ କୋଟି ଟଙ୍କା ମିଳିଛି । ଅଧିକାଂଶ ଫଣ୍ଡ୍ ପାର୍ଟିଗୁଡ଼ିକର କେନ୍ଦ୍ରୀୟ ମୁଖ୍ୟାଳୟ ସ୍ତରରେ ଜମା କରାଯାଇଥିଲା ।