ପାକ୍ ସୀମାରେ ସମରାଭ୍ୟାସ କରିବ ବାୟୁସେନା; NOTAM ଜାରି କଲେ କେନ୍ଦ୍ର ସରକାର

Published By : Prameya-News7 Bureau | May 06, 2025 IST

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା ଧୀରେ ଧୀରେ ବଢ଼ୁଛି । ଆକସ୍ମିକ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି ଭାରତ ସରକାର । ଆକାଶ ମାର୍ଗରୁ ଯୁଦ୍ଧାଭ୍ୟାସ କରିବ ବାୟୁସେନା । ସୀମାରେ ଗର୍ଜିବେ ଯୁଦ୍ଧବିମାନ । ଏନେଇ NOTAM ଜାରି କରିଛନ୍ତି କେନ୍ଦ୍ର ସରକାର । ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ଭାରତ-ପାକିସ୍ତାନ ସୀମାରେ ଆକାଶ ମାର୍ଗରେ ଯୁଦ୍ଧାଭ୍ୟାସ କରିବ ଭାରତୀୟ ବାୟୁସେନା । ଏହି ଅଭ୍ୟାସ ଭାରତ-ପାକିସ୍ତାନ ଦକ୍ଷିଣ ସୀମାରେ ହେବ । ଏୟାରଫୋର୍ସ ମରୁଭୂମି ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳ ଆକାଶରେ ସମରାଭ୍ୟାସ କରିବ । ଏଥିରେ ରାଫେଲ, ମିରାଜ-୨୦୦୦ ଓ ସୁଖୋଇ-୩୦ ସମେତ ଅନେକ ଯୁଦ୍ଧବିମାନ ସାମିଲ୍ ହେବେ । ଏହାଛଡ଼ା ସୀମା ସଂଲଗ୍ନ ଅନେକ ଜିଲ୍ଲାରେ ଆସନ୍ତାକାଲି ମଧ୍ୟ ମକ୍‌ଡ୍ରିଲ୍ ହେବ । ଏପରି ପରିସ୍ଥିତିରେ ଭାରତ ପୂର୍ବରୁ ନୋଟିସ୍ ଟୁ- ଏୟାର ମିଶନ ଜାରିଛି । 

NOTAM ହେଉଛି ଏକ ପ୍ରକାର ନୋଟିସ୍ ଯାହା ପାଇଲଟ୍, ଏୟାର ଟ୍ରାଫିକ୍ ନିୟନ୍ତ୍ରକମାନଙ୍କୁ ସମ୍ଭାବ୍ୟ ବିପଦ ବିଷୟରେ ସୂଚନା ଦିଏ । ଫଳରେ ଯୁଦ୍ଧ ଅଭ୍ୟାସ ବେଳେ ସାଧାରଣ ଲୋକ କିମ୍ବା  ଅନ୍ୟ କୌଣସି ପ୍ରକାର କ୍ଷତି ହେବ ନାହିଁ । ଉଡ଼ାଣ ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ । NOTAM ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ମାନଦଣ୍ଡ ଅନୁଯାୟୀ ଜାରି କରାଯାଏ ଓ ଉଡ଼ାଣ ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସେପଟେ ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ସୋମବାର ଗୃହ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ନାଗରିକ ପ୍ରତିରକ୍ଷା ମକ୍‌ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି । 

ମେ’ ୭ ତାରିଖରେ ଦେଶର ୨୪୪ଟି ଜିଲ୍ଲାରେ ସମ୍ଭାବ୍ୟ ଯୁଦ୍ଧକୁ ନଜରରେ ରଖି ମକ୍‌ଡ୍ରିଲ୍ କରାଯିବ। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନାଗରିକମାନଙ୍କୁ ତାଲିମ ଦେବାକୁ ଏହି ନାଗରିକ ସୁରକ୍ଷା ଅଭ୍ୟାସ କରାଯିବ । ମକ୍‌ଡ୍ରିଲରେ ସାଇରନ୍ ପରୀକ୍ଷା ଓ ବ୍ଲାକଆଉଟ୍ ପରିଚାଳନା ଅଭ୍ୟାସ ଅନ୍ତର୍ଭୁକ୍ତ । ୫୪ ବର୍ଷ ପରେ ଦେଶରେ ପ୍ରଥମ ଥର ପାଇଁ ମକ୍ ଡ୍ରିଲ୍ କରାଯାଉଛି । ଏହାପୂର୍ବରୁ ୧୯୭୧ ମସିହାରେ ଭାରତ-ପାକ୍ ଯୁଦ୍ଧ ସମୟରେ ବଡ଼ ଧରଣର ସିଭିଲ୍ ଡିଫେନ୍ସ ମକ୍‌ଡ୍ରିଲ୍ କରାଯାଇଥିଲା । 

ପହଲଗାମ୍ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଭାରତର ପ୍ରତିଜବାବ ଭୟରେ ପାକିସ୍ତାନ । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ମକ୍ ଡ୍ରିଲରେ, ଲୋକମାନଙ୍କୁ ନାଗରିକ ପ୍ରତିରକ୍ଷା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାର ଉପାୟ ବିଷୟରେ କୁହାଯିବ।

ନୋଟିସ୍ ଟୁ ଏୟାର ମିଶନ୍ ସିଷ୍ଟମ୍ ଏକ ପ୍ରକାରର ଯୋଗାଯୋଗ ପ୍ରଣାଳୀ, ଯାହା ସାହାଯ୍ୟରେ ବିମାନରେ କ୍ୟାବିନ କ୍ରୁଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଯାଏ । ଏହା ଏକ ଅତ୍ୟନ୍ତ ଗୋପନୀୟ ସୂଚନା ପ୍ରଣାଳୀ । ଏହାକୁ ହ୍ୟାକ୍ କରିବା ଅତ୍ୟନ୍ତ କଷ୍ଟକର । ନୋଟିସ୍ ଟୁ ଏୟାର ମିଶନ ସିଷ୍ଟମରେ ପାଣିପାଗ, ଆଗ୍ନେୟଗିରି ଉଦଗିରଣ, ଆକାଶ ସୀମା ପ୍ରତିବନ୍ଧକ, ଯେକୌଣସି ପାରାଚୁଟ୍ ଜମ୍ପ, ରକେଟ୍ ଲଞ୍ଚ୍ ଏବଂ ସାମରିକ ଅଭ୍ୟାସ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ସୂଚନା ବିମାନ ପାଇଲଟ୍‌ଙ୍କୁ ପଠାଯାଇଥାଏ । ଏହା ଦ୍ଵାରା ବିମାନ ଯାତ୍ରା ସମୟରେ ଯେକୌଣସି ଅପ୍ରୀତିକର ଘଟଣାକୁ ଏଡାଇ ଦିଆଯାଇପାରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.