ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗରେ ଆଗକୁ ଆସିଲା ଭାରତ, ଜାଣନ୍ତୁ କହିଛି କ’ଣ?

Published By : Prameya-News7 Bureau | July 03, 2025 IST

ନୂଆଦିଲ୍ଲୀ ୩।୭: ତୀବ୍ବତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗରେ ଭାରତ ସ୍ପଷ୍ଟ ଓ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏହି ମାମଲାରେ କେବଳ ଦଲାଇ ଲାମା ହିଁ କୌଣସି ନିଷ୍ପତ୍ତି ନେଇ ପାରିବେ ବୋଲି ଭାରତ ଗୁରୁବାର କହିଛି। ଏଥିରେ ଚୀନର କୌଣସି ପ୍ରକାରର ଦଖଲକୁ ଭାରତ ଅଗ୍ରାହ୍ୟ କରିଦେଇଥିବା ବେଳେ ଏହା ତୀବ୍ବତୀୟ ବୌଦ୍ଧ ପରମ୍ପରାର ଅନ୍ତରୀଣ ମାମଲା ବୋଲି କହିଛି। 

ଭାରତ ସ୍ପଷ୍ଟ ଭାବେ କହିଛି ଯେ ତୀବ୍ବତୀୟ ଆଧ୍ୟାତ୍ମିକ ଗୁରୁଙ୍କ ଉତ୍ତରାଧିକାରୀ ନିର୍ଣ୍ଣୟ କରିବାର ଅଧିକାର ଅନ୍ୟ କାହାର ନୁହେଁ କେବଳ ଓ କେବଳ ଦଲାଇ ଲାମାଙ୍କର ରହିଛି।  ମାମଲାରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗୁରୁବାର କହିଛନ୍ତି ଯେ ଆଗାମୀ ଦଲାଇ ଲାମାଙ୍କ ସମ୍ପର୍କରେ ନିଷ୍ପତ୍ତି କେବଳ ଓ କେବଳ ସ୍ଥାପିତ ସଂସ୍ଥା ଏବଂ ଦଲାଇ ଲାମା ହିଁ ନେଇ ପାରିବେ। ଏ ନେଇ ରିଜିଜୁ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବୌଦ୍ଧଧର୍ମିଙ୍କ ଲାଗି ଦଲାଇ ଲାମା ‘ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଓ ପରିଭାଷିତ ସଂସ୍ଥା’। 

ଏଣୁ ଦଲାଇ ଲାମାଙ୍କୁ ମାନୁଥିବା ସବୁ ଲୋକଙ୍କ ରାୟ ଏହି ଯେ ଉତ୍ତରାଧିକାରୀ ନିଷ୍ପତ୍ତି ସ୍ଥାପିତ ପରମ୍ପରା ଓ ଦଲାଇ ଲାମାଙ୍କ ଇଛାନୁସାରେ ହେବ ଆବଶ୍ୟକ। ଏଣୁ ଦଲାଇ ଲାମା ଓ ଏବେକା ପରମ୍ପରା ବ୍ୟତୀତ ଅନ୍ୟ କେହି ଏହା ଉପରେ ନିଷ୍ପତ୍ତି ନେବାର ଅଧିକାର ନାହିଁ। ବୌଦ୍ଧ ଧର୍ମାବଲମ୍ବୀ ରିଜିଜୁ ଏବେ ଧର୍ମଶାଳାରେ ଅଛନ୍ତି। ସେ କେନ୍ଦ୍ର ମନ୍ତ୍ରୀ ଲଲନ ସିଂହଙ୍କ ସହ ଦଲାଇ ଲାମାଙ୍କ ୯୦ତମ ଜନ୍ମ ସମାରୋହରେ ଭାରତ ସରକାରଙ୍କ ପ୍ରତିନିଧି ରୂପେ ଯୋଗ ଦେଇଛନ୍ତି। ରିଜିଜୁ ଏହା ବି ସ୍ପଷ୍ଟ କରିଛନ୍ତି ଯେ ଏହା ଶୁଦ୍ଧରୂପେ ଏକ ଧାର୍ମିକ ଅବସର ଓ ଏହାକୁ ରାଜନୀତି ସହ ଯୋଡିବା ଅନୁଚିତ। 

ଦିନକ ପୂର୍ବରୁ ଦଲାଇ ଲାମାଙ୍କ ଅଧିକାରୀକ କାର୍ଯ୍ୟାଳୟ ଗାଦେନ ଫୋଡରଙ୍ଗ ଟ୍ରଷ୍ଟ ଏକ ବୟାନ ଜାରି କରି କହିଥିଲା ଯେ ‘ଦଲାଇ ଲାମାଙ୍କ ସଂସ୍ଥା ୬୦୦ ବର୍ଷ ପ୍ରାଚୀନ ଓ ଏହାର ଅସ୍ତିତ୍ୱ ତାଙ୍କ ଜୀବନ ପରେ ବି ରହିବ। ଆଗାମୀ ଅର୍ଥାତ ୧୫ତମ ଦଲାଇ ଲାମା କାହାକୁ କରାଯିବ ଏହାର ନିଷ୍ପତ୍ତି ଗାଦେନ ଫୋଡରଙ୍ଗ ଟ୍ରଷ୍ଟ ନେବ’। ତେବେ ଚୀନ୍ ଲଗାତାର ଦାବି କରିଆସୁଛି ଦଲାଇ ଲାମାଙ୍କ ପୁନର୍ଜନ୍ମ ଓ ନିୟନ୍ତ୍ରଣ ଚୀନ୍ ଆଇନ କାନୁନ ଅନୁସାରେ ହେବ। 

ନିକଟରେ ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ କହିଥିଲେ ‘ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ଚୀନ୍ ଆଇନ, ଧାର୍ମିକ ପରମ୍ପରା ଓ ଐତିହାସିକ ପ୍ରକ୍ରିୟା ଅନୁସାରେ ହେବା ଆବଶ୍ୟକ’। ତେବେ ବେଜିଂର ଏହି ଦାବି ଏବେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଛି। ସାରା ବିଶ୍ୱରେ ଦଲାଇ ଲାମାଙ୍କୁ ଶାନ୍ତି ଓ କରୁଣାର ପ୍ରତୀକ ମନେ କରାଯାଏ। ତେବେ ଚୀନ୍ ତାଙ୍କୁ ଜଣେ ବିଭାଜନକାରୀ ବ୍ୟକ୍ତି ଯିଏ ତୀବ୍ବତକୁ ଚୀନରୁ ପୃଥିକ କରିବାକୁ ଚାହୁଁଛନ୍ତି ବୋଲି କହୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.